ହାଟଡ଼ିହି, ୨୪ । ୧୦ : (ଓଡିଆପୁଅ/ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ସୋସୋ ଥାନା ପୁଲିସ ଗତକାଲି ରାତିରେ ଅଚାନକ ଚଢ଼ାଉକରି ଢ଼େଙ୍କା ନିକଟରେ ମୋରମ ଖୋଳୁଥିବା ଏକ ହୁଣ୍ଡାଇ ମେସିନି ଓ ଦୁଇଟି ହାଇଓ୍ବାକୁ ଜବଦ କରିଛି । ଭଦ୍ରକର ଏକ କମ୍ପାନୀ କୌଣସି ସରକାରୀ ଅନୁମତି ନଥାଇ ଢ଼େଙ୍କା ନିକଟରେ ଥିବା ଏକ ସରକାରୀ ଜମିରୁ ମୋରମ ଉତ୍ତୋଳନ କରି ଚାଲାଣ କରିବାକୁ ବସିଥିବାବେଳେ କୌଣସି ସୁତ୍ରରୁ ଖବର ପାଇ ସୋସୋଥାନା ଅଧିକାରୀ ରଞ୍ଜନ କୁମାର ବିଶ୍ୱାଳ, ଏସ.ଆଇ ସୁଧିର ରାଉତରାୟ ପ୍ରମୁଖ ପୁଲିସ ଫୋର୍ସ ସହ ପହଞ୍ଚି ମୋରମ ଖୋଳୁଥିବା ଏକ ମେସିନିକୁ ଜବଦ କରିଥିବାବେଳେ ଦୁଇଗୋଟି ମୋରମ ବୋଝେଇ ହାଇୱାକୁ ଜବଦ କରିବାରେ ସଫଳ ହୋଇଛନ୍ତି । ତହସିଲ କାର୍ୟ୍ୟାଳୟ ବନ୍ଦ ଥିବା ସୁଯୋଗରେ ଗତକାଲି ଢ଼େଙ୍କାଛକ ନିକଟରେ ଏକ ସରକାରୀ ପ୍ଲଟରୁ ବେଆଇନ ଭାବେ ମୋରମ ଉତ୍ତୋଳନ କରି ଭଦ୍ରକ ଜିଲ୍ଲାକୁ ପଠାଯିବାର ବ୍ୟବସ୍ଥା କରାଯାଉଥିବାବେଳେ ଏନେଇ ପୁଲିସ ଏକ ମାମଲା ରୁଜୁ କରି ହାଇୱା ଓ ମେସିନିକୁ ଜବଦ କରିଛି । କିଛି ମୋରମ ମାଫିଆ ମେସିନି ଓ ଗାଡି ଦୁଇଟିକୁ ସହଜରେ ମୁକୁଳାଇବା ପାଇଁ ଆଜି ଦିନ ତମାମ ଥାନା ପରିସରରେ ଚକର କାଟୁଥିବା କୁହାଯାଉଛି । ଏଠାରେ ସୁଚନାଯୋଗ୍ୟ ଯେ ହାଟଡିହି ତହସିଲ ଅଞ୍ଚଳରେ ଲଘୁ ଖଣିଜ ସମ୍ପଦ ହରିଲୁଟ ହେଉଥିବାବେଳେ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଫଳରେ ମାଫିଆମାନେ ଖୁଲାମ ଖୁଲା ମୋରମ, ବାଲି ଆଦି ବାହାର ଜିଲ୍ଲାକୁ ଚାଲାଣ କରି ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱହାନୀ ଘଟାଉଛନ୍ତି । ହାଟଡିହି ତହସିଲର ବିଭିନ୍ନ ଅଞ୍ଚଳରେ ବେଆଇନି ଭାବେ ରାତି ରାତି ଟ୍ରିପ ଟ୍ରିପ ମୋରମ ବାହାରକୁ ଚୋରା ଚାଲାଣ ହେଉଥିବାବେଳେ ରାଜସ୍ୱ ବିଭାଗ କିମ୍ବା ପୁଲିସ କେହି ଏହାକୁ ରୋକିବାକୁ ପ୍ରୟାସ କରୁ ନାହାନ୍ତି । ଫଳରେ ହାଟଡିହି ଅଞ୍ଚଳରେ ମୋରମ ମାଫିଆମାନେ ବେଆଇନ କାରବାର କରି ମାଲେମାଲ ହେଉଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେବି ପ୍ରଶାସନିକ ଅଧିକାରୀ ମାନେ କୌଣସି ପଦକ୍ଷେପ ନେଉ ନଥବାରୁ ମାଫିଆମାନେ ସେମାନଙ୍କ ବେଆଇନ କାରବାରକୁ ଜୋରଦାର କରି ଲକ୍ଷଲକ୍ଷ ଟଙ୍କାର ମୁନାଫା ହାସଲ କରୁଛନ୍ତି ।