Odiapua.com

ବୋଲେରୋ ଚୋରି ର‌୍ୟାକେଟ ରାଇରଙ୍ଗପୁରରୁ ଠାବ, ବୋଲେରୋ ଉଦ୍ଧାର, ଅଲ୍‌ଟୋ ଜବତ, ୫ ଗିରଫ

ଭଦ୍ରକ, ୨୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ଏକ ଚାରିଚକିଆ ଚୋରି ର‌୍ୟାକେଟକୁ ମୟୁରଭଂଜ ଜିଲ୍ଲା ରାଇରଂଗପୁର ଅଞ୍ଚଳରୁ ଗିରଫ କରିଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ନପାଳ ମଧୁସୂଦନପୁର ଗ୍ରାମର ଜଣେ ଇନଫର୍ମରଙ୍କ ସହଯୋଗରେ ଭଦ୍ରକରୁ ବିଭିନ୍ନ ସ୍ଥାନରୁ ଚାରି ଚକିଆ ଚୋରି କରାଯାଇ ଟାଟାରେ ତାହାର ରଂଗ ପରିବର୍ତ୍ତନ କରି ଏହି ର‌୍ୟାକଟେ ବିକ୍ରି କରୁଥିବା ପୁଲିସ କହିଛି । ଗ୍ରାମାଞ୍ଚଳ ଥାନା ମଧୁସୂଦନପୁର ଗ୍ରାମର ପ୍ରମୋଦ ମହଲଙ୍କର ଓଡ଼ି ୦୨କେ ୮୪୦୭ ବୋଲେରୋ ଭ୍ୟାନ୍‌ଟି ଅନ୍ନପାଳ ବଜାରରେ ଏକ ଦୋକାନ ସାମ୍‌ନାରେ ଛିଡା ହୋଇଥିବା ବେଳେ ଗତ୧୭ ତାରିଖ ବିଳମ୍ବିତ ରାତିରେ ଚୋରି ହୋଇଥିଲା । ସିସିଟିଭିର ଫୁଟେଜକୁ ଆଧାର କରି ଉକ୍ତ ଚୋରି ଏକ ଅଲ୍‌ଟୋ କାର୍‌ରେ କିଛି ଯୁବକ ଆସି କରିଥିବା ଦେଖିବାକୁ ମିଳିଥିଲା ଏବଂ ଚୋରି ପରେ ଏହା ଧୁଷୁରୀ ଅଭିମୁଖେ ଯାଇଥିଲା । ପୁଲିସ ଅଲ୍‌ଟୋ କାରର ନମ୍ବରକୁ ଟ୍ରାକ୍ କରି ଏହି କାର୍ ରାଇରଙ୍ଗପୁରର ସେକ୍ ଇଜାଦୁଲ ହକ୍‌ଙ୍କର ଜାଣିବାକୁ ପାଇଥିଲା । ପରେ ପୁଲିସ ରାଇରଙ୍ଗପୁର ଯାଇ ଚଢଉ କରି ସେଠାରୁ ୪ଜଣଙ୍କୁ ଧରିବା ପରେ ବୋଲେରୋଟି ଟାଟାନଗର ଠାରେ ରଙ୍ଗ ପରିବର୍ତ୍ତନ କରାଯାଉଥିବା ଜାଣିବାକୁ ପାଇ ସେଠାକୁ ଯାଇ ବୋଲୋରୋକୁ ଉଦ୍ଧାର କରିଥିଲା । ପୁଲିସ ଟାଟାନଗରଠାରେ ଥିବା କାର୍ଯ୍ୟ କରୁଥିବା ମଧୁସୂଦନ ନଗରର ଗୋପାଳ ପୃଷ୍ଟିଙ୍କୁ ଟାଟାନଗରରୁ ଗିରଫ କରିଥିଲା । ଅନ୍ୟ ୪ଜଣ ରାଇରଙ୍ଗପୁର କେନ୍ଦେରେଇ ଗ୍ରାମର ଇଜାଦୁଲ ହକ୍ ଓ ସେକ୍ ଖୁସ୍‌ଜାନ ଓରଫ ଅମ୍‌ଜାଦ, ବଡାମକୁରାଡି ଗ୍ରାମର ସେକ ସଦାମ ହୁସେନ ଓରଫ ଲେଧୁ, ସେକ ରମିଜଙ୍କୁ ଗିରଫ କରିଥିଲା । ସେମାନେ ବ୍ୟବାହର କରିଥିବା ଓଡ଼ି ୧୧ଇ ୯୯୮୦ ଅଲ୍‌ଟୋ ୮୦୦କୁ ପୁଲିସ ଜବତ କରିଛି । ଅଭିଯୁକ୍ତଙ୍କୁ କୋର୍ଟ ଚାଳାଣ କରାଯାଇ ପରେ ରିମାଣ୍ଡରେ ଅଣାଯାଇ ଅଧିକ ତଦନ୍ତ କରାଯିବ ବୋଲି ସାମ୍ବାଦିକଙ୍କୁ ସୂଚନା ଦେଇ ଅତିରିକ୍ତ ଏସ୍‌ପି ଯତୀନ ପଣ୍ଡା, ଏସଡ଼ିପିଓ ସାର୍ଥକ ରାୟ, ଆଇଆଇସି ଆଲୋକ ଜେନା ପ୍ରମୁଖ ସୂଚନା ଦେଇଛନ୍ତି ।