Odiapua.com

ବେଦାନ୍ତ ଫେକର ଦାବି ପୂରଣ ନକଲେ ଆନ୍ଦୋଳନ ନିଶ୍ଚିତ – ନଳିନୀ

ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରାନ୍ଦିଆସ୍ଥିତ ବେଦାନ୍ତ ଫେକର କମ୍ପାନୀର ବିଭିନ୍ନ ଅନିୟମିତତା ଦ୍ୱାରା ୧୦ କି.ମି. ପରିଧି ମଧ୍ୟରେ ବସବାସ କରୁଥିବା ଅଂଚଳବାସୀଙ୍କ ପ୍ରତି ବହୁ ବିପଦ ଟାଣିଆଣୁଛି । ପ୍ରତିକାର ସ୍ୱରୂପ ବେଦାନ୍ତ କର୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଆଖପାଖ ଅଂଚଳବାସୀ ଅସ୍ତବ୍ୟସ୍ତ ହୋଇପଡିଲେଣି । ଫେକରକୁ ଆସୁଥିବା ଓ ଯାଉଥିବା ମାଲବାହି ଟ୍ରକ, ଟିପର ଦ୍ୱାରା ଉଡୁଥିବା ଧୂଳିଧୂଆଁ ଦ୍ୱାରା ପରିବେଶ ଦୂଷିତ ହେବା ସହିତ କୋମଳମତି ଶିଶୁମାନଙ୍କର ବିଭିନ୍ନ ଚର୍ମରୋଗ ସୃଷ୍ଟି ହେଉଛି । ବୟସ୍କ ଲୋକଙ୍କ ଶ୍ୱାସ ଜନିତ ସମସ୍ୟା ସୃଷ୍ଟି ହେଉଛି । ଧୂଳି ଉଡିବା ଦ୍ୱାରା ୧୦ କି.ମି. ପରିଧିରେ ରହୁଥିବା ଘରଗୁଡିକ ଛାତ ଉପରେ ଧୂଳିର ଆସ୍ତରଣ ଜମିରହୁଛି । ଅତ୍ୟଧିକ ଧୂଳ ଉଡିବା ଦ୍ୱାରା ପରିବେଶ ଦୂଷିତ ହେଉଛି । ଫେକରରୁ ବାହାରୁଥିବା କର୍କଷ ଧ୍ୱନି ଶବ୍ଦ ପ୍ରଦୂଷଣ କରୁଥିବା ସହିତ ଅଂଚଳବାସୀଙ୍କ ମାନସିକ ଯନ୍ତ୍ରଣା ବଢାଉଛି । ସେହିପରି ବେଦାନ୍ତ ସାଳନ୍ଦୀ ନଦୀରୁ ବୋରୱଲ ଓ ପାଇପ ଦ୍ୱାରା ବହୁମାତ୍ରାରେ ପାଣି ନେଇଯାଇଥିବାରୁ ନଦୀ ଅଧିକାଂଶ ସମୟରେ ଶୁଖିଲା ରହୁଛି ଏବଂ ନଦୀ ଉପରେ ନିର୍ଭର କରୁଥିବା ଅଂଚଳବାସୀ ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କମ୍ପାନୀର ଏତାଦୃଶ ଓ ଅନେକ ଅନିୟମିତତା କାର୍ଯ୍ୟକଳାପ ପାଇଁ ୧୦ କି.ମି. ପରିଧି ମଧ୍ୟରେ ରହୁଥିବା ଅଂଚଳବାସୀ ବିଭିନ୍ନ ଯନ୍ତ୍ରଣା, ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେଣୁ ସାଧାରଣ ଲୋକଙ୍କର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଭଦ୍ରକ ନିର୍ବାଚନ ମଣ୍ଡଳୀ କଂଗ୍ରେସ ତରଫରୁ ୧୩ ଦଫା ଦାବି ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଆହୂତ ହୋଇଥିଲା । ଦରବୀ ଗୁଡ଼ିକ ମଧ୍ୟରେ ୧୦ କି.ମି. ମଧ୍ୟରେ ଥିବା ସମସ୍ତ ଘରକୁ ମାଗଣା ବିଦ୍ୟୁତ ସେବା ଦିଆଯାଉ ।

୧୦ କି.ମି. ମଧ୍ୟରେ ଥିବା ସମସ୍ତ ବୟସ୍କ ଲୋକଙ୍କର ମାଗଣା ଶ୍ୱାସ ଜନିତ ଚିକିତ୍ସା କରିବା ସହିତ ଛୋଟ ପିଲାମାନଙ୍କ ଚର୍ମରୋଗ ଚିକିତ୍ସା କରିବା ସହିତ ମାଗଣା ଔଷଧ ଦିଆଯାଉ । ୧୦ କି.ମି. ପରିଧି ଅଂଚଳରେ ଅବସ୍ଥିତ ଲୋକମାନଙ୍କର ନିୟମିତ ୨ ବର୍ଷରେ ଦୁଇଥର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉ । ୧୦ କି.ମି ମଧ୍ୟରେ ଯେଉଁମାନଙ୍କୁ ଆଉଟସୋର୍ସିଙ୍ଗ ମଧ୍ୟରେ ନିଯୁକ୍ତି ଦିଆଯାଇଛି ତାଙ୍କୁ ତୁରନ୍ତ ସ୍ଥାୟୀ ନିଯୁକ୍ତି ଦିଆଯାଉ । ଆଂଚଳିକ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଯୋଗ୍ୟତା ଆଧାରରେ ନିଯୁକ୍ତି ଦିଆଯାଉ । ବେଦାନ୍ତ ତରଫରୁ ବ୍ୟକ୍ତିଗତ ସ୍ଥାୟୀ ଆମ୍ବୁଲାନ୍ସ ସେବା ଓ ଚିକିତ୍ସାଳୟ ସ୍ଥାପିତ କରାଯାଉ । ମାଗଣା ସ୍ୱାସ୍ଥ୍ୟ ସେବା ସମସ୍ତ କର୍ମଚାରୀ ଓ ଶ୍ରମିକଙ୍କୁ ଯୋଗାଇ ଦିଆଯାଉ । ଫେକରରୁ ବାହାରୁଥିବା ପାଉଁଶ ରାଜନୈତିକ ଆଧାରରେ ବଂଟା ନଯାଇ ଆସୋସିଏସନ ମାଧ୍ୟମରେ ଉପଯୁକ୍ତ ବିତରଣ କରାଯାଉ । ବେଦାନ୍ତ କମ୍ପାନିର ସମସ୍ତ କାର୍ଯ୍ୟକୁ ଟେଣ୍ଡର ମାଧ୍ୟମରେ ସ୍ୱଚ୍ଛତା ଅବଲମ୍ବନ କରି ଦିଆଯାଉ, କିଛି ବ୍ୟକ୍ତିଗତ ଗୁଣ୍ଡାମାନଙ୍କୁ ଠିକାଦାର କାମ ଦେଇ ଗୁଣ୍ଡାରାଜ ସୃଷ୍ଟି କରାନଯାଉ ଏବଂ ବେଦାନ୍ତ ଗୁଣ୍ଡାମାନଙ୍କ ସରର୍ଦାର ନ ସାଜୁ । ବେଦାନ୍ତ ଦ୍ୱାରା ଅତ୍ୟଧିକ ପରିବେଶ ପ୍ରଦୂଷଣ ହେଉଥିବାରୁ ଉପଯୁକ୍ତ ସରକାରୀ ଜାଗାରେ ବୃକ୍ଷରୋପଣ କରାଯାଉ । ୧୦ କି.ମି. ପରିଧି ମଧ୍ୟରେ ସମସ୍ତ ଆଂଚଳିକ ସ୍କୁଲ ପିଲାମାନଙ୍କର ସ୍କୁଲ ଫି ସମ୍ପୂର୍ଣ୍ଣ ଛାଡ କରାଯାଉ । ବେଦାନ୍ତ ନିଜସ୍ୱ ବୈଷୟିକ କଲେଜ ପ୍ରତିଷ୍ଠାକରି ଆଂଚଳିକ ଛାତ୍ରଛାତ୍ରୀମାନଙ୍କୁ ଟ୍ରେନିଙ୍ଗ ଦେଇ ନିଯୁକ୍ତି ଦେଉ ।

ସାଳନ୍ଦୀ ନଦୀରୁ କେତେ ପରିମାଣର ପାଣି ନେଉଛି ଏବଂ କେତେ ନେବାପାଇଁ ଅନୁମତି ଅଛି ତାକୁ ସାର୍ବଜନୀନ କରୁ ଏବଂ ସାଳନ୍ଦୀ ସୁରକ୍ଷା ଯୋଜନାରେ ଅର୍ଥ ବିନିଯୋଗ କରୁ । ସାଳନ୍ଦୀ ନଦୀରେ ମାଛ ଯାଆଁଳ ଛାଡୁ । ଯଦି ଉପରୋକ୍ତ ନ୍ୟାର୍ଯ୍ୟ ଦାବିଗୁଡିକୁ ବେଦାନ୍ତ କର୍ତ୍ତୃପକ୍ଷ ୧୫ଦିନ ମଧ୍ୟରେ ନ ମାନନ୍ତି ତାହେଲେ ପ୍ରଥମ ପର୍ଯ୍ୟାୟରେ ବନ୍ତ ଛକଠାରେ ଫେକରକୁ ଆସୁଥିବା ଗାଡିଗୁଡିକୁ ଅଟକାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ୧୦ କି.ମି. ପରିଧି ମଧ୍ୟରେ ରହୁଥିବା ଲୋକମାନଙ୍କର ଦସ୍ତଖତ ଅଭିଯାନ କରାଯିବ ଓ ବେଦାନ୍ତ ଫାଟକ ସମ୍ମୁଖରେ ଧାରଣା ଦିଆଯିବ ସର୍ବଶେଷରେ ତୃତୀୟ ପର୍ଯ୍ୟାୟରେ ବେଦାନ୍ତ ଗେଟରେ ତାଲା ପକାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ବିଧାନସଭା କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତି ଚେତାବନୀ ଦେଇଛନ୍ତି । ଏହି ସମ୍ମିଳନୀରେ ପୂର୍ବତନ ଜିଲ୍ଲା ସଭାପତି ସୁବ୍ରତ ଦାସ, ଅବଦୁଲ ମୁକିତ ଖାଁ, ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ଦାସ, ଯୁବ କଂଗ୍ରେସ ଜିଲ୍ଲା ସଭାପତି ହେମନ୍ତ ମହାପାତ୍ର, ଛାତ୍ର କଂଗ୍ରେସ ସଭାପତି ସାହିଲ କାଦ୍ରୀ, ଏସ୍‌ସି ସେଲ ସଭାପତି ରଞ୍ଜନ ଜେନା, ରାଜନ ଲାହା, ସତ୍ୟ ପୁହାଣ, ବିଜୟ ବାରିକ, କାଉନସିଲର ଏନାମୁଲ ହକ୍‌, ନେଭିର ଖାଁ, ଟୋନି ଅଲି ପ୍ରମୁଖ ଯୋଗ ଦେଇଥିଲେ ।