ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ୧୬ନଂ ଜାତୀୟ ରାଜପଥ ଆରଡି ଛକ ନିକଟରେ ଏକ ଟ୍ରକ୍ ବୋଲେରୋ ଧକ୍କାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ୧୦ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବାବେଳେ ୨ ଜଣ ଶିଶୁ ଏବଂ ୨ ଜଣ ମହିଳାଙ୍କୁ ଭଦ୍ରକ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା । ପୁରୀରୁ ଜଗନ୍ନାଥ ଦର୍ଶନ ସାରି ସୋର ଗୋପାଳପୁର ଅଭିମୁଖେ ଯାଉଥିବାବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାଲେଶ୍ୱର ଜିଲା ଗୋପାଳପୁର ଅଂଚଳର ଝର୍ଝରିଆ ଗାଁର ଗୋଟିଏ ପରିବାର ଗତ ୪ ଦିନ ପୂର୍ବରୁ ପୁରୀ ଅଭିମୁଖେ ଯାଇଥିଲେ । ସେଠାରେ ଏକ ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗଦେବା ସହିତ ଜଗନ୍ନାଥ ଦର୍ଶନ ସାରି ରାତି ପ୍ରାୟ ଗୋଟାଏ ବେଳେ ନିଜ ଗାଁକୁ ଫେରୁଥିବା ଏକ ହାଇୱା ଟ୍ରକ୍ ତାଙ୍କ ଗାଡିକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଜଣେ ମୃତ୍ୟୁବରଣ କରିଥିଲାବେଳେ ୧୦ ଜଣ ଗୁରୁତର ହୋଇଥିଲେ । ମୃତକ ହେଲେ ଝର୍ଝରିଆ ଗାଁର ସନ୍ତୋଷ ମିଶ୍ର । ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ଟି ଫେରାର ହୋଇଯାଇଥିବା ଜଣାଯାଇଛି ।