Odiapua.com

ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ ଓଡିଶା ଜଣେ ଟାଣୁଆ ଏବଂ ସ୍ପଷ୍ଟବାଦୀ ରାଜନେତାଙ୍କୁ ହରାଇଲା -ଧର୍ମେନ୍ଦ୍ର ପ୍ରଧାନ

– ତାଙ୍କ ବିୟୋଗରେ ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ତିଆରି ହୋଇଛି

ଭୁବନେଶ୍ୱର, ଡ଼ିସେମ୍ବର ୩୦ (ଓଡ଼ିଆ ପୁଅ) – ପୂର୍ବତନ ବାଚସ୍ପତି, ରାଜ୍ୟସଭା ସାଂସଦ ଏବଂ ବର୍ତମାନର ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିବା ସହ ବ୍ୟକ୍ତିଗତ ଭାବେ ଦୁଃଖିତ ଓ ମର୍ମାହତ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କ ବିୟୋଗରେ ଓଡିଶା ଜଣେ ଟାଣୁଆ ଏବଂ ସ୍ପଷ୍ଟବାଦୀ ରାଜନେତାଙ୍କୁ ହରାଇଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ୨୦୦୦ ମସିହାରେ କିଶୋର ଭାଇ ଓ ମୁଁ ଏକାସାଙ୍ଗରେ ବିଧାନସଭାକୁ ନିର୍ବାଚିତ ହୋଇଥିଲୁ। ୨୦୦୪ରେ ଦେବଗଡ଼ ଲୋକସଭା କ୍ଷେତ୍ରର ମୁଁ ସାଂସଦ ଥିବା ବେଳେ ସେ ଝାରସୁଗୁଡ଼ାର ବିଧାୟକ ଥିଲେ। ନିକଟରେ ଶ୍ରୀମନ୍ଦିର ଦର୍ଶନ କରି ଫେରିବା ସମୟରେ କିଶୋର ଭାଇ ଏବଂ ସପରିବାର ସହ ସାକ୍ଷାତ୍ ହୋଇଥିଲା। ମୁଁ ବିଶ୍ୱାସ କରିପାରୁ ନାହିଁ ଆଜି ସେ ଆମ ଗହଣରେ ନାହାନ୍ତି। ତାଙ୍କ ବିୟୋଗରେ ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ତିଆରି ହୋଇଛି। ଲମ୍ବା ସମୟର ରାଜନୀତିରେ ସେ ଜନପ୍ରତିନିଧି ଭାବେ କରିଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇ ରହିବ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି। ଏହି ଦୁଃଖଦ ସମୟରେ ମହାପ୍ରଭୁ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହାସ ଦିଅନ୍ତୁ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି ଜଣାଇଛନ୍ତି।