Odiapua.com

ବ୍ଲକସ୍ତରୀୟ ଶିଶୁ ସୁରକ୍ଷା ଓ ବାଲ୍ୟବିବାହ ନିରୋଧ ପ୍ରଶିକ୍ଷଣ ଶିବିର

ଭଦ୍ରକ, ୨୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକସ୍ତରୀୟ ଶିଶୁସୁରକ୍ଷା ଓ ବାଲ୍ୟ ବିବାହ ନିରୋଧ କମିଟି ପ୍ରଶିକ୍ଷଣ ଶିବିର ଆଜି ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ, ଭଦ୍ରକ ଶିଶୁ ସୁରକ୍ଷା ୟୁନିଟ ଓ ବ୍ଲକ ସାମାଜିକ ସୁରକ୍ଷା ବିଭାଗ ମିଳିତ ଆନୁକଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଡ. ସୁଦର୍ଶନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ ମୁଖ୍ୟଅତିଥି, ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ବିଡିଓ ଦେବଦତ୍ତ ଦାଶ, ତହସିଲଦାର ସରୋଜକାନ୍ତ ନାୟକ, ବାଲ୍ୟ ବିବାହ ନିରୋଧ କମିଟି ସଂଯୋଜକ ଅସୀମ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁ ଶ୍ରମିକ, ଶିଶୁ ନିର୍ଯ୍ୟାତନା ଆଦିରୁ ଶିଶୁସୁରକ୍ଷା ବ୍ୟବସ୍ଥା, ବିଭିନ୍ନ ଯୋଜନା ଓ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। ବାଲ୍ୟ ବିବାହକୁ ପ୍ରତିହତ କରିବାକୁ ସବୁସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା। ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଶିବିରରେ ଯୋଗଦେଇଥିବା ସରପଞ୍ଚ, ସମିତି ସଭ୍ୟ, ମହିଳା ଓ ଶିଶୁ ବିକାଶ କର୍ମଚାରୀ, ଅଙ୍ଗନୱାଡି କର୍ମୀ, ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ, ପୁଲିସଙ୍କୁ ପ୍ରଶିକ୍ଷକ ଅନନ୍ତ ପ୍ରସାଦ ଦାସ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ପ୍ରତିରୋଧ ଉପାୟମାନ ସମ୍ପର୍କରେ ଧାରଣା ଦେଇଥିଲେ। ଅବିଳମ୍ବେ ସରପଞ୍ଚଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ଶିଶୁ ସୁରକ୍ଷା କମିଟି ଓ ଅଧ୍ୟକ୍ଷାଙ୍କ ନେତୃତ୍ୱରେ ବ୍ଲକସ୍ତରୀୟ କମିଟି ଗଠନ କରାଯାଇ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ଶିବିରରେ ନିଷ୍ପତ୍ତି ନିଆଯାଇଥିଲା। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରବିନାରାୟଣ ପାତ୍ର, ମଙ୍ଗଳ ଅଧିକାରୀ ବିଜୟାନନ୍ଦ ରାଉତ, ଜିପିଇଓ ମୀନକେତନ ବାରିକ, ସୁପରଭାଇଜର ଦୀପାଳି ମିଶ୍ର, ଚଞ୍ଚଳା ବେହେରା, ଥାନା ଶିଶୁ ଡେସ୍କ ଅଧିକାରିଣୀ ଇଭାରାଣୀ ପରିଡା, ଚିନ୍ମୟ ପଣ୍ଡା, ପ୍ରିୟଙ୍କା ସିଂ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ସୁଧାଂଶୁ ପାଢୀ ଧନ୍ୟବାଦ ଦେଇଥିଲେ।