Odiapua.com

ବୈଶାଖୀ ପରମ୍ପରାରେ ରହିଛି ଓଡ଼ିଆ ଜାତିର ଜୀବନବୋଧ, ଦଶଦିନିଆ ଭଦ୍ରକ ବୈଶାଖୀ ମେଳା ଉଦଯାପିତ

ଭଦ୍ରକ, ୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉତ୍କଳୀୟ ସାଂସ୍କୃତିକ ପ୍ରାଣକେନ୍ଦ୍ର ଭଦ୍ରକ ସହରରେ ସ୍ଥାନୀୟ ନେହେରୁ ପଡ଼ିଆ ପରିସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଦୀର୍ଘ ଦଶଦିନ ଧରି ଚାଲିଥିବା ‘ବୈଶାଖୀ ମେଳା’ ଆଜି ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ମେଳା କମିଟି ସଭାପତି ଅଜୟ ନାୟକଙ୍କ ପୌରୋହିତ୍ୟରେ ‘ଉତ୍କଳୀୟ ସଂସ୍କୃତିରେ ବୈଶାଖୀ’ ପ୍ରସଙ୍ଗ ଉପରେ ଏକ ସାରଗର୍ଭକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ମୁଖ୍ୟବକ୍ତା ଭାବେ ଓଡ଼ିଶା ସୁପରିଚିତ ଆଧ୍ୟାତ୍ମିକ ପ୍ରବକ୍ତା ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଯୋଗଦେଇ ଉତ୍କଳୀୟ ପରମ୍ପରାରେ ବୈଶାଖ ମାସର ପବିତ୍ରତା, ଧାର୍ମିକତା ଓ ଆଧ୍ୟାତ୍ମିକତା ଉପରେ ଆଲୋକପାତ କରିବା ସହ ସମ୍ମିଳିତ ହେବାରେ ଜୀବନର ସାର୍ଥକତା ଥାଏ ବୋଲି କହିଥିଲେ। ମୁଖ୍ୟ ଅତିଥି ଭାବେ ଭଦ୍ରକ ଓକିଲ ସଂଘର ସଭାପତି ବରୁଣ ଚାନ୍ଦ ଯୋଗଦେଇ ବୈଶାଖ କେବଳ ଏକ ଋତୁ ପରିବର୍ତନର ସଙ୍କେତ ନୁହେଁ, ବରଂ ଏହା ଆମ ଜୀବନ, ଜୀବିକା ଓ ଶ୍ରଦ୍ଧାପୂର୍ଣ୍ଣ ଚେତନା ସହ ସଂଶ୍ଳିଷ୍ଟ ବୋଲି ମତବ୍ୟକ୍ତ କରିଥିଲେ। ବରେଣ୍ୟ ଅତିଥି ଭାବେ ଭଦ୍ରକ ଓକିଲ ସଂଘ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇ ବୈଶାଖୀ ସ୍ୱରରେ ଆମ ମାଟି ଓ ମନ ମହକିତ ହୋଇଛି ବୋଲି ମତପ୍ରକାଶ କରିଥିଲେ। ମେଳା କମିଟି ସଦସ୍ୟ ଅଧିବକ୍ତା ଗଦାଧର ବଳ, ଇଂ. ଅମ୍ବିକା ସ୍ୱାଇଁ, ସମ୍ପାଦକ ରୂପକ ବିହାରୀ ରାୟ, ସଦସ୍ୟା ବସୁମିତ୍ରା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କଅନ୍ୟମାନଙ୍କ ମଧ୍ୟରେ ତ୍ୟାଗଭୂମି ସମ୍ପାଦକ ଅଧିବକ୍ତା ଗଦାଧର ବଳ, ସୁଧାକର ରାଉତ, ଅଶୋକ ଦ୍ୱିବେଦୀ, ଶାନ୍ତିଲତା ନାୟକ, ବସୁମିତ୍ରା ସାହୁ, ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁ, ମନୋରଞ୍ଜନ ଦାସ, ପଦ୍ମନ ରାୟ, ସୁଧାକର ରାଉତ, ଉମାକାନ୍ତ ପାଳ, ମଦନ ମୋହନ ନାୟକ, ମୁକ୍ତିକାନ୍ତ ନାୟକ, ବୈଲୋଚନ ବେହୁରିଆ, କୈଳାସ ମହାପାତ୍ର, ଅଶୋକ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ । ବୈଶାଖୀ ମଳର ସମ୍ପାଦକ ରୂପକ ବିହାରୀ ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ସଭାପତି ଶ୍ରୀ ନାୟକ ଭବ୍ୟ ମେଳା ଆୟୋଜନରେ ସହଯୋଗ କରିଥିବା ବ୍ୟକ୍ତିବିଶେଷ, ବିଭିନ୍ନ ସଂସ୍ଥା, ଜିଲ୍ଲା ପ୍ରଶାସନ ଓ ଜନସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଆଗାମୀ ଦିନରେ ଏହି ମେଳାକୁ ଆହୁରି ବ୍ୟାପକ କରିବାକୁ ଆହ୍ୱାନ ଦେଇଥିଲେ। ଶେଷରେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା, ଯାହା ଦର୍ଶକଙ୍କୁ ବିମୋହିତ କରିଥିଲା। ଭଦ୍ରକର ଏହି ଭବ୍ୟ ଆୟୋଜନ ସହରର ସାଂସ୍କୃତିକ ଏକତାକୁ ଜାଗରୁକ କରିଛି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଥିଲା।