Odiapua.com

ବେଆଇନ ଭାବେ ନିର୍ବାଚନ କାର୍ଯ୍ୟରେ ଥିବା ଅଧିକାରୀଙ୍କ ସଂଖ୍ୟା ତୁଳନାରେ ଅଧିକ ପୋଷ୍ଟାଲ ବାଲାଟ ଯୋଗାଇଦେବା ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି

ପୋଷ୍ଟାଲ ବାଲାଟର ସଂପୂର୍ଣ୍ଣ ବିବରଣୀ ଆସନ୍ତାକାଲି ସୁଦ୍ଧା ପ୍ରଦାନ କରିବାକୁ ବିଜେପିର ଦାବି

ଭୁବନେଶ୍ୱର, ତା.୨୧/୦୫ (ଓଡ଼ିଆ ପୁଅ) : ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ରିଟର୍ଣ୍ଣି ଅଫିସରମାନେ ନିର୍ବାଚନ ଦାୟୀତ୍ୱରେ ଥିବା ସରକାରୀ ଅଫିସରମାନଙ୍କୁ ସେମାନଙ୍କ ସଂଖ୍ୟା ଅନୁସାରେ ଅଧିକ ପୋଷ୍ଟାଲ ବାଲାଟ ପ୍ରଦାନ କରିଛନ୍ତି। ଅନ୍ୟପଟେ ନିର୍ବାଚନ ଦାୟୀତ୍ୱରେ ଥିବା କିଛି ଅଧିକାରୀମାନେ ବୁଥରେ ଭୋଟ ଦେବା ସହ ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ ଦେଇଛନ୍ତି। ଏଭଳି ଅସାଧୁ କାର୍ଯ୍ୟ ଉପରେ ତଦାରଖ କରିବାକୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଏହା ଏକ ଅନୈତିକ ନିର୍ବାଚନୀ କାରବାର ହୋଇଥିବାରୁ ଏହାର ପ୍ରତିବାଦରେ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ରିଟର୍ଣ୍ଣିି ଅଫିସରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କେଉଁ କେଉଁ ଜିଲ୍ଲାମାନଙ୍କରେ ଏହି ଘଟଣା ଘଟିଛି ତାହାର ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁଧ୍ୟାନ କରୁନ୍ତୁ ବୋଲି ଏହି ପ୍ରତିନିଧି ଦଳ ଦାବି କରିଛି।

ପୋଷ୍ଟାଲ ବାଲାଟକୁ ଶାସକ ବିଜେଡି ଚାପରେ ହେରଫେର କରାଯାଇଥିବାର ଆଶଙ୍କା ରହିଛି। ପୋଷ୍ଟାଲ ବାଲାଟ ମାଧ୍ୟମରେ କେଉଁ ଅଧିକାରୀ କେଉଁ ନିର୍ବାଚନ କାର୍ଯ୍ୟରେ କେଉଁଠି ମୁତୟନ ହୋଇଛନ୍ତି ତାହାର ତାଲିକା ଏବଂ କେତେ ପ୍ରତିଶତ ପୋଷ୍ଟାଲ ବାଲାଟର ଭୋଟିଂ ହୋଇଛି ତାହାର ସଂପୂର୍ଣ୍ଣ ବିବରଣୀ ଆସନ୍ତା କାଲି ସୁଦ୍ଧା ପ୍ରଦାନ କରିବାକୁ ଏହି ପ୍ରତିନିଧି ଦଳ ଦାବି କରିଛି। ଏଭଳି ଅସାଧୁ ଉପାୟ ଉପରେ ହୋଇଥିବା ଭୋଟିଂକୁ ଯାଂଚ କରି ତୁରନ୍ତ ଖାରଜ କରାଯାଉ। କାହା ସ୍ୱାର୍ଥରେ ନିଜର କର୍ତବ୍ୟ ଭୁଲି ସଂପୃକ୍ତ ଡିଇଓ ଏବଂ ଆରଓ ଅଧିକାରୀମାନେ ଅଧିକ ସଂଖ୍ୟକ ପୋଷ୍ଟାଲ ବାଲାଟ ଯୋଗାଇଛନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଏହି ପ୍ରତିନିଧି ଦଳ ଦାବି କରିଛି। ନିର୍ବାଚନ କାର୍ଯ୍ୟରେ ଥିବା ଅନେକ ଅଧିକାରୀଙ୍କ ନମ୍ବର, ନାମ ଏବଂ ଫୋନ୍ ନମ୍ବର ଗୁଡିକ ବିଜେପିର ପ୍ରାର୍ଥୀମାନେ ବିଧାନସଭା ନିର୍ବାଚନୀ ମଣ୍ଡଳୀ ଅନୁସାରେ ଏହାକୁ ନୋଟ୍ କରିଛନ୍ତି ଯାହା ଫଳରେ ଅନୈତିକ ଭୋଟିଂକୁ କ୍ରସ୍ ଚେକ୍ କରାଯାଇପାରିବ।

ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାପତି ରମାରଂଜନ ବଳିଆରସିଂ, ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ, ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଂଜିତ, ରାଜ୍ୟ ଯୁବ ମୋର୍ଚ୍ଚା ସଂପାଦକ ଦିପକ କୁମାର ଗୋଚ୍ଛାୟତ, ବିଜେପି ନିର୍ବାଚନ ପ୍ରକୋଷ୍ଠର ସଂଯୋଜକ ଜୟନ୍ତ ଜେନା ଏବଂ ପଦ୍ନନାଭ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।