Odiapua.com

ବେଦଧ୍ୱନୀରେ ପ୍ରକମ୍ପିତ ହେଲା ସିଂହଦ୍ୱାର

ପୁରୀ, ୧୫/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ବେଦପାଠରେ ପ୍ରକମ୍ପିତ ହୋଇଛି ସିଂହଦ୍ୱାର। ବଡ଼ଦାଣ୍ଡର ଆଧ୍ୟାତ୍ମିକ ପରିବେଶ ଦ୍ୱିଗୁଣିତ ହୋଇଛି। ରବିବାର ମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଶ୍ରୀପୁରୁଷୋତମ ପ୍ରାର୍ଥନା। ଅରୁଣସ୍ତମ୍ଭ ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନରୁ କାର୍ଯ୍ରକ୍ରମ ଶୁଭାରମ୍ଭ କରାଯାଇଛି। ଶୁଭଶଙ୍ଖଧ୍ୱନୀରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ନାମ ସଂକୀର୍ତନରେ ଶେଷ ହୋଇଛି। ଜିଲାପାଳ ତତା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ବଲୱନ୍ତ ସିଂହ ଏବଂ ଝାଞପିଟା ମଠ ମହନ୍ତ ବାବା ସଚ୍ଚିଦାନନ୍ଦ ଦାସ କାର୍ଯ୍ୟକ୍ରମ ଉଦ୍ ଘାଟନ କରିଛନ୍ତି। ବେଦ ପାଠଶାଳା ଛାତ୍ରଛାତ୍ରୀଙ୍କ ସମୂହ ବେଦପାଠ ସମବେତ ଜନତାଙ୍କୁ ମନ୍ତ୍ରମୁଗ୍ଧ କରିଛି। ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ଶ୍ରୀଜଗନ୍ନାଥାଷ୍ଟକମ୍ ପାଠ କରିଥିବା ବେଳେ ନବପ୍ରତିଭା ଅନୁଷ୍ଠାନ ପକ୍ଷରୁ ଓଡ଼ିଶୀ ନୃତ୍ୟରେ ଶୀଜୟଦେବଙ୍କ ରଚିତ ଗୀତଗୋବିନ୍ଦ ପରିବେଷର କରାଯାଇଛି। ବାବା ସଚ୍ଚିଦାନନ୍ଦ ଦାସ ମହାରାଜ ଶ୍ରୀମଦ୍ ଭାଗବତଗୀତାର ଦୁଇଯି ଶ୍ଳୋକ ପାଠ କରିବା ସହ ତାହାର ବ୍ୟାଖ୍ୟା କରିଥିଲେ। ଗବେଷକ ଡ଼ଃ ନରେଶ ଚନ୍ଦ୍ର ଦାଶଙ୍କ ସମେତ ଉପସ୍ତିତ ଭକ୍ତଙ୍କ ଦ୍ୱାରା ସାମୂହିକ ପ୍ରାର୍ଥନା କରାଯାଇଥିଲା। ଡ଼େଲାଙ୍ଗ ସଂକୀର୍ତନ ମଣ୍ଡଳୀ ଏବଂ ରାଧାମୋହନ ବିଶୋଇଙ୍କ ଦଳ ନାମ ସଂକୀର୍ତନ ପରିବେଷର କରିଥିଲେ। ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦୁର୍ଗାମାଧବ କର ଏବଂ ତାଙ୍କ ସହଯୋଗୀଙ୍କ ଦ୍ୱାରା ଚିତ୍ର ଅଙ୍କନ କରାଯାଇଥିଲା। ମହିଳା ସ୍ୱୟଂସହାୟକ ଗୋଷ୍ଠୀ ପକ୍ଷରୁ ସିଂହଦ୍ୱାର ସମ୍ମୁଖ ବଡ଼ଦାଣ୍ଡରେ ଆକର୍ଷଣୀୟ ରଙ୍ଗୋଲି କରାଯାଇଥିଲା। ଶ୍ରୀଜଗନ୍ନାଥ ଯୋଗ ବେଦାନ୍ତ କେନ୍ଦ୍ରର ଶିକ୍ଷାର୍ଥୀମାନେ ଯୋଗ ଓ ପ୍ରାଣାୟମ ପ୍ରଦର୍ଶନ କରିଥିଲେ। ଶ୍ରୀମନ୍ଦିର ପ୍ରଶାସକ (ନୀତି) ଜୀତେନ୍ଦ୍ର କୁମାର ସାହୁ, ଉପଜିଲାପାଳ ଭବତାରଣ ସାହୁଙ୍କ ସମେତ ଶ୍ରୀମନ୍ଦିର ପରିଚାଳନା କମିଟିର ସଭ୍ୟମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀ ଳକ୍ଷ୍ମୀଧର ପୂଜାପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶ୍ରୀଜଗନ୍ନାଥ ସଂସ୍କଅତିର ବ୍ୟାପକ ପ୍ରଚାର ପସାର ଏବଂ ଶ୍ରୀକ୍ଷେତ୍ରର ଆଧ୍ୟାତ୍ମିକ ପରିବେଶ ଅକ୍ଷୁର୍ଣ୍ଣ ରଖିବା ପାଇଁ ଶ୍ରୀପୁରୁଷୋତମ ପ୍ରାର୍ଥନା କାର୍ଯ୍ୟକ୍ରମ ଆଯୋଜନ କରାଯାଇଥିବା ଜିଲାପାଳ ଶ୍ରୀ ସିଂହ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିର ପୂରୋହିତ ପଦ୍ମନାଭ ମହାପାତ୍ର, ନେବଳଦାସ ମଠମହନ୍ତ ଡ଼ଃରାମଚରଣ ଦାସ, ପୂର୍ବତନ ପରିଚାଳନା କମିଟି ସଭ୍ୟ ଇଂ ବଳଦେବ ସିଂହାରୀ ପ୍ରମୁଖ ଶ୍ରୀପୁରୁଷୋତମ ପ୍ରାର୍ଥନାରେ ଅଂଶଗ୍ରହଣ କରିଥିଲେ। ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ଆଯୋଜିତ ଏହି କାର୍ଯ୍ୟକ୍ରମ ଦେଖିବାକୁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଭିଡ଼ ହୋଇଥିଲା। ଶ୍ରୀଜଗନ୍ନାଥଙ୍କ ଲୀଳା ଏବଂ ଶ୍ରୀକ୍ଷେତ୍ର ଐତିହ୍ୟ ସମ୍ପର୍କରେ ଜାଣିବାକୁ ସେମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ପରିଲକ୍ଷିତ ହେଇଥିଲା। ଏଣିକି ପ୍ରତ୍ୟେକ ରବିବାର ସକାଳ ୬ଟା୩୦ରୁ ୮ଟା ପର୍ଯ୍ୟନ୍ତ ସିଂହଦ୍ୱାର ସମ୍ମୁଖରେ ସାମୂହିକ ଭଜନ, ନାମସଂକୀର୍ତନ, ଶ୍ରୀମଦ୍ ଭାଗବତଗୀତା ପାଠ, ଓଡ଼ିଶୀ ନୃତ୍ୟ. ଶ୍ରୀଗୀତଗୋବିନ୍ଦ ଉପରେ ଆଧାରିତ ବିଭିନ୍ନ କରର୍ଯ୍ରକ୍ରମ ଆଯୋଜନ କରିବାକୁ ମନ୍ଦିର ପ୍ରଶାସନ ସ୍ଥିର କରିଛି। ଦେଶର ପ୍ରମୁଖ ପର୍ଯ୍ୟଟନ ଏବଂ ତୀର୍ଥସ୍ଥାନ ପୁରୀ ସହରରେ ଆଧ୍ୟାତ୍ମିକ ଭାବ ଜାଗରଣ ଉଦେଶ୍ୟରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଜିଲାପାଳ ଶ୍ରୀ ସିଂହ ପ୍ରକାଶ କରିଛନ୍ତି।