Odiapua.com

ବ୍ରହ୍ମପୁର ସେବା ସମବାୟ ସମିତିକୁ ଧାନକିଣାରୁ ବାଦ୍‌ଦେବା ପ୍ରସଙ୍ଗ, ଭଦ୍ରକ-ଚାନ୍ଦବାଲି ରାସ୍ତା ଅବରୋଧ କରି ଚାଷୀଙ୍କ ଆନ୍ଦୋଳନ

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାରେ ଖରିଫ ଧାନ ସଂଗ୍ରହ ପାଇଁ ୨୦ ତାରିଖ ଶୁଭାରମ୍ଭ ହୋଇଥିବାବେଳେ ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିବା ଭଳି ଧାନ ସଂଗ୍ରହ ପୂର୍ବରୁ ଚାଷୀ ଆନ୍ଦୋଳନ ଦେଖାଦେଇଛି । ଭଦ୍ରକ ବ୍ଲକ୍ ବ୍ରହ୍ମପୁର ସେବା ସମବାୟ ସମିତିରେ ଚାଷୀଙ୍କ ଧାନ ସଂଗ୍ରହ କାର୍ଯ୍ୟରେ ଅବ୍ୟବସ୍ଥାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଯିବା ସହ ଚାଷୀଙ୍କୁ ଧାନ ବିକ୍ରୟ ପାଇଁ ଜାରୀ ହୋଇଥିବା ଟୋକନରେ ବ୍ୟାପକ ତ୍ରୁଟି ଦେଖାଦେଇଛି । ଅନ୍ୟପଟେ ଚାଷୀଙ୍କୁ ସେବା ସମବାୟ ସମିତିରେ ଧାନ ବିକ୍ରି କରିବା ପାଇଁ ଅନୁମତି ନମିଳିବା ଘଟଣାକୁ ନେଇ ଚାଷୀ ଆନ୍ଦୋଳନ ତୀବ୍ରତର ହେବା ସହ ଶତାଧିକ ଚାଷୀଙ୍କ ଦାବୀ ପୂରଣ ନେଇ ଭଦ୍ରକ ଚାନ୍ଦବାଲି ରାସ୍ତା ଅବରୋଧ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଜିଲାରେ ପ୍ରଥମ ପର୍ଯ୍ୟାୟରେ ୧୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ ପାଇଁ ଲକ୍ଷଧାର୍ଯ୍ୟ ରଖାଯାଇଛି । ଏ ନେଇ ଧାନସଂଗ୍ରହ ପାଇଁ ୭ଟି ବ୍ଲକ୍‌ରେ ୧୫୨ ଟି ଧାନ ସଂଗ୍ରହ ଖୋଲାଯାଇଥିବାବେଳେ ସେଥିମଧ୍ୟରୁ ୯୭ଟି ସେବା ସମବାୟ ସମିତି, ୫୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଚାଷୀଙ୍କ ମାଧ୍ୟମରେ ଧାନ କିଣିବା ପାଇଁ ସ୍ଥିର କରାଯାଇଛି । ତେବେ ବ୍ରହ୍ମପୁର ସେବା ସମବାୟ ସମିତିରେ ଚାଷୀମାନଙ୍କ ଧାନସଂଗ୍ରହ କାର୍ଯ୍ୟରେ ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ଅସନ୍ତୋଷ ଦେଖାଦେଇଛି । ଏହି ସେବା ସମବାୟ ସମିତିରେ ପଂଜିକୃତ କେଦାରପୁର ଓ ବ୍ରହ୍ମପୁର ପଂଚାୟତର ୬୧୫ ଜଣ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଅନୁମତି ପ୍ରଦାନ କରାଯାଇଥିବାବେଳେ ଚାଷୀମାନଙ୍କୁ ଧାନ ବିକିବା ପାଇର୍ ଟୋକନ ମେସେଜ୍ ମଧ୍ୟ କରାଯାଇଥିଲା । କିନ୍ତୁ ଧାନ ସଂଗ୍ରହ ପୂର୍ବରୁ ଚାଷୀମାନଙ୍କୁ ଏହି ସେବା ସମବାୟ ସମିତିରେ ଧାନ ବିକ୍ରି କରିବା ପାଇଁ ବାଦ୍ ଦିଆଯାଇ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଧାନ କିଣାଯିବ ବୋଲି ଚାଷୀଙ୍କୁ କୁହାଯାଇଥିଲା । ତେବେ ଏହାକୁ ବିରୋଧ କରି ଚାଷୀ ଆନ୍ଦୋଳନକୁ ଓହ୍ଲାଇବା ସହ ସମବାୟ ସମିତି ମାଧ୍ୟମରେ ଧାନ ବିକ୍ରି କରିବା ପାଇଁ ଦାବି କରିଛନ୍ତି । ପୂର୍ବରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ ବିକ୍ରି କରି, ଶତାଧିକ ଚାଷୀ ଏପର୍ଯ୍ୟନ୍ତ ନିଜର ବିକ୍ରି ଟଙ୍କା ପାଇପାରିନଥିବାବେଳେ ଏବର୍ଷ ପୂର୍ବଭଳି ସେବା ସମବାୟ ସମିତି ମାଧ୍ୟମରେ ଧାନ ବିକ୍ରି କରିବାକୁ ଦାବି କରିଛନ୍ତି । ଏହି ଦାବୀ ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ନେତା ହେମନ୍ତ ପାଢୀ କହିଛନ୍ତି । ଅନ୍ୟପକ୍ଷରେ ଚାଷୀମାନେ ଜିଲା ପ୍ରଶାସନର ମନମୁଖୀ କାର୍ଯ୍ୟକୁ ବିରୋଧ କରି ଦାବୀ ପୂରଣ ନେଇ ଭଦ୍ରକ ଚାନ୍ଦବାଲି ରାସ୍ତାରେ ଧାନବସ୍ତା ରଖି ରାସ୍ତା ଅବରୋଧ କରିବା ସହ ଦାବୀ ପୂରଣ ନହେବା ଯାଏ ଏହି ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ହରିହର ରାଉତ କହିଛନ୍ତି । ଘଟଣା ସ୍ଥଳରେ ପ୍ରଶାସନର ବିଭାଗୀୟ ଅଧିକାରୀମାନେ ପହଞ୍ôଚ ଚାଷୀଙ୍କୁ ତାଙ୍କର ସମସ୍ୟା ସମାଧାନ ଦିଗରେ ବୁଝାସୁଝା କରିଥିଲ ମଧ୍ୟ ଚାଷୀ ଲିଖିତ ପ୍ରତିଶ୍ରୁତି ନପାଇବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଥିଲେ । ଚାଷୀଙ୍କ ସମସ୍ୟାର ସମାଧାନ ଦିଗରେ ଜିଲା ପ୍ରଶାସନ ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ଚାଷୀ ନେତା ବିପ୍ଳବ ମହାନ୍ତି ଦାବି କରିଛନ୍ତି ।