Odiapua.com

ବୈତରଣୀ ଇରିଗେସନ ଅନ୍ତର୍ଗତ ଶାଳନିଆ ଶାଖା କେନାଲର ପୁନନିର୍ମାଣ କାର୍ଯ୍ୟରେ ଦୁର୍ନୀତି, ତଦନ୍ତ ପାଇଁ ବିକାଶ ପରିଷଦର ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ଅନଶନ

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ଜଳସେଚନ ଡିଭିଜନ ଶାଳପଡାର ଶାଳନିଆ ଶାଖା କେନାଲର ପୁନରୁଦ୍ଧାର ଓ ଆଧୁନିକୀକରଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବାର ବନ୍ତ, ଭଣ୍ଡାରିପୋଖରୀ ବିକାଶ ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ଦୁର୍ନୀତି ସଂପର୍କରେ ଏସିଙ୍କ ଠାରୁ ଜଳସଂପଦ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଆସିଥିଲେ ମଧ୍ୟ ଏହାର ତଦନ୍ତ ହେଉନାହିଁ । ଫଳରେ ବିକାଶ ପରିଷଦର ସଭାପତି ପ୍ରମୋଦ କୁମାର ନାୟକଙ୍କ ନେତୃତ୍ୱରେ ପରିଷଦର କର୍ମକର୍ତ୍ତାମାନେ ନିମ୍ନ କାର୍ଯ୍ୟର ତଦନ୍ତ ପାଇଁ ଦାବି କରି ଜିଲାପାଳଙ୍କ ଅଫିସ୍ ଆଗରେ ଅନଶନରେ ବସିଛନ୍ତି । ବିକାଶ ପରିଷଦ ପକ୍ଷରୁ ଜିଲାପାଳଙ୍କୁ ଦିଆଯାଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି ଯେ ବୈତରଣୀ ଜଳସଂପଦ ଡିଭିଜନ ଶାଳପଡା ଅନ୍ତର୍ଗତ ଶାଳନିଆ ସବ୍‌ଡିଭିଜନ ଅଧୀନରେ ଥିବା ଶାଳନିଆ ଶାଖା କେନାଲର ମଞ୍ଜୁରୀରୋଡ୍ ଇରିଗେସନ ସେକ୍ସନର ଅଧୀନରେ ଥିବା ୨୮.୮୫୦ କିଲୋମିଟରରୁ ୩୩.୪୦୦ କିମି ପର୍ଯ୍ୟନ୍ତ ଆଧୁନିକୀକରଣ କାର୍ଯ୍ୟରେ ୩ କୋଟି ୮୯ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ଏହାବ୍ୟତୀତ କେନାଲର ବାମପାଶ୍ୱର୍ ବନ୍ଧରେ ଯାତାୟତର ସୁବିଧା ପାଇଁ ୨୪.୩୦୦ କିମିରୁ ୮୫୦ କିଲୋମିଟର ପର୍ଯ୍ୟନ୍ତ ୪ କୋଟି ୮ ଲକ୍ଷ ୩୪ ହଜାର ଟଙ୍କା ବ୍ୟୟ ଅଟକଳରେ କରାଯାଇଛି । ତେବେ ଏହି ନିର୍ମାଣ କାର୍ଯ୍ୟ ଗୁଡିକ ଅତି ନିମ୍ନମାନର ହୋଇଥିବା ସହ ପୁରୁଣା କାମ ଉପରେ କଂକ୍ରିଟ୍ ୱାଲ ନିର୍ମାଣରେ ତାଳିପକା କାମ କରାଯାଇ ବ୍ୟାପକ ଅର୍ଥ ଆତ୍ମସାତ୍ କରାଯାଇଥିବାର ଉପଲବ୍ଧ ହୋଇଛି । ଏଥିପାଇଁ ବିଭାଗୀୟ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ସତ୍ୱେ କୌଣସି ପଦକ୍ଷେପ ନିଆଯାଇନାହିଁ । ନିର୍ମାଣ କାର୍ଯ୍ୟରେ ସରକାରୀ ଅର୍ଥ ଅପଚୟ ଓ ଦୁର୍ନୀତି ବିରୁଦ୍ଧରେ ବିଧିବଦ୍ଧ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିକାଶ ମଂଚ ପକ୍ଷରୁ ଦାବି କରାଯାଇଛି । ବିକାଶ ମଂଚର ସଦସ୍ୟ ପ୍ରଦୀପ କୁମାର ସାହୁ, ବିଜୟ କୁମାର ସାହୁ, ରାଜେନ୍ଦ୍ର କୁମାର ସାହୁ, ମନୋରଂଜନ ନାୟକ, ବିଷ୍ଣୁଚରଣ ଖୁଣ୍ଟିଆ, ଗୋଲକ ବିହାରୀ ବିଶ୍ୱାଳ, ହରିହର ନାୟକ ପ୍ରମୁଖ ଏହି ଅନଶନରେ ସାମିଲ ଅଛନ୍ତି ।