Odiapua.com

ବେଆଇନ ବାଲି ଚାଲାଣକୁ ନେଇ ଜନ ଆକ୍ରୋଶ, ଓଭର ଲୋଡେଡ ହାଇୱାକୁ ଧାମନଗର ପୋଲିସ ଜବତ କଲା

ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଅଂଚଳରେ ଚୋରା ବାଲି ମାଫିଆଙ୍କ ପ୍ରାଦୁର୍ଭାବ ଓ ବେପରୁଆ ଗାଡ଼ି ଚାଲାଣକୁ ନେଇ ଜନ ଅସନ୍ତୋଷ ଉଗ୍ରରୂପ ଧାରଣ କରିଛି। ଦିହୁଡ଼ି ଆନନ୍ଦପୁର-ଖଡ଼ିପଦା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାରେ ବେଆଇନ ବାଲି ବୋଝେଇ ହେଉଥିବା ଏକ ୧୦ ଚକିଆ ହାଇୱାକୁ ଗ୍ରାମବାସୀ ସଂଘବଦ୍ଧ ଭାବେ ଅଟକାଇ ପୋଲିସ ଜିମା ଦେଇଛନ୍ତି। ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଂଚଳରୁ ଏହି ହାଇୱାଟି (ଓଡି୨୨ଏସି୦୪୮୯) କ୍ଷମତା ଠାରୁ ଯଥେଷ୍ଟ ଅଧିକ ବାଲି ବୋଝେଇ କରି କାଶିଆ ନନା ଛକ ଦେଇ ଯାଉଥିଲା। ରବିବାର ସକାଳେ ଗ୍ରାମବାସୀମାନେ ଏକଜୁଟ ହୋଇ ଗାଡ଼ିଟିକୁ ଅଟକାଇଥିଲେ। ଏହା ପରେ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଗାଁ ଲୋକେ ପଚାରିବାରୁ ଜଣାପଡ଼ିଲା ଯେ, ଡ୍ରାଇଭର ଓ ହେଲପରଙ୍କ ପାଖରେ ବାଲି ପରିବହନ ପାଇଁ ଆବଶ୍ୟକୀୟ ୱାଇ ଫର୍ମ ବା ଟ୍ରାଞ୍ଜିଟ ପାସ୍ ନଥିଲା। ଗାଡ଼ିରେ ଅନୁମତି ଠାରୁ ପ୍ରାୟ ୨ ଫୁଟ୍ ଅଧିକ ଉଚ୍ଚର ବାଲି ଲୋଡ୍ ହୋଇଥିଲା। ଗ୍ରାମବାସୀଙ୍କ ପଚରାଉଚରା ବେଳେ ଡ୍ରାଇଭର ବେଆଇନ ପରିବହନ କଥା ସ୍ୱୀକାର କରିଥିଲେ, ଯାହାର ଭିଡିଓ ରେକର୍ଡିଂ ମଧ୍ୟ କରାଯାଇଛି।ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ କଂକ୍ରିଟ ରାସ୍ତାର କ୍ଷମତା କମଥିବା ବେଳେ ଏହି ହାଇୱା ଯଥେଷ୍ଟ ଅଧିକ ଓଜନର ଥିଲା। ଭାରି ଯାନ ଯୋଗୁଁ ରାସ୍ତାରେ ବଡ଼ ଧରଣର ଫାଟ ସୃଷ୍ଟି ହୋଇଛି। ହାତିଢିଅ ଠାରୁ ଖଡ଼ିପଦା ମଧ୍ୟରେ ୫ କିଲୋମିଟର ରାସ୍ତାରେ ପ୍ରାୟ ୨୦ ରୁ ଅଧିକ ସ୍ଥାନରେ ରାସ୍ତା ଫାଟି ଯାଇଥିବା ବେଳେ ଦକ୍ଷିଣ କୁରୁଆ ଛକ ଓ ତାରିଣୀ ମନ୍ଦିର ନିକଟରେ ରାସ୍ତା ଦବି ଯାଇଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ, ଦ୍ରୁତ ଗତିରେ ଯାଉଥିବା ଏହି ହାଇୱା ଗୁଡ଼ିକ ଯୋଗୁଁ ଧନଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। କାଶିଆ ଛକରେ ଏକ ଦୋକାନ ଘରର ଛାତକୁ ମଧ୍ୟ ଗାଡ଼ି ଚାଞ୍ଛି ନେଇଥିବା ଅଭିଯୋଗ ହୋଇଛି। ଖବର ପାଇ ଧାମନଗର ଥାନା ଏସ୍‌ଆଇ ମହେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଂଚିଥିଲେ। ପୋଲିସ ହାଇୱାଟିକୁ ଜବତ କରିବା ସହ ଥାନାକୁ ନେଇ ଅଟକ ରଖିଛି। ଲଘୁ ଖଣିଜ ଚୋରି, ସରକାରୀ ସମ୍ପତି (ରାସ୍ତା) ନଷ୍ଟ ଏବଂ ଓଭର ଲୋଡିଂ ଅଭିଯୋଗରେ ପୋଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ଗ୍ରାମବାସୀମାନେ ନିୟମିତ ପାଟ୍ରୋଲିଂ ପାଇଁ ଦାବି କରିଛନ୍ତି।