Odiapua.com

ବୈତରଣୀ ନଦୀର ମଲ୍ଲିମାହାରା ଏବେ ଶାଖାନଦୀର ରୂପ ନେବାକୁ ଯାଉଛି, ୟାସ୍ ଜନିତ ବନ୍ୟାରେ ଖଡିପଦା ପଂଚାୟତ ଜଳବନ୍ଦୀ, ସ୍ଥାୟୀ ପ୍ରତିକାର ଦାବି

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଳୟଙ୍କରୀ ୟାସ୍ ଜନିତ ବୈତରଣୀ ନଦୀର ବନ୍ୟାରେ ମଲ୍ଲି ମାହାରାର ବନ୍ୟାଜଳରେ ଏବେ ଉବୁଟୁବୁ ହେଉଛି ଏହି ଜିଲାର ଧାମନଗର ବ୍ଲକ୍ ଅଧୀନସ୍ଥ ଖଡିପଦା ପଞ୍ଚାୟତର ଦକ୍ଷିଣ କୁରୁଆ ଗାଁ । ଏହି ଗ୍ରାମରେ ବାଜା ବଜାଉଥିବା ହରିଜନ ସାହି, କରସାହି, ପାଣିଗ୍ରାହୀ ସାହି, ପାତ୍ରସାହି, ତେଲିସାହି, ପଣ୍ଡାସାହି, ବଢେଇସାହି ଓ ଦକ୍ଷିଣ କାଂଜିଆପାଳର ମଳିକସାହିର ଅବସ୍ଥା ଶୋଚନୀୟ ହୋଇପଡିଛି । ଏହି ଗ୍ରାମଗୁଡିକର ରାସ୍ତାରେ ୩ ରୁ ୪ ଫୁଟ୍ ଓ କିଛି ସ୍ଥାନରେ ୫ ଫୁଟ୍‌ରୁ ଉର୍ଦ୍ଧ୍ୱ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଗ୍ରାମବାସୀମାନେ ବନ୍ୟାଜଳରେ ଜଳବନ୍ଦୀ ହୋଇ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । କରୋନା ମହାମାରୀରେ କବଳିତ ହୋଇ ଲକଡାଉନ୍‌ରେ କାଳାତିପାତ କରୁଥିବା ଲୋକେ ୟାସ୍ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇ ପୁଣି ବୈତରଣୀ ନଦୀର ବନ୍ୟା ସେମାନଙ୍କ ଦୁର୍ଦ୍ଦଶାକୁ ବହୁଗୁଣିତ କରି ସେମାନଙ୍କ ଆର୍ଥିକ ଓ ମାନସିକ ମେରୁଦଣ୍ଡକୁ ଭାଙ୍ଗିଦେଇଛି । ଲୋକମାନେ ଜଳବନ୍ଦୀ ଅବସ୍ଥାରେ ଜୀବନ ଯାପନ କରୁଥିବାବେଳେ ପ୍ରଶାସନ କିମ୍ବା କୌଣସି ସରକାରୀ ଅଧିକାରୀ ଏପରିକି ସରପଞ୍ଚ କିମ୍ବା ତାଙ୍କ ପ୍ରତିନିଧିଙ୍କର ମଧ୍ୟ ଦେଖାନାହିଁ । ଏଠି ନା ମିଳୁଛି ଶୁଖିଲା ଖାଦ୍ୟ ନା ମିଳୁଛି ରନ୍ଧାଖାଦ୍ୟ । ଗରିବ, ଖଟିଖିଆ ଲୋକମାନେ ଭୋକ ଓପାସରେ କାଳାତିପାତ କରି ଚାହିଁ ରହିଛନ୍ତି ଭଗବାନଙ୍କୁ ଭରସା କରି । ଏଠାରେ ସୂଚନାଯୋଗ୍ୟ ପ୍ରତିବନ୍ଧ ଏହିପରି ବନ୍ୟା ଜନିତ ବିଭିନ୍ନ ପ୍ରକାରର ଅସୁବିଧା ଏ ଅଂଚଳରେ ଦେଖାଦିଏ । କିନ୍ତୁ ଯଦି ସ୍ଥାୟୀ ଭାବେ ବୈତରଣୀ ନଦୀର ମଲ୍ଲୀ ମାହାରାଟିକୁ ବନ୍ଦ କରିଦିଆଯାଆନ୍ତା, ତେବେ ଲୋକମାନେ ରକ୍ଷା ପାଆନ୍ତେ । କାରଣ ଏହି ସାମାନ୍ୟ ମାହାରାଟି ଧୀରେ ଧୀରେ ଏକ ନଦୀରେ ରୂପାନ୍ତରିତ ହେବାକୁ ଯାଉଛି । ଗତବର୍ଷ ୨୦୨୦ ପ୍ରଳୟଙ୍କରୀ ବନ୍ୟାରେ ଏହି ମାହାରାଟି ବିରାଟକାୟ ରୂପ ଧରି ବୈତରଣୀ ନଦୀର ଏକ ଶାଖାର ଭ୍ରମ ସୃଷ୍ଟି କରିଥିଲା । କିନ୍ତୁ ଏବର୍ଷ ଏହି ମାହାରାଟିର ମରାମତି ନହେବାରୁ କିମ୍ବା ବନ୍ଦ କରାନଯିବାରୁ ତାହା ଉଗ୍ରରୂପ ଧରି ଖଡିପଦା ପଂଚାୟତର ଦକ୍ଷିଣ କୋରୁଆ ଓ ଦେହୁଡି ଆନନ୍ଦପୁରର ଉତ୍ତେଇପୁର ଆଡକୁ ମାଡି ଚାଲିଛି । ଯୁଦ୍ଧକାଳୀନ ଭିତ୍ତିରେ ଏହାର ସ୍ଥାୟୀ ପ୍ରତିକାର କରାନଗଲେ ଆଗାମୀ ଦିନରେ ଉପରୋକ୍ତ ରାଜସ୍ୱ ଗ୍ରାମଗୁଡିକ ନୂତନ ଶାଖା ନଦୀରେ ଲୀନ ହେବ, ଏହା ନିଃସନ୍ଦେହ । ଏଣୁ ଏବେଠାରୁ ଜିଲା ପ୍ରଶାସନ ଓ ରାଜନେତାମାନେ ଏ ଦିଗରେ ଚିନ୍ତା କରିବାର ସମୟ ଆସିଛି ।