Odiapua.com

ବୈତରଣୀରେ ୨ୟ ବନ୍ୟା, ୭ ପଞ୍ଚାୟତର ୩୨ ଗ୍ରାମ ଜଳବନ୍ଦୀ

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀ ବିପଦସଙ୍କେତ ସ୍ତର ଠାରୁ ଏକ ମିଟର ଉପରେ ପ୍ରବାହିତ ହେଉଛି। ରବିବାର ଅପରାହ୍ନ ୫ଟା ସୁଦ୍ଧା ଆଖୁଆପଦାରେ ଜଳସ୍ତର ୧୮.୯୬ ମିଟର ରହିଛି। ଗତ ସପ୍ତାହରେ ହୋଇଥିବା ପ୍ରଥମ ବନ୍ୟାରେ ଆଖୁଆପଦା ଠାରେ ରେକର୍ଡ ହୋଇଥିବା ସର୍ବାଧିକ ଜଳସ୍ତର ୧୮.୭୫ ମିଟରକୁ ଅତିକ୍ରମ କରିଛି। ଅପରାହ୍ନ ୨ଟା ସୁଦ୍ଧା ଜଳସ୍ତର ସର୍ବାଧିକ ୧୮.୯୯ ମିଟରରେ ପହଞ୍ଚି ସ୍ଥିର ହୋଇଥିଲା। ଅପରାହ୍ନ ୪ଟାରେ ଜଳସ୍ତର ହ୍ରାସ ପାଇଥିଲା। ଘଣ୍ଟାପ୍ରତି ୩ ମି.ମି. ବେଗରେ ହ୍ରାସ ପାଇ ୫ଟାରେ ୧୮.୯୬ ମିଟରରେ ପ୍ରବାହିତ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଚମ୍ପୁଆରେ ୩୭.୨ ମି.ମି., ଠାକୁରମୁଣ୍ଡାରେ ୫.୮ ମି.ମି., ସ୍ୱାମୀପାଟଣାରେ ୭.୮ ମି.ମି. ବର୍ଷା ରେକର୍ଡ କରାଯାଇଥିବା ବେଳେ କେଉଁଝର, ଆନନ୍ଦପୁର ଓ ଆଖୁଆପଦାରେ ବର୍ଷା ହୋଇନଥିବା ଜଣାଯାଇଛି। ବନ୍ୟା ଯୋଗୁଁ କଣ୍ଟିଘାଇରେ ୮ଫୁଟ ଉଚ୍ଚତାର ବନ୍ୟାଜଳ ପ୍ରବେଶ କରି ବହୁ ଗ୍ରାମକୁ ବୁଡାଇଦେଇଛି। ବନ୍ୟାଜଳରେ ଷୋଳମପୁର, ମାଳଦା, ନପଙ୍ଗ, କୁରିଗାଁ, ରହଣିଆ, ଝୁଟୁଣା, ବନ୍ଦାଳୋ-ମଢିଆଳି ପଞ୍ଚାୟତ ସମ୍ପୁର୍ଣ୍ଣ ଭାବେ ଜଳବନ୍ଦୀ ହୋଇଛି।

ଏହି ସବୁ ପଞ୍ଚାୟତର ମଣିନାଥପୁର, ବିନ୍ଧାଣ, ବରାହନୂଆପଡା, ଷୋଳମପୁର, ବିରୋଳି, ମୁଢ଼ାପଦା, ଚତୁର୍ଭୁଜପୁର, ସାରଣା, ଜଳହରୀ, ରାମପୁର, ଜାନଗଡିଆ, ମହିଷାଗଡିଆ, ବଡମାଳଦା, ସାନମାଳଦା, ବଡନପଙ୍ଗ, ନପଙ୍ଗ, ଭାଟଣା, ଜୋରାଗଡିଆ, ବାଙ୍କମୂହାଁ, ଗିଲପଦୀ, ଦେଉଳପଦୀ, ରାଢୋ, ନୌରଙ୍ଗପୁର, ରହଣିଆ, କେଶପୁର, ଷଠଗାଁ, ବନ୍ଦାଳୋ, ମଢ଼ିଆଳି, ବଳିପୁର, ଖପୁରିଆପଦା, ଝୁଟୁଣା, ଦାଦେଶ୍ୱର ଆଦି ଗ୍ରାମର ୩୧ହଜାର ଲୋକ ଓ ୭, ୫୦୦ ଗୃହପାଳିତ ପଶୁ ଜଳବନ୍ଦୀ ହୋଇଛନ୍ତି। ଏହି ସମସ୍ତ ଗ୍ରାମର ରାସ୍ତାଘାଟ ବନ୍ୟାଜଳରେ ବୁଡିରହି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହି ଅଞ୍ଚଳର ହଜାର ହଜାର ହେକ୍ଟର ଚାଷଜମି ମଧ୍ୟ ବନ୍ୟାଜଳରେ ଗତ ଆଠଦିନ ଧରି ବୁଡିରହି ଋଆ ଧାନ ଓ ଧାନତଳିକୁ ନଷ୍ଟ କରିପକାଇଛି। ବନ୍ୟା ଜଳ ପ୍ଳାବିତ ହେବା ଯୋଗୁଁ ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତରାସ୍ତାରେ ଯାତାୟତ ଠପ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ତହସିଲଦାର ସରୋଜକାନ୍ତ ନାୟକ ବନ୍ୟାପ୍ରବଣ ଅଞ୍ଚଳ ଗସ୍ତ କରିବା ସହ ଉଦ୍ଧାର ଓ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଥିବା ଜଣାଯାଇଛି। ବନ୍ଦାଳୋ-ମଢିଆଳି ସରପଞ୍ଚ ବିଶ୍ୱନାଥ ସାହୁ ଜିଲ୍ଲାପାଳଙ୍କୁ ବନ୍ୟାବସ୍ଥା ସମ୍ପର୍କରେ ସୂଚୀତ କରିଛନ୍ତି। ବିଜେପି ନେତା ବଦ୍ରୀନାରାୟଣ ଧଳ ବନ୍ୟାଞ୍ଚଳ ଗସ୍ତ କରି ବିପନ୍ନଙ୍କୁ ରିଲିଫ ପ୍ରଦାନ ପାଇଁ ଦାବି କରିଛନ୍ତି।