Odiapua.com

ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନ୍ତର୍ଗତ ମେଧାବୀ ଛାତ୍ରୀ ମାନଙ୍କ ନିମନ୍ତେ ଅଭିନନ୍ଦନ କାର୍ଯ୍ୟକ୍ରମ

ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ସଂସ୍କୃତି ଭବନଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଭଦ୍ରକ ଆନୁକୂଲ୍ୟରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନ୍ତର୍ଗତ ମେଧାବୀ ଛାତ୍ରୀ ମାନଙ୍କ ନିମନ୍ତେ ଏକ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାର ୭ ଗୋଟି ବ୍ଲକ ଯଥା ବାସୁଦେବପୁର, ବନ୍ତ, ଭଣ୍ଡାରୀପୋଖରୀ, ଚାନ୍ଦବାଲି, ଭଦ୍ରକ, ଧାମନଗର ଓ ତିହିଡ଼ି ରୁ ୨୦୨୨-୨୩ ଶିକ୍ଷାବର୍ଷର ମେଟ୍ରିକ ପରୀକ୍ଷାରେ ବ୍ଲକ ସ୍ତରରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରଥମ ପାଞ୍ଚଜଣ ମେଧାବୀ ଛାତ୍ରୀଙ୍କୁ ନେଇ ମୋଟ ୩୫ ଜଣ ମେଧାବୀ ଛାତ୍ରୀଙ୍କୁ ଉପରୋକ୍ତ କାର୍ଯ୍ୟକ୍ରମ ଅଧିନରେ ସମ୍ବର୍ଦ୍ଧନା ଦିଆଯିବା ସହିତ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁମଙ୍ଗଳ ସମିତିର ଅଧ୍ୟକ୍ଷ ଡଃ ଦେବରାଜ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଦ୍ୟୁମ୍ନ ରାୟ ଶିଶୁ ମଂଗଳ ସମିତିର ସଦସ୍ୟା ଭାରତୀ ଦାଶ, ଡ଼ି.ପି.ସି. କାର୍ଯ୍ୟକାଳର ଶିକ୍ଷା ସଞ୍ଚାଳିକା ଇପ୍‌ସିତା ଜେନା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ପ୍ରମୁଖ ଯୋଗଦାନ କରି ନାରୀମାନଙ୍କର ଶିକ୍ଷାର ଉନ୍ନତି, ସରକାରୀ ପଦବୀରେ ନାରୀମାନଙ୍କର ଭୂମିକା, ଆର୍ଥିକ ସ୍ୱାବଲମ୍ବୀ ହେବା, ଲିଙ୍ଗଗତ ଭେଦଭାବ ଦୂରୀକରଣ ଓ ସମାଜରେ ନାରୀମାନଙ୍କର ଉଚ୍ଚତର ଭୂମିକା ଆଦି ବିଷୟରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଆନୁଷ୍ଠାନିକ ଅଧିକାରୀ ବିଶ୍ୱନାରାୟଣ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛାତ୍ରୀମାନଙ୍କର ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ, ଅଭିଭାବକମାନେ ମଧ୍ୟ ଯୋଗଦାନ କରି ନିଜ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଦ୍ୱାରା ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସ୍ୱାଗତିକା ବାରିକ, ଦମୟନ୍ତି ଦାଶ, ସୁବ୍ରତ ଦାଶ, ମହେଶ୍ୱର ଦାଶ, ଧୀରଜ କୁମାର ବାରିକ୍‌, ସୁଦର୍ଶନ ବାଦ୍ରା, ଚିନ୍ମୟ ପଣ୍ଡା ଓ ଶିଶୁ ଯତ୍ନ ଅନୁଷ୍ଠାନର ଭାଗ୍ୟଶ୍ରୀ ମହାକୁଡ଼, କାଦମ୍ୱିନି ଯେନା, ପ୍ରତିମା ବଳ, ସସ୍ମିତା ବାରିକ୍‌, ରିଆଜ ଅହମଦ୍ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ଏଥିସହିତ ଶାନ୍ତି ଆଶ୍ରମ, ମାନବ ସେବା କନ୍ୟା ଆଶ୍ରମ ଓ ଆସିଆନା ମୁକ୍ତାଶ୍ରୟର ଛାତ୍ରୀମାନେ ଯୋଗାଦନ କରି ଉତ୍ସାହ ପ୍ରଦାନ କରିଥିଲେ ।