Odiapua.com

ବେତଡା ବଜାରର ଗହଣା ଦୋକାନରୁ ଲୁଟ୍, ବାଇକ୍‌ରେ ଆସି ଲୁଟିନେଲେ ୧ କେଜି ସୁନାଗହଣା ଭର୍ତ୍ତି ବ୍ୟାଗ୍

ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏହି ଜିଲାର ବାସୁଦେବପୁର ଅନ୍ତର୍ଗତ ବେତଡା ବଜାରସ୍ଥିତ ଏକ ଜୁଏଲାରୀ ଦୋକାନରୁ ଲୁଟେରମାନେ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଏ ନେଇ ଦୋକାନୀ ଜଣକ ସ୍ଥାନୀୟ ଥାନାରେ ଏତଲା ଦେବା ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାପ୍ତ ସୂଚନା ଅନୁସାରେ ତୁଳମତୁଳାର ସତ୍ୟାନନ୍ଦ ସାହୁଙ୍କ ପୁଅ ତାରାକାନ୍ତ ତାଙ୍କର ବେତଡା ବଜାରସ୍ଥିତ କାଶୀଶ୍ୱର ଜୁଏଲାରୀକୁ ପ୍ରତିଦିନ ଭଳି ଆଜି ଆସି ପହଞ୍ଚିଥିଲେ। ଆସିବା ପରେ ଘରୁ ଆଣିଥିବା ସୁନା ଅଳଙ୍କାର ବ୍ୟାଗକୁ ଦୋକାନ ଖୋଲି ସୋ କେଶ୍ ଉପରେ ରଖିଥିଲେ। ଠାକୁର ପୂଜା ନିମନ୍ତେ ଏଥିରେ ରଖିଥିବା ଫୁଲ କାଢିଥିଲେ। ପରେ ଦୋକାନକୁ ଲାଗିଥିବା ୱାର୍କସପ୍‌କୁ ଶୋ କେଶ୍ ଚାବି ଆଣିବାକୁ ଯାଇଥିବାବେଳେ ଦିନ ପ୍ରାୟ ୧୨.୩୦ ସମୟରେ ତାଙ୍କ ଉପରେ ନଜର ରଖିଥିବା ଲୁଟେରା ପ୍ରାୟ ୧ କେଜି ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗ୍‌ଟିକୁ ବାଇକ୍‌ରେ ଆସି ଲୁଟି ନେଇଛନ୍ତି। ଏହି ସମୟରେ ସୁନା ଦୋକାନୀ ତାରାକାନ୍ତଙ୍କ ସାନଭାଇ କାମିନୀକାନ୍ତ ଲୁଟେରାମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ସେମାନେ ତାକୁ ଆକ୍ରମଣ କରି ବାଇକରେ କେଉଁଆଡେ ଚମ୍ପଟ ହୋଇଯାଇଥିଲେ। ଏବେ କାମିନୀକାନ୍ତ ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ହେଉଥିବାର ଜଣାପଡିଛି। ଏତଲା ପାଇବା ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ସ୍ଥାନୀୟ ଅଂଚଳରେ କୋକୁଆଭୟ ପରିସ୍ଥିତି ସୃଷ୍ଟି ହୋଇଛି।