Odiapua.com

ବେନିୟମ ଭାବେ ୧୦ଶ୍ରେଣୀ ପରିକ୍ଷା ହଲରେ ଭାଷା ଶିକ୍ଷକ ନିଯୁକ୍ତି, ଅଭିଯୋଗ ପରେ ବିଡ଼ିଓଙ୍କ ତଦନ୍ତ ଶୂନ, ଅଭିଭାବକ ମହଲରେ ଅସନ୍ତୋଷ ବୃଦ୍ଧି

ହରିଚନ୍ଦନପୁର, ତା ୦୨ ମାର୍ଚ୍ଚ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିକ୍ଷା କେନ୍ଦ୍ର ନଂ ୧୧୨ସିସି ଚାଲିଥିବା ୧୦ଶ୍ରେଣୀ ବୋର୍ଡ ପରୀକ୍ଷାରେ ବେନିୟମ ଭାବେ ଭାଷା ଶିକ୍ଷକ ନିଯୁକ୍ତି(ପରିକ୍ଷକ)କୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି । ସୂଚନା ମୁତାବକ ଶିକ୍ଷାବିଭାଗ ବୋର୍ଡ଼ର ନିୟମ ଅନୁଯାୟୀ ପରିକ୍ଷା ହଲ ମଧ୍ୟରେ ଭାଷା ଅନୁସାରେ ଭାଷା ଶିକ୍ଷକ ନିଯୁକ୍ତି ନଦେବାକୁ ନିୟମ ରହିଥିବା ବେଳେ ତାହା ହରିଚନ୍ଦନପୁର ସରକାରୀ ବିଦ୍ୟାଳୟରେ ଖୋଲମ ଖୋଲା ଉହ୍ଲଂଘନ ହୋଇଥିବା ନଜରକୁ ଆସିଛି । ଯାହାକୁ ନେଇ ଅଭିଭାବକ ଓ ଜନସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

ମିଳିଥିବା ଖବର ଅନୁଯାୟୀ ହରିଚନ୍ଦନପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତ ଶୁକ୍ରବାର ଦିନ ଚାଲିଥିବା ବୋର୍ଡ ପରୀକ୍ଷାରେ ବିଜ୍ଞାନ ଭାଷା ପରିକ୍ଷାରେ ୧ ନମ୍ବର ହଲରେ ରେବଣାପଳାଶପାଳ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଭାଷା ଶିକ୍ଷକ ପ୍ରମୋଦ ମହାନ୍ତଙ୍କୁ ନିଯୁକ୍ତି ଦିଆଯାଇଥିବାର ଅଭିଯୋଗ ହୋଇଥିଲା । ଘଟଣାକୁ ନେଇ କେତେକ ଅଭିଭାବକ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅଭିଭାବକ ଅଭିଯୋଗକୁ ନେଇ ଜିଲ୍ଲାପାଳ ସ୍ଥାନୀୟ ବିଡ଼ିଓ ଉମାକାନ୍ତ ନାୟକଙ୍କୁ ଘଟଣାର ତଦନ୍ତ ଭାର ପ୍ରଦାନ କରିଥିଲେ । ହେଲେ ବିଡ଼ିଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁଃଶାସନ ମହାନ୍ତଙ୍କ ସହ ସଲାସୁତରା ହୋଇ ଭୁଲ ତଥ୍ୟ ପ୍ରଦାନ କରିଥିବାର ଅଭିଭାବକଙ୍କ ମହଲରେ ଚର୍ଚ୍ଚା ଯୋର୍ ଧରିଛି ।

ଅଭିଭାବକ ଅଭିଯୋଗ ଅନୁଯାୟୀ କାହା ନିର୍ଦ୍ଦେଶ ଏବଂ କେଉଁ ଉଦ୍ଦେଶ୍ୟରେ ପ୍ରଧାନ ଶିକ୍ଷକ ପରିକ୍ଷା ହଲରେ ମଧ୍ୟରେ ଭାଷା ଶିକ୍ଷକ ନିଯୁକ୍ତି ପାଇଁ ଅନୁମତି ଦେଇଥିଲେ । ପରିକ୍ଷା ହଲରେ ସିସିଟିଭି କ୍ୟାମେରା ସହ ରେଜିଷ୍ଟ୍ରାର ମେଣ୍ଟେନ ଓ ଛାତ୍ରଛାତ୍ରୀଙ୍କ ପରିକ୍ଷା ଖାତାରେ ଶିକ୍ଷକଙ୍କ ଦସ୍ତଖତ ଥିବା ବେଳେ ବିଡ଼ିଓଙ୍କ ତଦନ୍ତ ଶୂନକୁ ନେଇ ଅଭିଭାବକ ଓ ଶିକ୍ଷାବିତ ମହଲରେ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି । ଏଥିପ୍ରତି ଜିଲ୍ଲାପାଳ ଓ ଶିକ୍ଷାବିଭାଗ ବୋର୍ଡର ଉଚ୍ଚ କତୃପକ୍ଷ ଦୃଷ୍ଟି ଦେଇ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକ ଓ ଅଞ୍ଚଳବାସୀଙ୍କ ଦାବି ହୋଇଛି ।