Odiapua.com

ବ୍ରାଉନସୁଗର କାରବାରର ପେଣ୍ଠସ୍ଥଳ ହେଲାଣି ଭଦ୍ରକ, ଭଦ୍ରକରେ ସାମ୍ରାଜ୍ୟ ବିସ୍ତାର କରିଛନ୍ତି ଜଳେଶ୍ୱରର ନିଶା ବେପାରୀ

ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବ୍ରାଉନ ସୁଗର କାରବାରକୁ ନେଇ ବାଲେଶ୍ୱର ଜିଲା ସବୁବେଳେ ଚର୍ଚାରେ ରହୁଥିଲା । ଏବେ ଭଦ୍ରକର ନାମ ସେଥିରେ ଯୋଡି ହୋଇଯାଇଛି । ନିଶା ବେପାରୀ ଇଥିମଧ୍ୟରେ ଭଦ୍ରକକୁ କାରବାରର ପେଣ୍ଠସ୍ଥଳ କରି ସାରିଛନ୍ତି । ଗତ କିଛିଦିନ ମଧ୍ୟରେ ଭଦ୍ରକରୁ ଜବତ ବ୍ରାଉନସୁଗର ପରିମାଣକୁ ଲକ୍ଷ୍ୟ କଲେ ଏହା ହିଁ ବୁଝାପଡୁଛି । ଅତୀତରେ ଭଦ୍ରକରୁ ବହୁ ସମୟରେ ବ୍ରାଉନସୁଗାର କାରବାର କରୁଥିବା ଯୁବକଙ୍କୁ ପୁଲିସ, ଅବକାରୀ ବିଭାଗ ଓ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗର ସ୍କ୍ୱାଡ ଠାବ କରିଛନ୍ତି । କାହା ନିକଟରୁ ୫ ଗ୍ରାମ ନହେଲେ ୧୦ ଗ୍ରାମ ଜବତ ହେଉଥିଲା । ଏପରିକି ଗତ ଦୁଇମାସ ମଧ୍ୟରେ ପୁରୁଣାବଜାର ପୁଲିସ ମଧ୍ୟ ବ୍ରାଉନସୁଗର କାରବାର କରୁଥିବା ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଥିଲା । କିନ୍ତୁ କାହା ନିକଟରେ ଅଧିକ ପରିମାଣରେ ବ୍ରାଉନସୁଗର ଜବତ ହୋଇନଥିଲା । କିନ୍ତୁ ଏବେ ଯେଉଁ ପରିମାଣର ବ୍ରାଉନସୁଗର ଜବତ ହେଉଛି ତାହା ପ୍ରକୃତପକ୍ଷେ ଚିନ୍ତାଜନକ ହୋଇଛି । ଗତ ଜାନୁଆରୀ ୨୬ ତାରିଖରେ ରାଜ୍ୟ କ୍ରାଇମବ୍ରାଂଚ ଏସଟିଏଫ ଭଦ୍ରକରୁ ଜଣେ ଯୁବକକୁ ଠାବ କରିଥିଲା । ଯାହାଙ୍କ ନିକଟରୁ ୧କିଲୋଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା । ଏହାର ଦୁଇଦିନ ପରେ ଭଦ୍ରକ ପୁଲିସର ଏକ ଟିମ ୫୬ ଗ୍ରାମ ବ୍ରାଉନସୁଗର ଜବତ କରିଥିଲା । ଏବେ ରାଣୀତାଲ ନିକଟରେ ଗ୍ରାମାଂଚଳ ଥାନାଧିକାରୀ ୭ ଜଣିଆ ରାକେଟକୁ ଠାବ କରି ୫୦୦ ଗ୍ରାମ ବ୍ରାଉନସୁଗର ଜବତ କରିଛନ୍ତି । ଏମିତି ଦେଖିଲେ ଗତ ୧୫ ଦିନ ମଧ୍ୟରେ ପାଖାପାଖି ୨କୋଟି ଟଙ୍କାର ବ୍ରାଉନସୁଗର ଜବତ ହେଲାଣି । ସୂଚନା ମୁତାବକ; ବ୍ରାଉନସୁଗର କାରବାର କେବଳ ଆଉ ଭଦ୍ରକ ସହରରେ ସୀମିତ ନୁହେଁ । ଗ୍ରାମାଂଚଳକୁ ଏହା ବ୍ୟାପି ସାରିଲାଣି । ସାରା ଜିଲାରେ ଏହି କାରବାରର ନେଟୱର୍କ ରହିଛଇ ଓ ଏଥିରେ ମହିଳମାନଙ୍କୁ ବି ନିୟୋଜିତ କରାଯାଇଛି । ବିନା ପୁଂଜିରେ ଲକ୍ଷଲକ୍ଷ ଟଙ୍କାର ରୋଜଗାର କରିବା ନିଶା ଦେଖାଇ ବେପାରୀମାନେ ନୂଆ ନୂଆ ଏଜେଂଟ ତିଆରିରେ ସକ୍ଷମ ବି ହେଉଛନ୍ତି । ତେବେ ଭଦ୍ରକରେ ବିକ୍ରି ହେଉଥିବା ବ୍ରାଉନସୁଗର ମୁଖ୍ୟତଃ ଜଳେଶ୍ୱରରୁ ଆସୁଥିବା ନେଇ ପୁଲିସ ହାତରେ ଠୋସ ପ୍ରମାଣ ଲାଗିଛି ।

ଜଳେଶ୍ୱରର ମୁଖ୍ୟ ବେପାରୀ ଅଛନ୍ତି ଯେକି ଭଦ୍ରକରେ କାୟା ବିସ୍ତାର କରି ସାରିଛନ୍ତି । ଅନେକ ଅପରାଧୀଙ୍କୁ ମଧ୍ୟ ଜଳେଶ୍ୱରର ଏହି ବେପାରୀ ନିଜ ନେଟୱର୍କରେ ସାମିଲ କରିଥିବା ନେଇ ପୁଲିସ ପାଖେ ସୂଚନା ରହିଛି । ତେବେ ଏହି କାରବାରରେ ସମ୍ପୃକ୍ତ ଯୁବକଙ୍କ ପାଖେ ବନ୍ଧୁକ, ଖଣ୍ଡା ଓ ଅନ୍ୟ ମାରଣାସ୍ତ୍ର ରହୁଛି । ଅତି ସତର୍କତାର ସହ ବିଶେଷକରି ବାଇକ ଯୋଗେ ଏମାନେ ବୁଲିବୁଲି ଏଜେଂଟମାନଙ୍କୁ ବ୍ରାଉନସୁଗର ବାଂଟୁଛନ୍ତି । ଏସକର୍ଟ କରିବା ଲାଗି ଆଗରେ ପଛରେ ଆଉ କିଛି ବାଇକ ଯାଉଛି । ତେବେ ଗତ ୯ ତାରିଖରେ ଗ୍ରାମାଂଚଳ ଥାନାଧିକାରୀ ଆଲୋକ ଜେନାଙ୍କ ବିଶେଷ ଉଦ୍ୟମରୁ ଧରାପଡିଥିବା ୭ ଜଣିଆ ରାକେଟ ପୁଲିସ ପାଇଁ ବଡ ସଫଳତା ଆଣିଛି । ଏମାନଙ୍କୁ ପଚରାୁଚୁରା କରି ପୁଲିସ ପୁରା ନେଟୱର୍କ ବାବଦରେ ବିଶେଷ ତଥ୍ୟ ହାସଲ କରିଛି । ୭ ଜଣିଆ ରାକେଟର ମୁଖ୍ୟ ସରୋଜ ଦାସ ଓରଫ ସତୁରା ଜଣେ ପେଶାଦାର ଅପରାଧୀ ତଥା ନିଶା ବେପାରୀ ବୋଲି ପୁଲିସ ଜାଣିବାକୁ ପାଇଛି । ସହର ଉପକଣ୍ଠସ୍ଥ ସାମରାଇପୁରରେ ତା’ର ଘର ଓ ନିଜ ସ୍ତ୍ରୀ ଡଲିକୁ ସେ ଏହି କାରବାରରେ ବ୍ୟବହାର କରୁଥିବା ପୁଲିସ ଜାଣିସାରିଛି । ସରୋଜ ପୂର୍ବରୁ ଟାଉନପୁଲିସ ଦ୍ୱାରା ଗିରଫ ହୋଇଥିଲା । ଅବକାରୀ ବିଭାଗ ମଧ୍ୟ ସରୋଜକୁ ପୂର୍ବରୁ ଗିରଫ କରିଛି । କିନ୍ତୁ ପରେ ଜାମିନରେ ଆସି ନିଜର ନେଟୱର୍କକୁ ଆହୁରି ବଢାଇ ସାରିଥିବା ପୁଲିସ ତଦନ୍ତ ବେଳେ ଜଣାପଡିଛି । ତେବେ ଭଦ୍ରକକୁ ବ୍ରାଉନସୁଗର ଜଳେଶ୍ୱରରୁ ହିଁ ଆସୁଥିବା ନେଇ ପୁଲିସ ନିଶ୍ଚିତ ହେବା ପରେ ଜଳେଶ୍ୱରର ସେହି ବେପାରୀ ଏବେ ଭଦ୍ରକ ପୁଲିସ ନିଶାଣରେ ଅଛି । ତା’ଛଡା ଆଜିଯାଏ ବ୍ରାଉନସୁଗର କାରବାର ମାମଲାରେ ଗିରଫ ହୋଇଥିବା ଚୋରା ବେପାରୀଙ୍କ ଆର୍ଥିକ କାବବାର ବାବଦରେ ମଧ୍ୟ ପୁଲିସର ତଦନ୍ତ ଆରମ୍ଭ ହୋଇସାରିଛି । ବହୁକୋଟି ଟଙ୍କାର ଚୋରା ବ୍ୟବସାୟ ଚାଲିଥିଲେ ମଧ୍ୟ ଟଙ୍କା ଦେଣନେଣ କେମିତି ହେଉଥିଲା, ଗିରଫମାନଙ୍କର ଅନ୍ୟ କାହାସହିତ ଆର୍ଥିକ କାରବାର ରହିଛି, ସେବାବଦରେ ମଧ୍ୟ ତଦନ୍ତ ଚାଲିଥିବା ନେଇ ଜିଲା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ନିଜେ ଏସପି ଚରଣ ସିଂ ମୀନା ଏସବୁ ତଦନ୍ତକୁ ନିୟମିତ ତଦାରଖ କରୁଛନ୍ତି । ଏବାବଦରେ ଖୁବଶୀଘ୍ର ଏକ ବଡ ସଫଳତା ମିଳିବା ନେଇ ଜିଲା ପୁଲିସ ଆଶାବାଦୀ ଅଛି ।