Odiapua.com

ବୈତରଣୀ ନଦୀଶଯ୍ୟାରୁ ବହୁ ବୌଦ୍ଧସ୍ତୁପ ଓ ମାଟିପାତ୍ର, ପ୍ରାଚୀନ ଇଟା ଆବିଷ୍କୃତ, ଷୋଳମପୁର ବୌଦ୍ଧବିହାର ଇତିବୃତ୍ତ ଦାବି ଦୃଢିଭୂତ

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ମଣିନାଥପୁର ଗ୍ରାମ ବୈତରଣୀ ନଦୀ ଶଯ୍ୟାରୁ ବିପୁଳ ପରିମାଣର ବୌଦ୍ଧ କିତ୍ତିରାଜି ଓ ଉପାସନା ସାମଗ୍ରୀ ଉଦ୍ଧାର ହୋଇଛି । ବୌଦ୍ଧସ୍ତୁପ, ମାଟିପାତ୍ର ଓ ପ୍ରାଚୀନ ଇଟା ଆବିଷ୍କୃତ ସ୍ତାନୀୟ ଅଞ୍ଚଳବାସୀଙ୍କୁ ବିସ୍ମିତ କରିଛି । ନଦୀର ବାଲି ଅତଡା ଧସିବା ଫଳରେ ପୋତିହୋଇ ରହିଥିବା ଏହି ବିରଳ କିର୍ତ୍ତିରାଜି ଦୃଶ୍ୟମାନ ହୋଇଥିଲା । ଆଜି ପ୍ରତ୍ୟୁଷରେ ଗ୍ରାମର ଯୁବକ ସୁଧାଂଶୁ ବେଉରିଆ, ରଘୁନାଥ ବେଉରିଆ, ଦୀପକ ଦାସ, ରବିନ୍ଦ୍ର ସାମଲ ପ୍ରମୁଖ ଏ ସମ୍ପର୍କରେ ଇନଟାକ ସଦସ୍ୟ ବିଶ୍ୱମ୍ଭର ରାଉତଙ୍କୁ ସୂଚନା ଦେଇଥିଲେ । କିର୍ତ୍ତିରାଜିଗୁଡିକୁ ସୁରକ୍ଷିତ ଭାବେ ଷୋଳମପୁର ବୌଦ୍ଧ ସଂଗ୍ରହାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଆବିଷ୍କୃତ କିର୍ତ୍ତିରାଜିଗୁଡିକ ମଧ୍ୟରେ ଆଠଗୋଟି ଅର୍ଘ୍ୟ(ଭୋଟିଭ)ସ୍ତୁପ ଅନ୍ତର୍ଭୁକ୍ତ । ସେଥିରୁ ୩ଟି ସ୍ତୁପରେ ବୌଦ୍ଧଦେବୀ ତାରାମୂର୍ତ୍ତି ଖୋଦେଇ ହୋଇଥିବା ବେଳେ ଅନ୍ୟ ପାଞ୍ଚଟି ସାଧାରଣ ଅର୍ଘସ୍ତୁପ ଅଟେ । ଉଦ୍ଧାର ହୋଇଥିବା ମାଟିପାତ୍ର ମଧ୍ୟରେ ହାଣ୍ଡି, ପୂଜାବାସନ, କଳସ, ମହୁପାତ୍ର, ତନ୍ତ୍ରପାଣି ସିଞ୍ଚନ ପାତ୍ର, ଦୀପହାଣ୍ଡି, କମଣ୍ଡଳ ଆଦି ୫୦ରୁ ଅଧିକ ଅକ୍ଷତ ପାତ୍ର ଓ ଭଗ୍ନାବଶେଷ ରହିଛି ।

ଏଥିସହ ବୌଦ୍ଧବିହାର ନିର୍ମାଣ ପାଇଁ ବ୍ୟବହୃତ ପ୍ରାଚୀନ ଇଟା ଭଗ୍ନାବଶେଷ ବହୁ ପରିମାଣରେ ଉଦ୍ଧାର କରାଯାଇଛି । ଏହି ସମସ୍ତ କିର୍ତ୍ତିରାଜିର ଆବିଷ୍କାର ଷୋଳମପୁର ବୌଦ୍ଧ ମହାବିହାର ଉପସ୍ଥିତିକୁ ଆହୁରି ସୁଦୃଢ କରିଛି । ଉଦ୍ଧାର ପ୍ରାଚୀନ କିର୍ତ୍ତିରାଜି ଅଷ୍ଟମ ଓ ନବମ ଶତାଦ୍ଦୀର ବୋଲି ଐତୀହାସିକମାନେ ମତ ପ୍ରକାଶ କରିଛନ୍ତି । ସେହିସମୟରେ ଯାଜପୁର ବୌଦ୍ଧଧର୍ମର ପେଣ୍ଠସ୍ଥଳୀ ଥିଲା । ଯାଜପୁର ଅଞ୍ଚଳରୁ ବୌଦ୍ଧସନ୍ୟାସୀ ଓ ପୁଷ୍ଠପୋଷକମାନେ ଷୋଳମପୁର ବୌଦ୍ଧବିହାରକୁ ଯାତାୟତ କରିବା ରାସ୍ତାରେ ଏହି ସାମଗ୍ରୀଗୁଡିକ ପ୍ରାପ୍ତ ହୋଇଥିବାରୁ ଆଖପାଖରେ ବହୁ ବୌଦ୍ଧମଠର ଉପସ୍ଥିତି ଓ ଷୋଳମପୁର ବୌଦ୍ଧବିହାର ବ୍ୟାପକତାକୁ ମଧ୍ୟ ସୂଚୀତ କରୁଛି । ସମ୍ଭବତଃ ବଜ୍ରଯାନ ବୌଦ୍ଧ ଉପାସକମାନଙ୍କ ଏହା ତନ୍ତ୍ର ସାମଗ୍ରୀ ହୋଇଥାଇ ପାରେ ବୋଲି ପ୍ରତ୍ନତତ୍ତ୍ୱବିତ, ବୌଦ୍ଧ ଗବେଷକ, ଗବେଷଣା ନିର୍ଦ୍ଦେଶକ, ଉତ୍କଳ ନୌବାଣିଜ୍ୟ ଓ ପୂର୍ବ ଏସିଆ ଗବେଷଣା ସଂସ୍ଥା ସୁନିଲ ପଟ୍ଟନାୟକ ମତ ଦେଇଛନ୍ତି । ଏଠାରୁ ବହୁ ସାମଗ୍ରୀ ଆହୁରି ପ୍ରାପ୍ତ ହେବା ସମ୍ଭାବନା ରହିଛି ବୋଳି ଶ୍ରୀ ପଟ୍ଟନାୟକ ମତ ଦେଇ ଆଗାମୀ ଦୁଇଦିନ ମଧ୍ୟରେ ଷୋଳମପୁର ଗସ୍ତ କରିବେ ବୋଲି ପ୍ରକାଶ କରିଛନ୍ତି । ସେହିପରି ପ୍ରାପ୍ତ ସାମଗ୍ରୀଗୁଡିକ ବିରଳ ବୋଲି ମତ ଦେଇଛନ୍ତି ବିଶିଷ୍ଟ ବୌଦ୍ଧ ଗବେଷକ ଡକ୍ଟର ଏକାଦଶୀ ପାଢୀ । ସାଧାରଣତଃ ବୈଦ୍ଧବିହାରକୁ ଆଗମନ କରୁଥିବା ବ୍ୟବସାୟୀ ଓ ଶ୍ରଦ୍ଧାଳୁମାନେ ଏ ଧରଣର ସ୍ତୁପକୁ ଅର୍ଘଭାବେ ବୌଦ୍ଧବିହାରକୁ ଦାନ କରିଥାନ୍ତି । ଏହି ସାମଗ୍ରୀଗୁଡିକ ସୁରକ୍ଷିତ ଭାବେ ସଂଗ୍ରହାଳୟକୁ ସ୍ଥାନାନ୍ତର କରାଯିବା ସୁଖପ୍ରଦ, ଗବେଷକ ଓ ପର୍ଯ୍ୟଟକମାନଙ୍କୁ ଏହା ନିଶ୍ଚୟ ଆକୃଷ୍ଟ କରିବ ବୋଲି ଡକ୍ଟର ପାଢୀ ଆଶା ପ୍ରକାଶ କରିଛନ୍ତି ।