ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀରେ ଚଳିତ ବର୍ଷ ପ୍ରଥମ ବନ୍ୟା ଜଳ ପ୍ରବେଶ କରିଛି। ଗତ ତିନିଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ଭଣ୍ଡାରିପୋଖରୀରେ ସର୍ବାଧିକ ୧୧୦ମିମି ବର୍ଷା ହୋଇଥିଲା। ଏହାଛଡା ନଦୀର ଉପରମୁଣ୍ଡ କେନ୍ଦୁଝର ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ଗତ ରବିବାର ରାତିରୁ ସୋମବାର ସକାଳ ଯାଏଁ ଆନନ୍ଦପୁର ଠାରେ ସର୍ବାଧିକ ୧୮୮ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି। ତେଣୁ ଏହି ବର୍ଷା ପ୍ରଭାବରେ ପାଣି ବୈତରଣୀରେ ଆସିବା ଫଳରେ ନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି। ଆଖୁଆପଦା ଆନିକଟ ଠାରେ ଧୀରେ ଧୀରେ ବନ୍ୟା ଜଳ ବୃଦ୍ଧି ପାଉଥିବା ବେଳେ ସୋମବାର ସନ୍ଧ୍ୟା ୫ଟା ସୁଦ୍ଧା ୧୮. ୨୦ମିଟର ଉପରେ ଜଳ ପ୍ରଭାବିତ ହେଉଥିବା ସୂଚନା ମିଳିଛି। ସ୍ଥାନୀୟ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଆନିକଟ ଠାରେ ପହଂଚି ସହକାରୀ ଯନ୍ତ୍ରୀ ପ୍ରଦୀପ୍ତ କୁମାର ଦାସ ଓ କନିଷ୍ଠ ଯନ୍ତ୍ରୀ ପରମାନନ୍ଦ ରାଉତଙ୍କ ସହିତ ବନ୍ୟା ପରିଚାଳନା ନେଇ ଆଲୋଚନା କରିଛନ୍ତି। ଲୋକମାନେ ଯେପରି ଅସୁବିଧାରେ ନପଡ଼ିବେ ତାହା ଉପରେ ଦୃଷ୍ଟି ଦେବାକୁ ବିଧାୟକ କହିଛନ୍ତି। ବଳିପୁର ଠାରୁ ଆରମ୍ଭ କରି ମଣିନାଥପୁର ଯାଏଁ ନଦୀବନ୍ଧର ଦୁର୍ବଳ ସ୍ଥାନ ଗୁଡିକୁ ଚିହ୍ନଟ କରିବା ସହିତ ଏହା ଉପରେ ତୀକ୍ଷ୍ଣ ନଜର ରଖିବାକୁ ଶ୍ରୀ ମଲ୍ଲିକ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।। ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ହରେକୃଷ୍ଣ ବେହେରା, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଣବ ପ୍ରକାଶ ନାୟକ, ଅଧିକ୍ଷଣ ଯନ୍ତ୍ରୀ ସଞ୍ଜୀବ ସାମଲ ପ୍ରମୁଖ ଆଖୁଆପଦା କାର୍ଯ୍ୟାଳୟରେ ଉପସ୍ଥିତ ରହି ବନ୍ୟା ଜଳ ପରିଚାଳନା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ବର୍ଷା ରେକର୍ଡ ଅନୁଯାୟୀ ବଡ ଧରଣର ବନ୍ୟା ଆଶଙ୍କା ନଥିବା ସୂଚନା ମିଳିଛି।