Odiapua.com

ବୈତରଣୀରେ ବନ୍ୟା ପ୍ରକୋପ ହ୍ରାସ, ବହୁ ଗ୍ରାମ ଜଳବନ୍ଦୀ

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀ ଜଳସ୍ତର ସୋମବାର ସନ୍ଧ୍ୟା ୬ଟା ସୁଦ୍ଧା ଜଳସ୍ତର ବିପଦସଙ୍କେତ ୧୭.୮୩ମିଟର ତଳକୁ ଖସି ୧୭.୮୧ ମିଟରରେ ପ୍ରବାହିତ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଉପରମୁଣ୍ଡରେ ବର୍ଷା ହୋଇନଥିବା ଜଣାଯାଇଛି। ନଦୀରେ ଜଳପତ୍ତନ ହ୍ରାସ ପାଇଥିଲେ ମଧ୍ୟ କଣ୍ଟିଘାଇ ମଧ୍ୟଦେଇ ପ୍ରବେଶ କରିଥିବା ବନ୍ୟାଜଳରେ ଷୋଳମପୁର, ମାଳଦା, ନପଙ୍ଗ, କୁରିଗାଁ, ରହଣିଆ ଆଦି ପଞ୍ଚାୟତର ବହୁଗ୍ରାମ ଜଳବନ୍ଦୀ ହୋଇଛି। ଏହି ସବୁ ପଞ୍ଚାୟତର ହଜାର ହଜାର ଲୋକ ଓ ଗୃହପାଳିତ ପଶୁ ଜଳବନ୍ଦୀ ହୋଇଛନ୍ତି। ବିଭିନ୍ନ ଗ୍ରାମର ରାସ୍ତାଘାଟ ବନ୍ୟାଜଳରେ ବୁଡିରହି ଥିବାରୁ ଯୋଗାଯୋଗ ସ୍ୱାଭାବିକ ହୋଇପାରି ନାହିଁ। ଏହି ଅଞ୍ଚଳର ହଜାର ହଜାର ହେକ୍ଟର ଚାଷଜମି ଓ ପନିପରିବା ଚାଷ ବନ୍ୟାଜଳରେ ଗତ ଆଠଦିନ ଧରି ବୁଡିରହିଛି। ବନ୍ୟା ଜଳ ହ୍ରାସ ପାଇଥିବାରୁ ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତରାସ୍ତାରେ ଯାତାୟତ ସ୍ୱାଭାବିକ ହୋଇଛି। ଜଳନିଷ୍କାସନରେ ବିଳମ୍ବ ହେଉଥିବାରୁ ଚାଷବାସ ବିଶେଷ ଭାବେ ପ୍ରଭାବିତ ହୋଇଛି। ସ୍ୱଳ୍ପଦିନ ଅନ୍ତରରେ ଦୁଇଟି ବନ୍ୟା କୃଷକମାନଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ପ୍ରଶାସନ ପକ୍ଷରୁ ବନ୍ୟାଞ୍ଚଳ ପ୍ରତି ସତର୍କ ଦୃଷ୍ଟ ରଖାଯାଇଛି।