ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ୟା ବିଭୀଷିକା ରୁ ମୁକ୍ତି ଦେବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ମାତ୍ର ଧାମନଗର ଜଳସେଚନ ବିଭାଗର କିଛି ଅଧିକାରୀ ଓ ଲାଭଖୋର ଠିକାଦାରଙ୍କ ପାଇଁ ଏହା ଏବେ ‘ଦୁର୍ନୀତିର ଚରାଭୂଇଁ’ ପାଲଟିଛି। ଫଳପୁର କଣ୍ଡୀଆ ନଦୀର ବେଲଗଣ୍ଡ ଠାରେ ଚାଲିଥିବା ପଥର ଚଟାଣ ନିର୍ମାଣ କାର୍ଯ୍ୟରେ ସ୍ୱଚ୍ଛତାକୁ ଜଳାଞ୍ଜଳି ଦିଆଯାଇ କେବଳ ପକେଟ୍ ଗରମ କରିବାର ଅଭିସନ୍ଧି ରଖାଯାଇଛି।ସରକାରୀ ନିୟମ ଅନୁଯାୟୀ, ଅନ୍ୟ ସ୍ଥାନରୁ ମାଟି ଆଣି ବନ୍ଧ ପ୍ରସ୍ତୁତ ପୂର୍ବକ ପଥର ଚଟାଣ କରାଯିବାର ବିଧି ରହିଛି। କିନ୍ତୁ ଏଠାରେ ନଦୀ କୂଳରୁ ହିଁ ମାଟି ଖୋଳି ବନ୍ଧ ରେ ମାଟି ପକାଯାଉଛି। ଫଳରେ ନଦୀ ବନ୍ଧ ନିର୍ମାଣ ନୁହେଁ, ବରଂ ନଦୀର ସୁରକ୍ଷା ବଳୟକୁ ଅତି ଦୁର୍ବଳ କରାଯାଉଛି। ପ୍ରଥମ ବନ୍ୟା ବନ୍ଧ ଧୋଇଯିବା ଏକ ପ୍ରକାର ନିଶ୍ଚିତ। ପ୍ରକଳ୍ପର ମୂଲ୍ୟ କେତେ। କାର୍ଯ୍ୟର ସ୍ଥାୟିତ୍ୱ କେତେ ଦିନ। ଏହା ଜାଣିବାର ଅଧିକାର ଜନସାଧାରଣଙ୍କର ରହିଛି। ମାତ୍ର ଦୁର୍ନୀତିର ଗନ୍ଧ ଯେମିତି ବାହାରକୁ ନଆସୁ, ସେଥିପାଇଁ ସୂଚନା ଫଳକକୁ ଜାଣିଶୁଣି ଠିକାଦାର କାର୍ଯ୍ୟ ସ୍ଥଳରେ ଲଗାଇ ନାହାଁନ୍ତି। କାର୍ଯ୍ୟସ୍ଥଳରେ ନା ଅଛନ୍ତି ଯନ୍ତ୍ରୀ, ନା ଦେଖା ମିଳୁଛି ଠିକାଦାରଙ୍କର। କେବଳ ଶ୍ରମିକଙ୍କ ଭରସାରେ କୋଟିଏ ଟଙ୍କାର କାମ ଚାଲିବା କେଉଁ ପ୍ରକାର ଶାସନ ବୋଲି ପ୍ରଶ୍ନ ଉଠୁଛି। ବେଲଗଣ୍ଡ ରୁ ବନ୍ୟା ଜଳ ମାଡ଼ିଆସିଲେ ଭଟସାହୀ, କୋଠାର ଓ ବୟାଙ୍ଗଡିହୀ ଭଳି ପଂଚାୟତର ଚାଷୀ କୂଳ ହାହାକାର କରନ୍ତି। ଲୋକଙ୍କ ଘରଦ୍ୱାର ଓ ରାସ୍ତାଘାଟ ନଷ୍ଟ ହୁଏ। ସରକାର ଏହାର ସ୍ଥାୟୀ ପ୍ରତିକାର ପାଇଁ ଅଂଟା ଭିଡ଼ିଥିବା ବେଳେ ବିଭାଗୀୟ ଦୂରଦୃଷ୍ଟିର ଅଭାବ ଓ ଅସାଧୁ ବ୍ୟକ୍ତି ଙ୍କ ଗୁପ୍ତ ବୁଝାମଣା ଯୋଗୁଁ ସାଧାରଣ ଲୋକେ ବଳି ପଡ଼ିବାକୁ ଯାଉଛନ୍ତି।ଏ ସମ୍ପର୍କ ରେ ଯନ୍ତ୍ରୀ ବିମଳ ବେହେରାଙ୍କୁ ପଚାରିବାରୁ ସେ ଏହାକୁ “ସାଧାରଣ ପ୍ରକ୍ରିୟା” କହି ଏଡ଼ାଇ ଯାଉଥିବା ବେଳେ, ବନ୍ୟା ପରେ ପୁଣି କାମ ହେବ ବୋଲି କହିଛନ୍ତି ।ଯଦି ବିଭାଗୀୟ ଅଧିକାରି ଓ ଜିଲ୍ଲା ପ୍ରଶାସନ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନକରନ୍ତି, ତେବେ କୋଟିଏ ଟଙ୍କାର ସରକାରୀ ପାଣ୍ଠି ପାଣିରେ ପଡ଼ିବ ଏବଂ ହଜାର ହଜାର ଚାଷୀ ସର୍ବସ୍ୱାନ୍ତ ହେବେ।