Odiapua.com

ବେଙ୍ଗୁଲରରେ ମହିଳାଙ୍କୁ ହତ୍ୟା କରି ଫ୍ରିଜରେ ରଖିବା ଘଟଣା, ମହାଲକ୍ଷ୍ମୀ ଦ୍ୱାରା ନିର୍ଯ୍ୟାତିତ ହୋଇ ଶେଷରେ ତାକୁ ହତ୍ୟା କରିଥିଲା ମୁକ୍ତିରଂଜନ

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବେଙ୍ଗଲୋରରେ ମହାଲକ୍ଷ୍ମୀ ନାମକ ସ୍ୱାମୀ ପରିତ୍ୟକ୍ତା ମହିଳାକୁ ହତ୍ୟା କରି ଫ୍ରିଜ୍‌ରେ ରଖିବା ଘଟଣାର ମୁଖ୍ୟ ଅଭିଯୁକ୍ତ ଭଦ୍ରକର ମୁକ୍ତିରଂଜନ ଶେଷରେ ପୁଲିସ୍ ଭୟରେ ଆତ୍ମହତ୍ୟା କରିଥିବା ବିଷୟ ସେ ନିଜ ଲାପଟପରେ ଦେଇଥିବା ସୂଚନାରୁ ଜଣାପଡିଛି। ତେବେ ମହାଲକ୍ଷ୍ମୀକୁ ହତ୍ୟା କରିବା ମୂଳରେ ଯେଉଁ କାରଣ ରହିଛି, ସେ ତାହା ନିଜର ସାନଭାଇ ଶକ୍ତିରଂଜନଙ୍କୁ କହିଥିବା ବିଷୟ ଜଣାପଡିଛି। ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଓ ଆରଡି ଫାଣ୍ଡି ଅଧିନସ୍ଥ ଭୁଇଁପୁର ଗାଁର ପ୍ରତାପ ରାୟଙ୍କ ବଡପୁତ୍ର ମୁକ୍ତିରଞ୍ଜନ ରାୟ(୩୨) ଦୀର୍ଘବର୍ଷ ହେବ ବେଙ୍ଗଲୁରରେ ରହି ଆସୁଥିଲା। ହେଲେ ମଙ୍ଗଳବାର ଗାଁକୁ ଆସି ଘରେ କିଛି ସମୟ ରହିବା ପରେ ଭଦ୍ରକ ଯିବ ବୋଲି କହି ରାତିରେ ଘରୁ ସ୍କୁଟିରେ ପଳାଇଥିଲା। ଏଠାରେ ସୂଚନାଯୋଗ୍ୟ ବେଙ୍ଗଲୋରର ଏକ ଘରୋଇ କଂପାନୀରେ କାର୍ଯ୍ୟ କରୁଥିବା ମୁକ୍ତିରଂଜନ ସେଠାକାର ମହାଲକ୍ଷ୍ମୀ ନାମକ ଜଣକ ମହିଳାଙ୍କୁ ହତ୍ୟା କରି ୫୯ ଖଣ୍ଡ କରି ଫ୍ରିଜ୍‌ରେ ରଖି ଫେରାର ହୋଇ ଓଡ଼ିଶାର ବରହମପୁରରେ ବିଟିକେ୍ ପଢୁଥିବା ତାଙ୍କ ସାନଭାଇ ଶକ୍ତିରଂଜନ ନିକଟକୁ ପଳାଇଆସି ତା ମେସ୍‌ରେ ୧୦ଦିନ ହେବ ରହୁଥିଲା। ଏହି ରହିବା ମଧ୍ୟରେ ସେ ଶକ୍ତିରଂଜନକୁ କହିଥିବା ସୂଚନା ଅନୁସାରେ ନେପାଳ ନିବାସୀ ମହାଲକ୍ଷ୍ମୀ ନାମକ ମହିଳା ପୂର୍ବରୁ ବିବାହିତ ଥାଇ ତାର ଏକ କନ୍ୟା ସନ୍ତାନ ରହିଛି। ତେବେ ସେ ସ୍ୱାମୀ ପରିତ୍ୟକ୍ତା ଥାଇ ତାକୁ ଭଲପାଇ ବସିଥିଲା। ଏହା ମଧ୍ୟରେ ସେ ତାହା ନିକଟରୁ ବିଭିନ୍ନ ଭାବେ ଅର୍ଥ ଶୋଷଣ କରିଚାଲିଥିଲା। ଯାହାଫଳରେ ସେ ମୁଦି ଓ ହାରଭଳି ସୁନା ଜିନିଷ ବିକି ତାକୁ ଅର୍ଥ ଦେଇଥିଲେ ମଧ୍ୟ ସେ ଆହୁରି ଅନେକ କିଛି ଆଶା କରିଥିଲା। ଏବଂ ତାକୁ ବିବାହ କରିବାକୁ ବାଧ୍ୟ କରୁଥିଲା। ନହେଲେ ତା ସହିତ ସେଠାରେ ଚାକିରୀ କରୁଥିବା ତାର ସାନଭାଇ ସତ୍ୟରଂଜନକୁ ହତ୍ୟା କରିବାର ଧମକ ଦେଉଥିଲା। ଏଣୁ ସେ ବାଧ୍ୟହୋଇ ତାର ତଂଟିଚିପି ହତ୍ୟା କରିବା ପରେ ଫେନ୍‌ରେ ଟାଙ୍ଗି ଆତ୍ମହତ୍ୟାର ରୂପ ଦେବାକୁ ଚାହିଁପାରିନଥିଲା। ଫଳରେ ତାକୁ କାଟି ଫ୍ରିଜ୍‌ରେ ରଖିବା ପରେ ପୁଲିସ୍ ଭୟରେ ଫେରାର ହୋଇଯାଇଥିଲା। ଏହି ଘଟଣା ଜଣା ପଡିବା ପରେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ତେବେ ସେ ଉକ୍ତ ଘଟଣାର ମୁଖ୍ୟ ଅଭିଯୁକ୍ତ ହୋଇଥିବାବେଳେ ଓଡ଼ିଶାକୁ ଲୁଚି ପଳାଇଆସିଥିବାର ସ୍ଥାନୀୟ ପୁଲିସ୍ ତାଙ୍କର ମୋବାଇଲ୍ ଟ୍ରାକିଂ କରି ଜାଣିବାକୁ ପାଇଥିଲା। ଏହାପରେ ସେଠାକାର ଏକ ଟିମ୍ ଓଡ଼ିଶା ଗସ୍ତ କରିଥିବାବେଳେ ବୁଧବାର ଭୋର୍‌ରୁ ଭଦ୍ରକ ଆସିବାକୁ କହି କୁଳେଇପଦା ଶ୍ମଶାନ ନିକଟରେ ଥିବା ଏକ ଗଛରେ ମୁକତ୍‌ିରଂଜନ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡିଥିଲା। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିଲା ବେଳେ ଆରଡି ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ଦେହ ଜବଦ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ଏ ସଂକ୍ରାନ୍ତରେ ଧୂଷୁରୀ ଥାନାରେ ୩୩/ ୨୦୨୪ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଛି । ତାହାସହ ପୋଲିସ ଘଟଣାସ୍ଥଳରୁ ଜବତ କରିଥିବା ବ୍ୟାଗ୍‌ରେ ଲ୍ୟାପଟପ୍ ଓ ଡାଇରୀ ଭଳି ଅନେକ ସାମଗ୍ରୀ ପାଇଥିବା ଜଣାପଡିଛି। ଏପରିକି ଡାଇରିରେ ସେ ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିବା ଜଣାପଡିଛି। ଏହି ଘଟଣାରେ ମୁକ୍ତିରଂଜନ ଏକୁଟିଆ ନା ଆଉ କିଏ ଅଛି, ତାହା ତଦନ୍ତ ପରେ ଜଣାପଡିବ।