Odiapua.com

ବେଗୁନିଆପଡ଼ାରେ ଅଘୋଷିତ ବିଦ୍ୟୁତ କାଟ, ଯନ୍ତ୍ରୀ ରହୁଛନ୍ତି ଖଲ୍ଲିକୋଟରେ, ଅଭିଯୋଗ ଶୁଣିବାକୁ କେହି ନାହିଁ

କୋଦଳା :୨୦/୦୭ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ଗଂଜାମ ଜିଲ୍ଲା ସାଉଥକୋ ୟୁଟିଲିଟିର ଅବ୍ଯବସ୍ଥା ସମ୍ପର୍କରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ ଏବେ ବେଗୁନିଆପଡ଼ା ସାଉଥକୋ କାର୍ଯାଳୟର ମନମୁଖୀ କାର୍ଯ୍ଯ ଚରମ ସୀମାରେ ପହଞ୍ଚିଥିବା କଥା ବେଗୁନିଆପଡ଼ା ସମେତ ସବୁ ବଜାର ଘାଟରେ ଚର୍ଚ୍ଚା ଚାଲିଛି। ବିନା କୌଣସି ସୂଚନା କିମ୍ବା ଘୋଷଣା ନକରି ଦିନ ଓ ରାତିରେ ବାରମ୍ବାର ବିଜୁଳି କାଟ ଏବେ ନିତିଦିନିଆ ଘଟଣା ହୋଇଗଲାଣି।ଗତ ଏକ ସପ୍ତାହ ଧରି କିଛି ସ୍ଥାନରେ ମରାମତି ଆଳରେ ଦିନକୁ ୫ ରୁ ୭ ଘଣ୍ଟା ବିଜୁଳି କାଟ ହେଉଥିବା ବେଳେ ରାତିରେ ବର୍ଷା ଆସୁ ଆସୁ ବିଜୁଳି ଗାଏବ୍ ହୋଇଯାଉଛି। ଏପରିକି ସାମାନ୍ୟ ବର୍ଷା ହେଲେ ମଧ୍ୟ ବିଜୁଳି କଟା ଯାଉଛି। ସବୁଠାରୁ ବଡ଼ କଥା ହେଲା ସଂଧ୍ୟା ପରେ ବେଗୁନିଆପଡ଼ା ସାଉଥକୋ କାର୍ଯାଳୟକୁ ଯୋଗାଯୋଗ କରିବାର କୌଣସି ବାଟ ରହୁନି। ଯନ୍ତ୍ରୀ ମହାଶୟ ଖଲିକୋଟ ଚାଲିଯାଉଛନ୍ତି ଏବଂ ମୋବାଇଲ୍ ଫୋନ୍ ବନ୍ଦ ରହୁଛି। ଅନ୍ୟାନ୍ୟ କର୍ମଚାରୀମାନଙ୍କ କଥା ନ କହିଲେ ଭଲ। ସରକାରୀ ଯନ୍ତ୍ରୀ କାର୍ଯ୍ୟକ୍ଷେତ୍ର ଛାଡି ଅନ୍ୟତ୍ର ରହିବା ଫଳରେ ବିଜୁଳି ଭଳି ଏକ ଗୁରୁତ୍ବପୂର୍ଣ୍ଣ ସେବା ପ୍ରଦାନ କରିବାରେ ସାଉଥକୋ ଏକ ପ୍ରକାର ଫେଲ୍ ମାରୁଥିବା ଚର୍ଚ୍ଚା ହେଉଛି। ବେଳେ ବେଳେ ସାମାନ୍ୟ ଫିଉଜ୍ ଟିଏ ହେଲେ ସୁଧାରିବା ତଥା ପୁନଃକ୍ଷମ କରିବା ପାଇଁ କୌଣସି କର୍ମଚାରୀ ଯାଉ ନଥିବା ଏବଂ ସାମାନ୍ୟ ଅସୁବିଧାରେ ରାତି ତମାମ ଅଞ୍ଚଳରେ ପାଓ୍ବାର କଟ୍ ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ବିଜୁଳି ବିଭାଗର ଏଭଳି ଦାୟିତ୍ବହୀନତା ଯନ୍ତ୍ରୀ ଓ କର୍ମଚାରୀ ବେଗୁନିଆପଡ଼ା ଅଞ୍ଚଳର ହଜାର ହଜାର ଲୋକ ଏବେ ସାଉଥକୋ ପ୍ରତି ବିଶ୍ବାସ ତୁଟାଇବାରେ ଲାଗିଲେଣି ଏବଂ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଗକୁ ୨ ମାସ ବର୍ଷା ଥିବା ବେଳେ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ନିଆ ନଯିବା ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ବିଜୁଳି ନରହିବା ଫଳରେ ଗୁଳୁଗୁଳି ଓ ମଶା ଉପଦ୍ରବରୁ ଶୋଇବା କଷ୍ଟକର ହୋଇପଡୁଥିବା ବେଳେ ରୋଗୀ, ଶିଶୁ ମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ୁଛି। ସାଉଥକୋ ୟୁଟିଲିଟି ମୁଖ୍ୟ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି।