ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ଶିଶୁ ବିକାଶ ପ୍ରକଳ୍ପ-୨ ଅଧୀନରେ ଥିବା ତ୍ରିନାଥ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ଦାୟିତ୍ୱହୀନତା ଯୋଗୁଁ ପୋକ ଲାଗି ନଷ୍ଟ ହୋଇଥିବା ଗହମକୁ ବୈତରଣୀ ନଦୀରେ ଭସାଇ ନଷ୍ଟ କରାଯାଇଛି। ମଙ୍ଗଳବାର ସକାଳେ କସ୍ତୁରୀକଣା ସୁଇସ୍ ଗେଟ ନିକଟରେ କୁଇଂଟାଲ କୁଇଂଟାଲ ଗହମ ପାଣିରେ ପକାଯାଇଥିବା ଦେଖାଯାଇଥିଲା। ସୂଚନା ଅନୁଯାୟୀ ପ୍ରାୟ ୯୫ କ୍ୱିଂଟାଲ ଗହମ ନଷ୍ଟ କରାଯାଇଛି। ଏହି ସମୟରେ ସିଡିପିଓ-୨ ମନୋସିନି ବେହେରା, ଅତିରିକ୍ତ ତହସିଲଦାର ଡାଳିମଣୀ ଟୁଡୁ, ବିପିସି ବନଜ ବାରିକଙ୍କ ସହ ଅନ୍ୟାନ୍ୟ ଅଧିକାରୀ ନିହାର ରଞ୍ଜନ ରାଉତ ଓ ସୁଧାଂଶୁ ପୋଥାଳ ଉପସ୍ଥିତ ଥିଲେ। ପ୍ରାପ୍ତ ଖବର ଅନୁଯାୟୀ ଚାନ୍ଦବାଲି ସମ୍ବନ୍ଧିତ ଶିଶୁ ବିକାଶ ବିଭାଗ ଅଧୀନରେ ଛତୁଆ ପ୍ରସ୍ତୁତି ପାଇଁ ପ୍ରାୟ ୬୦୦ କ୍ୱିଂଟାଲ ଗହମ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଯୋଗାଇ ଦିଆଯାଇଥିଲା। କିନ୍ତୁ ଚଢ଼ାଉ ସମୟରେ ପ୍ରାୟ ୯୫ କ୍ୱିଂଟାଲ ଗହମରେ ପୋକ ଲାଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଧରାପଡ଼ିଥିବା ବେଳେ ଅନ୍ୟ ଗହମ ଗୁଡିକୁ ଶିଶୁ ମାନଙ୍କ ଖାଦ୍ୟ ପାଇଁ ବ୍ୟବହାର କରାଯାଇ ସାରିଥିଲା। ଧରା ପଡ଼ିଥିବା ଏହି ଗହମ କୁ ତୁରନ୍ତ ବାଜ୍ୟାପ୍ତି କରି ନଷ୍ଟ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରାୟ ୯୫ କୁଇଂଟାଲ ଗହମକୁ ନଷ୍ଟ କରିବା ପାଇଁ ତହସିଲଦାରଙ୍କୁ ଆଦେଶ ଦିଆଯାଇଥିଲା। କିନ୍ତୁ ମଙ୍ଗଳବାର କେବଳ ୭୦ କୁଇଂଟାଲ ଗହମକୁ ନଷ୍ଟ କରାଯାଇଥିବା ଜଣାପଡ଼ିଛି। ଏହାପରେ ଅବଶିଷ୍ଟ ପ୍ରାୟ ୨୩ କୁଇଂଟାଲ ଗହମ କୁଆଡେ ଗଲା, ତାହାକୁ ନେଇ ସାଧାରଣରେ ସନ୍ଦେହ ଓ ଚର୍ଚ୍ଚା ବଢ଼ିଛି।ଏନେଇ ସିଡିପିଓ-୨ ମନୋସିନୀ ବେହେରା କହିଛନ୍ତି ଯେ, ବିଷୟଟି ଜିଲ୍ଲା ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇବୁ ବୋଲି କହିଛନ୍ତି।