Odiapua.com

ବେଗୁନିଆପଡ଼ାରେ ଜିଓ ନେଟୱର୍କ ଫେଲ୍, ହନ୍ତସନ୍ତ ହେଉଛନ୍ତି ହଜାର ହଜାର ଉପଭୋକ୍ତା

କୋଦଳା :୧୮/୦୬ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ଆକର୍ଷଣୀୟ ଅଫର୍ ସହ ହାଇସ୍ପିଡ ୪ଜି ନେଟୱର୍କ ସେବା ଦେଇ ସବୁ ନେଟୱର୍କକୁ ପଛରେ ପକେଇ ଇଣ୍ଟରନେଟ ବ୍ୟବହାରକାରୀମାନଙ୍କ ପ୍ରଥମ ପସନ୍ଦ ହୋଇ ପାଦ ଥାପିଥିବା ଜିଓ ଏବେ ଆଗଭଳି ଆଉ ସ୍ପିଡ୍ ନଥିବା ଏବଂ ଅଧିକାଂଶ ସ୍ଥାନରେ ଏହି ସେବା କାମ କରୁ ନଥିବା ଅଭିଯୋଗ ହେଉଛି। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ମୁଖ୍ୟ ବଜାର ସମେତ ଆଖପାଖ ଅଞ୍ଚଳରେ ଏବେ ଜିଓ ଆଗଭଳି ଆଉ କାମ କରୁନି। ଫଳରେ ଭଲ ଇଣ୍ଟରନେଟ ପାଇବା ହଜାର ହଜାର ଜିଓ ୟୁଜରଙ୍କ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି। ସୂଚନା ଅନୁସାରେ ବେଗୁନିଆପଡ଼ା ଓ କୋଦଳା ଅଞ୍ଚଳରେ ଜିଓ ୟୁଜର୍ ସଂଖ୍ୟା ଅନ୍ୟ ନେଟୱର୍କ ତୁଳନାରେ ଯଥେଷ୍ଟ ବଢିଥିଲେ ମଧ୍ୟ ସେହି ତୁଳନାରେ ଟାଓ୍ବାର୍ ସଂଖ୍ୟା କମ୍ ଅଟେ। ଅପରପକ୍ଷେ ପ୍ରତ୍ୟେକ ଟାଓ୍ବାର୍ ରେ ରେଞ୍ଜ ପାଇଁ ଅଲଗା ଅଲଗା ପ୍ରକାରର ଯନ୍ତ୍ରାଂଶ ଲାଗି ଥିବାରୁ ସବୁ ଯାଗାରେ ସମାନ ପ୍ରକାରର ସ୍ପିଡ୍ ଉପଲବ୍ଧ ହେଉନାହିଁ। ପଞ୍ଚାୟତ ଏରିଆ ଗୁଡ଼ିକରେ ଜିଓ ଯେଉଁଠି ନେଟୱର୍କ ବସିଛି ତାହା ଟୁଜି ଭଳି ଚାଲୁଛି। ଏଭଳି ପରିସ୍ଥିତିରେ ଜିଓ ଉପଭୋକ୍ତା ଜିଓ ନେଟୱର୍କ ଠାରୁ ଏକ ପ୍ରକାର ମୁହଁ ଫେରାଇବା ଆରମ୍ଭ କରିଛନ୍ତି। ମାତ୍ର ୩୯୯ ଟଙ୍କାରେ ଉଭୟ କଲିଂ ଏବଂ ଫୋରଜି ଇଣ୍ଟରନେଟ ସେବା ଯୋଗାଇ ଚହଳ ସୃଷ୍ଟି କରିଥିବା ଜିଓ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ପାଉଥିବା ବେଳେ ସଠିକ୍ ସେବା ପ୍ରଦାନ ନକଲେ ଆଗାମୀ ଦିନରେ ହଜାର ହଜାର ଉପଭୋକ୍ତା ଅନ୍ୟ ନେଟୱର୍କ କୁ ଯାଇ ପାରନ୍ତି ଏଥିରେ ସନ୍ଦେହ ନାହିଁ। ଜିଓ ଟାଓ୍ବାର୍ ଗୁଡ଼ିକରେ ସଠିକ୍ ପରିଚାଳନା, କରେଣ୍ଟ ଚାଲିଗଲେ ଜେନେରେଟର ନ ଲଗାଇବା, ଜିଓ କର୍ମଚାରୀ ମାନେ ଏରିଆ ଗୁଡ଼ିକର ଆବଶ୍ୟକତାକୁ ଦୃଷ୍ଟି ନଦେବା ଜିଓର ଅପାରଗତା ବୋଲି ଉପଭୋକ୍ତା ମାନେ ଆଲୋଚନା କରୁଛନ୍ତି।