Odiapua.com

ବୋଲେରୋ ସହ ୫ ଗୋରୁ ଜବତ, ଚାଳକ ଫେରାର

ଭଦ୍ରକ, ୩ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ପୁଲିସ ସୋମବାର ସକାଳେ ଚଢ଼ାଉ କରି ଏକ ବୋଲେରୋରୁ ୫ଟି ଗୋରୁ ଜବତ କରିଛି। ପୁଲିସକୁ ଦେଖି ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୁଲିସ ସୂଚନା ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ସୋମବାର ସକାଳ ପ୍ରାୟ ୬ଟା ୩୦ ମିନିଟ୍‌ରେ ଯାଜପୁରରୁ ଭଦ୍ରକ ଅଭିମୁଖେ ଆସୁଥିବା ଓଆର-୦୫-ଏଏଚ-୮୦୩୩ ନମ୍ବର ବିଶିଷ୍ଟ ବୋଲେରୋକୁ ଧାମନଗର ଛକ ନିକଟରେ ଅଟକାଇ ଯାଂଚ କରାଯାଇଥିଲା। ଯାଂଚବେଳେ ଗାଡ଼ିରେ ୫ଟି ଗୋରୁ ଥିବା ଜଣାପଡ଼ିଥିଲା। ଏହାପରେ ଏସଆଇ ରଶ୍ମିତା ମଲ୍ଲିକଙ୍କ ନେତୃତ୍ୱରେ ପୁଲିସ ବୋଲେରୋ ସହ ଗୋରୁଗୁଡ଼ିକୁ ଜବତ କରି ଥାନାକୁ ନେଇଥିଲେ। ପରେ ଜବତ ଗୋରୁଗୁଡ଼ିକୁ ଅସୁରାଳି ଗୋଶାଳାକୁ ପଠାଯାଇଥିବାବେଳେ ଫେରାର ଚାଳକଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜୋରଦାର କରିଛି। ଏନେଇ ଧାମନଗର ଥାନାରେ ଏକ ମାମଲା ରୁଜୁ ହୋଇଥିବାବେଳେ ଘଟଣାର ଅଧିକ ତଦନ୍ତ ଚାଲିଥିବା ଜଣାପଡ଼ିଛି।