ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲ୍ଲାରେ ବନ୍ୟା ଦେଖା ଦେଇଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବୈତରଣୀ ନଦୀରେ ବହୁ ପରିମାଣରେ ଜଳ ଆସିବା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି । ଗତକାଲି ଠାରୁ ନଦୀର ଜଳପତ୍ତନରେ ବୃଦ୍ଧି ହେବାରେ ଲାଗିଛି । ଆଖୁଆପଦା ଠାରେ ନଦୀର ଜଳପତ୍ତନ ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ଆଜି ସନ୍ଧ୍ୟା ୬ଟା ବେଳକୁ ସେଠାରେ ଜଳପତ୍ତନ ୨୦.୦୪ମିଟର ରହିଥିଲା । ତେବେ ଆନନ୍ଦପୁର ଠାରେ ନଦୀର ଜଳପତ୍ତନ ହ୍ରାସ ପାଉଥିବାରୁ ଏଠାରେ ମଧ୍ୟ କ୍ରମଶଃ ଜଳପତ୍ତନ ହ୍ରାସ ଘଟିବା ଅନୁମାନ କରାଯାଉଛି । ଆଜି ବନ୍ୟା ସ୍ଥିତି ଅନୁଧ୍ୟାନ ପାଇଁ ଜିଲ୍ଲାପାଳ ବନ୍ୟାଞ୍ଚଳ ଯାଇ ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳ ଡ. ଜ୍ଞାନ ଦାସ, ଭଣ୍ଡାରିପୋଖରୀ ବନ୍ୟା ପରିଚାଳନା ଦାୟିତ୍ୱରେ ଥିବା ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଭଣ୍ଡାରିପୋଖରୀ ତହସିଲଦାର, ସ୍ଥାନୀୟ ପୁଲିସ ଏହି ବ୍ଳକର ମାଳଦା ପଞ୍ଚାୟତକୁ ଯାଇ ବନ୍ୟା ଘେରରେ ଥିବା ପଞ୍ଚାୟତର ୫ଟି ଗ୍ରାମବାସୀଙ୍କ ଅବସ୍ଥା ପଚାରି ବୁଝିଥିଲେ । ସେହିଭଳି ଜିଲ୍ଳାପାଳ ଡ. ଦାସ ଧାମନଗର ବ୍ଳକର ଦୋବଲ ପଞ୍ଚାୟତ ପରିଦର୍ଶନରେ ଯାଇ ସେଠାରେ ବୁଡି ଯାଇଥିବା ଗେଙ୍ଗୁଟି ନଦୀ ପୋଲର ସ୍ଥିତି ଅନୁଧ୍ୟାନ କରିଥିଲେ । ଉକ୍ତ ପୋଲ ଉପର ଦେଇ ଯାତାୟତକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବାକୁ ସ୍ଥାନୀୟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟାରେ ଭଣ୍ଡାରିପୋଖରୀ ବ୍ଳକର ୯ଟି ପଞ୍ଚାୟତର ୪୧ଟି ଗ୍ରାମ ପ୍ରଭାବିତ ହୋଇଥିବା ବେଳେ ଧାମନଗର ବ୍ଳକର ୨୦ଟି ପଞ୍ଚାୟତର ୭୨ଟି ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ପ୍ରଭାବିତ ପଞ୍ଚାୟତ ଗୁଡିକ ହେଲା ଭଣ୍ଡାରିପୋଖରୀ ବ୍ଳକର ମାଳଦା, ନପଙ୍ଗ, ଝୁଟଣା, ଷୋଳମପୁର, ରହଣିଆ, କୁରିଗାଁ, ବନ୍ଦାଳୋମଢିଆଳି, ବାଲିପୋଖରୀ, ରଂଜିତ ଏବଂ ଧାମନଗର ବ୍ଲକର ଆନନ୍ଦପୁର, ଖଡିପଦା, ଦୋବଲ, ସୋହଡା, କରଦା, ପଧାନୀ, ହସନାବାଦ, ତଳାଙ୍ଗ, ବୟାଙ୍ଗଡିହି, ନଦୀଗାଁ, ଭଟସାହି, ଅର୍ଜୁନପୁର, କୋଠାର, ରାଧାବଲ୍ଳଭପୁର, ରଇପୁର, ସାହାସପୁର, ଫତେପୁର, ଧୁଷୁରୀ, ବମକୁରା, ମୁସ୍ତାଫାପୁର । ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯିବା ପ୍ରକ୍ରିୟା ଜାରି ରହିଥିବା ବେଳେ ଭଣ୍ଡାରିପୋଖରୀରେ ଏନ୍ଡିଆର୍ଏଫ ଓ ଧାମନଗରେ ଓଡ୍ରାଫ୍ ଟିମ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।