Odiapua.com

ବେକରେ ପରିଚୟପତ୍ର ଝୁଲାଇ ବଜାରରେ ବୁଲୁଛନ୍ତି ଅମାନିଆ, ଅସଲି କି ନକଲି ଯାଞ୍ଚ କରୁନି ପୁଲିସ

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସେପରି କୌଣସି ଜରୁରୀ କାର୍ଯ୍ୟ ନଥିଲେ ବାହାରକୁ ବାହାରନ୍ତୁ ନାହିଁ । ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ । ଏପରି ସଚେତନତତା ବାର୍ତ୍ତା ଦେଇ ଦେଇ ପ୍ରଶାସନ, ବିଭିନ୍ନ ସଂଗଠନ ବିରକ୍ତ ହୋଇ ଗଲେଣି । କିନ୍ତୁ ଏହାର କାଣିଚାଏ ପ୍ରଭାବ ପଡ଼ୁ ନାହିଁ ଅମାନିଆଙ୍କ ଉପରେ । କୌଣସି ନା କୌଣସି ବହାନା ଦେଖାଇ ସେମାନେ ବଜାରରେ ବୁଲୁଛନ୍ତି । ଅଳ୍ପ କେତେକଙ୍କୁ ଧରି ପୁଲିସ ଜରିମାନା ଆଦାୟ କରୁଛି । କିନ୍ତୁ ଅଧିକାଂଶ ଖସି ଯାଉଛନ୍ତି । କାରଣ ସେମାନଙ୍କ ବେକରେ ଝୁଲୁଛି ବିଭିନ୍ନ କମ୍ପାନୀ ଓ ସଂସ୍ଥାର ପରିଚୟପତ୍ର । ଏପରିକି କିଛି ଅମାନିଆ ବିଭିନ୍ନ ଗଣମାଧ୍ୟମର ପରିଚୟପତ୍ର ବେକରେ ପକାଇ ବୁଲିବାକୁ ଭୁଲୁ ନାହାନ୍ତି । ସେମାନଙ୍କ ମଧ୍ୟରୁ କେତେକ ସଂସ୍ଥାଙ୍କ ସମ୍ପର୍କରେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟରେ କୌଣସି ସୂଚନା ନାହିଁ । କିନ୍ତୁ ପରିଚୟପତ୍ର ଦେଖି ପୁଲିସ ସେମାନଙ୍କୁ ଛାଡ଼ି ଦେଉଛି । ଫଳରେ ସହରରେ ଭିଡ଼ ପୂର୍ବପରି ପରିଲକ୍ଷିତ ହେଉଛି । କରୋନାର ଦ୍ୱିତୀୟ ଲହର ପାଇଁ ସରକାର ଆଜି ସକାଳ ପର୍ଯ୍ୟନ୍ତ ଲକଡାଉନ ଓ ସପ୍ତାହାନ୍ତ ସର୍ଟଡାଉନ କଟକଣା ଜାରୀ କରିଥିଲେ । ଏହି କଟକଣା ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । କିନ୍ତୁ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟ ଭାବେ କେତେକ ଅତ୍ୟାବଶ୍ୟକ ସେବାର ବ୍ୟବସାୟକୁ କଟକଣାମୁକ୍ତ କରାଯାଇଥିବାବେଳେ, ଲକଡାଉନ-୨ରେ ସକାଳ ୭ରୁ ୧୧ଟା ପର୍ଯ୍ୟନ୍ତ ସମୟ ରହିଛି । ଏହି ସମୟରେ ଲୋକମାନେ ଚାଲି ଚାଲି ସେମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବାକୁ ଅନୁମତି ଦିଆଯାଇଛି । କିନ୍ତୁ ଅଧିକାଂଶ ଲୋକ ଚାଲି ଚାଲି ଆସିବା ବଦଳରେ ବାଇକ୍ ଧରି ମାର୍କେଟକୁ ଆସୁଛନ୍ତି । ପୁଲିସ ଅଟକାଇବା ବେଳେ, ବେକଳରେ ଝୁଲୁଥିବା କୌଣସି ନା କୌଣସି ପରିଚୟପତ୍ର ଦେଖାଇ ଖସି ଯାଉଛନ୍ତି । ତେବେ ଏସମସ୍ତ ପରିଚୟପତ୍ର ଅସଲି କି ନକଲି ତାହାକୁ ଯାଞ୍ଚ କରୁନି ପୁଲିସ । ଫଳରେ ସବୁ ଦିନ ପରି କଟକଣା ସମୟରେ ମଧ୍ୟ ବଜାରରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳୁଛି । ଯଦି ପୁଲିସ ଏସମସ୍ତ ପରିଚୟପତ୍ର ସମ୍ପର୍କରେ ଯାଞ୍ଚ କରନ୍ତା, ତେବେ ବହୁ ନକଲି ପରିଚୟପତ୍ର ଧାରୀ ଧରାପଡ଼ନ୍ତେ । ସୂଚନାଯୋଗ୍ୟ ଲକଡାଉନ କଟକଣା ଲାଗୁ ହେବା ପରେ ସହରର ବିଭିନ୍ନ ଜେରକ୍ସ ଦୋକାନରେ ବହୁ ସଂଖ୍ୟକ ଅମାନିଆ ପହଞ୍ଚି ନକଲି ପରିଚୟପତ୍ର ପ୍ରସ୍ତୁତ କରିଥିଲେ । ଏହି ପରିଚୟପତ୍ରକୁ ଏବେ ସେମାନେ ବେକରେ ଝୁଲାଇ ପୁଲିସକୁ ଚକମା ଦେଉଛନ୍ତି । ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ବାରମ୍ବାର ପ୍ରକାଶିତ ହେବା ସହ ପ୍ରଶାସନ ଓ ପୁଲିସ ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ବହୁ ସଚେତନଶୀଳ ନାଗରିକ ନିବେଦନ କରିଥିଲେ । ତେଣୁ ଏବେ ପୁଲିସ ନକଲି ପରିଚୟପତ୍ରଧାରୀ ଅମାନିଆଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରୁ ବୋଲି ସାଧାରଣରେ ଦାବି ହେଉଛି ।