Odiapua.com

ବୈତରଣୀ, ବ୍ରହ୍ମଣୀ ଓ ଖରସ୍ରୋତ ନଦୀ ବନ୍ୟାରେ ଜିଲ୍ଲାରେ ବ୍ୟାପକ କ୍ଷତି

ଯାଜପୁର ୩୦ା୮ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଜି‌ଲ୍ଲାର ବିଭିନ୍ନ ବ୍ଳ୍‌କରେ ୨୧ ଗୋଟି ଘାଇ ସୃଷ୍ଟି ହୋଇଛି ଓ ଏଥିଯୋଗୁ ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି ବୋଲି ଜି‌ଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି। ବୈତରଣୀ, ବ୍ରହ୍ମଣୀ ଓ ଖରସ୍ରୋତ ନଦୀ ଜଳରେ ଦଶରଥରପୁର, ବିଝାଂରପୁର, ଯାଜପୁର, କୋରେଇ, ରସୁଲପୁର, ସୁକିନ୍ଦା ଓ ବରି ବ୍ଲକ୍ ରେ ବ୍ୟାପକ ଧାନ ଫସଲ ପଟୁମାଟି ଜମି ରହିବା ଦ୍ୱାରା କ୍ଷତିଗ୍ରସ୍ତ ହେବା ଦେଖିବାକୁ ମିଳିଛି। ବନ୍ୟା ପ୍ରବାହିତ ସମସ୍ତ ବ୍ଲକରେ ରିଲିଫ କାର୍ଯ୍ର ଆରମ୍ଭ ହୋଇଛି। ଯାଜପୁର ବରୀ ବ୍ଲକକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ବରୀରେ ଉଦ୍ଧାର କାର୍ଯ୍ୟ ଓ ରିଲିଫ କାର୍ଯ୍ୟ ପାଇଁ ୧୭ ଜଣ ଅଧିକାରୀ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ରସୁଲପୁର ବ୍ଲକ ବନ୍ଧଢ଼ିହ ପଞ୍ଚାୟତ କଣ୍ଡିଆ ସାହି ରମଣୀ ରଂଜନ ଜେନା‌ଙ୍କ ବ୍ରାହ୍ମଣୀ ନଦୀରେ ଘାଇ ଯୋଗୁ ଚାଲିଗଲା ଘର ଏବଂ ଭିତରେ ଥିବା ସମସ୍ତ ଆସବାପତ୍ର। ଖାଲି ଜୀବନ ବଞ୍ଚାଇବା ପାଇଁ ପୁରା ପରିବାର ଘର ଛାଡି ବାହାରକୁ ପଳାଇ ଆସିଥିଲେ। ନଦୀ ଗର୍ଭରେ ଘର ଲୀନ ହୋଇଗଲା ପରେ ଏବେ ସେ ସ୍ଥାନ ଜଳ ମୟ ହୋଇଛି। ନିଜସ୍ବ ଜମିରେ ଘର କରିଥିବା ରମଣୀଙ୍କ ସେହି ଜମି ଏବଂ ବିରାଟ ଗର୍ଭ ହୋଇ ନଦୀ ହୋଇ ଯାଇଛି। ଧୈର୍ଯ୍ୟ ହରାଇଥିବା ଏହି ପରିବାର ଏବେ ନିଜର ସଂର୍ପକୀୟଙ୍କ ଘରେ ମୁଣ୍ଡ ଗୁଞ୍ଜିଛନ୍ତି। ବନ୍ୟା ଘର ତ ନେଲା, ତା ଭିତରେ ଥିବା ରମଣୀଙ୍କ ଉପାର୍ଜନ କୁନି କୁନି ଦୁଇ ପିଲାର ଭବିଷ୍ୟତ ସବୁ ପାଣିରେ ମିଶାଇ ଦେଲା। ରମଣୀ ନିଜର ଉପାର୍ଜନ ଅର୍ଥରେ ଦୁଇ ମହଲା ଘର କରିଥିବା ବେଳେ ଟିଭି, ଫ୍ରିଜ, ପଲଙ୍କ, ଏଲଆଇସି ପ୍ରିମିୟମ୍ ଭରିବାକୁ ଥିବା ଏକ ଲକ୍ଷରୁ ଉର୍ଦ୍ଧ ଟଙ୍କା, ୱାସିଙ୍ଗ ମେସିନ୍, ଜମିବାଡି ପଟ୍ଟା, ବହୁ ଗୁରତ୍ବପୂର୍ଣ୍ଣ କାଗଜ, ଧାନଚାଉଳ, ବାଦାମ୍ ସବୁ ନଦୀ ଗର୍ଭରେ ଲୀନ ହୋଇଛି।

ଆଜି ସକାଳୁରୁ ହୀରାକୁଦରେ ଜଳ ପ୍ରବେଶ କମିବା ଆରମ୍ଭ କରିଛି। ହୀରାକୁଦରେ ଜଳ ପ୍ରବେଶ ଆଗକୁ ଆହୁରି କମିବା ଆଶା କରାଯାଉଛି। ମୁଣ୍ଡୁଳିରେ ସର୍ବାଧିକ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ, କାଲି ମଧ୍ୟାନ୍ନ ପର‌୍ୟ୍ୟନ୍ତ ମୁଣ୍ଡୁଳିରେ ସର୍ବାଧିକ ଜଳ ପ୍ରବାହିତ ହେବ।ଏହାସହ ବୈତରଣୀ ଓ ବ୍ରାହ୍ମଣୀ ନଦୀ ଜଳସ୍ତର ହ୍ରାସ ପାଉଛି, ପାଗ ଶୁଖିଲା ଏବଂ ବର୍ଷା ହେଉନଥିବାରୁ ନଦୀରେ ଜଳସ୍ତର କମୁଛି। ଏନେଇ ଟ୍ୱିଟ ଯୋଗେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଥିବା ଜଣାପଡ଼ିଛି। ବର୍ତ୍ତମାନ ହୀରାକୁଦ ଡ଼୍ୟାମରୁ ୪୬ଟି ଗେଟ ଦେଇ ଜଳ ନିଷ୍କାସନ ଚାଲୁଥିବା ବେଳେ ଜଳ ଧାରଣର କ୍ଷମତା ୬୩୦ ଫୁଟ ରହିଛି। ଏବେ ଜଳ ପତ୍ତନ ୬୨୭.୯୫। ଡ଼୍ୟାମକୁ ସେକେଣ୍ଡ ପ୍ରତି ୮ଲକ୍ଷ ୨୮ ହଜାର ୫୬୯ କ୍ୟୁସେକ ଜଳ ପ୍ରବେଶ କରୁଛି। ଏହାସହ ଡ଼୍ୟାମରୁ ୭ ଲକ୍ଷ ୬୫ ହଜାର ୪୦ କ୍ୟୁସେକ ଜଳ ନିଷ୍କାସନ ହେଉଛି।