Odiapua.com

ବୌଦ୍ଧିକ କ୍ଷମତା ମାଧ୍ୟମରେ ଓଡିଶାର କୃଷି ଉତ୍ପାଦିତ ଦ୍ରବ୍ୟକୁ ବିଶ୍ୱ ଦରବାରରେ ପରିଚୟ କରୁ ଓଡିଆ ସମାଜ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁନ ୦୬ (ଓଡ଼ିଆ ପୁଅ) – ଭାରତ ସରକାର କୃଷି କ୍ଷେତ୍ରରେ ଅନେକ ସଂସ୍କାର ଆଣିଛନ୍ତି ା ଓଡିଶା ଗୋଟିଏ କୃଷିପ୍ରଧାନ ଅଂଚଳ ହୋଇଥିବାରୁ ବର୍ତମାନ ସମୟରେ କୃଷି କ୍ଷେତ୍ରରେ ରାଜ୍ୟରେ ଅନେକ ସମ୍ଭାବନା ସୃଷ୍ଟି ହୋଇଛି। ବର୍ତମାନର ଘଡିସନ୍ଧି ମୁହୂର୍ତରେ ବିଦେଶରେ ରହୁଥିବା ଓଡିଆ ଲୋକମାନେ ନିଜର ବୌଦ୍ଧିକ କ୍ଷମତାର ଉପଯୋଗ କରି ବିଶେଷ ଭାବରେ ଓଡିଶାର କୃଷି ଉତ୍ପାଦିତ ଦ୍ରବ୍ୟକୁ ବିଶ୍ୱ ଦରବାରରେ ପରିଚୟ କରିବାର ଦାୟିତ୍ୱ ନିଅନ୍ତୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶନିବାର ୟୁରୋପ ମହାଦେଶର ୧୦ଟି ଦେଶରେ ରହୁଥିବା ଓଡିଆଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିବା ବେଳେ ବିଦେଶରେ ରହୁଥିବା ଓଡିଆ ସମାଜକୁ ଏପରି ଆହ୍ୱାନ କରିବା ସହ ନୂଆନୂଆ କଳ୍ପନା, ଟେକ୍ନୋଲୋଜି ମାଧ୍ୟମରେ କୃଷି ସମେତ ବ୍ୟବସାୟ ତଥା ଉଦ୍ୟୋଗକୁ ମଧ୍ୟ ସମୃଦ୍ଧ କରିବାକୁ ସେ କହିଛନ୍ତି। ସେହିପରି ଏକବିଂଶ ଶତାବ୍ଦୀରେ ଭାରତ ତଥା ଓଡିଶାକୁ ବିଶ୍ୱର ବୌଦ୍ଧିକ ସୁଯୋଗର କେନ୍ଦ୍ରସ୍ଥଳି କରିବା ପାଇଁ ଆହ୍ୱାନ କରିଛନ୍ତି ଶ୍ରୀ ପ୍ରଧାନ। ଭାରତରେ କରୋନାର ପ୍ରକୋପ ହ୍ରାସ ପାଇବାରେ ଲାଗିଛି। ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି। ବର୍ତମାନ ଭାରତରେ ଅନଲକ୍ ହେବା ଆରମ୍ଭ ହୋଇଛି। ପ୍ରଧାମନ୍ତ୍ରୀଙ୍କ ଦୃରଦୃଷ୍ଟି କାରଣରୁ ଏହା ସମ୍ଭବ ହୋଇପାରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତ।

ଆଲୋଚନାରେ ଥିବା ଏହି ସବୁ ଦେଶର ଓଡିଆ ସମୁଦାୟର ଲୋକମାନେ ବର୍ତମାନର ସ୍ଥିତି ଉପରେ ଆଲୋକପାତ କରିଥିଲେ। ସେମାନେ କହିଥିଲେ କେରୋନା ନିୟନ୍ତ୍ରଣରେ ଏହି ସବୁ ଦେଶର ସରକାରମାନେ ବିଭିନ୍ନ ଅଭିନବ ପଦକ୍ଷପ ନେଇଛନ୍ତି। ଭାରତୀୟ ରାଷ୍ଟ୍ରଦୂତମାନେ ବାହାରେ ରହୁଥିବା ଓଡିଆ ସମାଜକୁ ଭଲ ସାହାଯ୍ୟ ଓ ସହଯୋଗ କରୁଛନ୍ତି। ଏହାସହିତ ଭାରତ ସରକାରଙ୍କ ବନ୍ଦେ ଭାରତ ମିଶନର ପ୍ରବାସୀ ଭାରତୀୟଙ୍କୁ ସ୍ୱେଦେଶ ଫେରାଇ ନେବା ପଦକ୍ଷେପକୁ ଏହି ସବୁ ୟୁରୋପୀୟ ଦେଶରେ ରହୁଥିବା ଓଡିଆ ଲୋକମାନେ ପ୍ରଶଂସା କରିଛନ୍ତିା

ଏହି ଆଲୋଚନାରେ ଫ୍ରାନ୍ସରୁ ସଂଗ୍ରାମ ମହାପାତ୍ର, ମୋନାଲିସା ପଣ୍ଡା, ବିଜୟ ବାରିକ, ଆଶୁତୋଷ ଦାସ, ୟୁନାଇଟେଡ୍ କିଙ୍ଗଡମରୁ ସୁକାନ୍ତ ସାହୁ, ସୁଷମା ପତି, ବିବେକ ଭଟ୍ଟମିଶ୍ର, ଡା  ଦେବକାନ୍ତ ବେହେରା, ସୁମନ୍ତ ମାନସିଂହ, ପର୍ତ୍ତୃଗାଲରୁ ଆଶିଷ ତ୍ରିପାଠୀ, ନାରାୟଣ ସାହୁ, ସ୍ୱିଡେନରୁ ପି କେ ମହାନଦିଆ, କାଳିଚରଣ ପାତ୍ର, ଜର୍ମାନିରୁ ଇଲା ସିଂହ, ସଞ୍ଜିବ ଦାସ, ନମ୍ରତା ମହାପାତ୍ର, ସଞ୍ଜୟ, ଋଷରୁ ବିନୟ ମିଶ୍ର, ସନ୍ତୋଷ ମିଶ୍ର, ବେଲଜିୟମରୁ ଦେବାଶିଷ ପୃଷ୍ଠି, ଗୋପବନ୍ଧୁ ବେହେରା, ନେଦରଲ୍ୟାଣ୍ଡରୁ ଡା ଜିତେନ୍ଦ୍ର ବଢାଇ, ବିଶ୍ୱଜିତ ପାଣି, ଅଷ୍ଟ୍ରିଆରୁ କଳ୍ପନା ଦାସ, ସ୍ପେନରୁ ଦେବାଶିଷ ପଟ୍ଟନାୟକ ଓ ସ୍ୱାତି ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ।