Odiapua.com

ବେଆଇନ ନିଶା କାରବାର ନ ରୋକିଲେ ଏସପି ଅଫିସ ସମ୍ମୁଖରେ ଧାରଣା, ନିଶା ସମ୍ରାଟଙ୍କୁ ପୃଷ୍ଠପୋଷକତା ଦେଉଛି କିଏ!- ନଳିନୀ ମହାନ୍ତି

ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଅପମିଶ୍ରିତ ଦେଶୀ, ନକଲି ବିଦେଶୀ ମଦ ଓ ଧଳା ଜହର(ବ୍ରାଉନସୁଗାର)ର ବେଆଇନ କାରବାର ବଢ଼ି ବଢ଼ି ଚାଲିଛି। ଏହି ବେଆଇନ କାରବାର ପଛରେ ଏକ ନିର୍ଦ୍ଧିଷ୍ଟ ନେଟୱାର୍କ କାର୍ଯ୍ୟ କରୁଛି। ଏହି ନେଟୱାର୍କ ଚଳାଉଥିବା ବ୍ୟକ୍ତି ବିଶେଷଙ୍କ ପଛରେ ରହିଛି କେତେକ ରାଜନୈତିକ ନେତା, ଅବକାରୀ ବିଭାଗ ଏବଂ ଜିଲ୍ଲା ଓ ପୁଲିସ ପ୍ରଶାସନର ଉଚ୍ଚ ଅଧିକାରୀଙ୍କ ଆର୍ଶିବାଦ। ଏହି ବେଆଇନ କାରବାର ବିରୋଧରେ ୨ ବର୍ଷ ପୂର୍ବେ କଂଗ୍ରେସ ଏହାକୁ ଏକ ପ୍ରମୁଖ ପ୍ରସଙ୍ଗ କରିବା ସହିତ ଏହି ଘଟଣାରେ ଜଣେ ବିହାରୀ ବ୍ୟବସାୟୀ ଶ୍ୟାମନାରାୟଣ ଗୁପ୍ତାଙ୍କ ପରୋକ୍ଷ ସଂପୃକ୍ତି ଓ ତାଙ୍କ ସମ୍ପର୍କୀୟଙ୍କ ପ୍ରତ୍ୟେକ୍ଷ ସଂପୃକ୍ତିକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଥିଲା। ଶ୍ରୀ ଗୁପ୍ତାଙ୍କ କଳା ସାମ୍ରାଜ୍ୟର ରହସ୍ୟ ଭେଦ ପାଇଁ କଂଗ୍ରେସ ପକ୍ଷରୁ ବାରମ୍ବାର ଦାବିପତ୍ର ପ୍ରଦାନ କରିବା ସହ ଜିଲ୍ଲା ଆରକ୍ଷୀ ଅଧିକଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିଲା। ପୁଲିସ ପ୍ରଶାସନ ଏଦିଗରେ ଉପଯୁକ୍ତ ପଦକ୍ଷେପ ନେନବ ବୋଲି ପ୍ରତିଶ୍ରୁତି ଦେଇ ଆଜି ପର୍ଯ୍ୟନ୍ତ ନିରବ ରହିଛି। ସେହିପରି ଭଦ୍ରକର ଅବକାରୀ ବିଭାଗ ମଧ୍ୟ ଚୁପ ବସିଛି।

କାହା ସାହାସ ଓ ଅଦୃଷ୍ୟ ଶକ୍ତିର ଆର୍ଶିବାଦ ବଳରେ ଶ୍ରୀ ଗୁପ୍ତା ନିଜର କଳା ସାମ୍ରାଜ୍ୟକୁ ବିସ୍ତାର କରିବାକୁ ସକ୍ଷମ ହୋଇଛି ତାହାର ପର୍ଦ୍ଦାଫାସ କରିବାକୁ ଓ ଭଦ୍ରକ ସହରକୁ ସମ୍ପୂର୍ଣ୍ଣ ବେଆଇନ ନିଶା କାରବାର କବଳରୁ ମୁକ୍ତ କରିବାକୁ ଭଦ୍ରକ ବିଧାନସଭା କଂଗ୍ରେସ ନେତା ନଳିନୀ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତିଯେ ୨ ବର୍ଷ ପୂର୍ବେ ସେ ଶ୍ରୀ ଗୁପ୍ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆଣିଥିଲେ ତାହା ସତ୍ୟ ସାବ୍ୟସ୍ତ ହୋଇଛି। କାରଣ ଚଳିତ ମାସ ୬ ତାରିଖ ମଙ୍ଗଳବାର ଅବକାରୀ ବିଭାଗର ଏକ ଭ୍ରାମ୍ୟମାଣ ଟିମ ଦ୍ୱାରା ଅନ୍ନପାଳ ମଧୁସୂଦନପୁର ଗ୍ରାମରୁ ନକଲି ମଦ କାରବାର କରିବା ସମୟରେ ଗିରଫ ହୋଇଥିବା ସହଦେବ ପୃଷ୍ଟି ଗଣମାଧ୍ୟମ ଓ ଅବକାରୀ ବିଭାଗ ଅଧିକାରୀଙ୍କ ସମ୍ମୁଖରେ ସ୍ୱୀକାର କରିଛନ୍ତିଯେ ଏହି ମଦ ତାଙ୍କୁ ଭଦ୍ରକ ‘ଆନନ୍ଦ’ ହୋଟେଲ ମାଲିକ ‘ଶ୍ୟାମ ନାରାୟଣ ଗୁପ୍ତା’ ଯୋଗାଇଥିଲେ। ଯାହାକି ନକଲି ଥିଲା। କିନ୍ତୁ ଅବକାରୀ ବିଭାଗ ଏକ ସାଧାରଣ ମଦ ଜବତ ମାମଲା ରୁଜ୍ଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛି। ଏହି ଅଭିଯୁକ୍ତକୁ ଅବକାରୀ ବିଭାଗ କେଉଁ କାରଣରୁ ରିମାଣ୍ଡରେ ଆଣି ଉକ୍ତ ନକଲି ମଦର ଉତ୍ସ ସମ୍ପର୍କରେ ଜାଣିବାକୁ ଚେଷ୍ଟା କଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି ଶ୍ରୀ ଗୁପ୍ତାଙ୍କ ବେଆଇନ ନକଲି ମଦ କାରବାରକୁ ସ୍ଥାନୀୟ ରାଜ ନେତା, ପୁଲିସ, ଅବକାରୀ ଓ ଜିଲ୍ଲା ପ୍ରଶାସନର ଉଚ୍ଚ ଅଧିକାରୀମାନେ ନୈତିକ ସମର୍ଥନ ଦେଉଛନ୍ତି।

ଏହି କାରଣରୁ ଯଦି ଭଦ୍ରକରେ ମଦମୃତ୍ୟୁ ଘଟେ ତେବେ ଉପରୋକ୍ତ ୪ ବିଭାଗ ମଧ୍ୟରୁ କିଏ ନୈତିକ ଦାୟିତ୍ୱ ବହନ କରିବ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ତେଣୁ ଶ୍ୟାମନାରାୟଣ ଗୁପ୍ତାଙ୍କ ରାଜନୈତିକ ପୃଷ୍ଠପୋଷକତା ସମ୍ପର୍କରେ ତଦନ୍ତ କରିବା, ଶ୍ରୀ ଗୁପ୍ତାଙ୍କ ବେଆଇନ ମଦ କାରବାରର କଳା ସାମ୍ରାଜ୍ୟର ଉତ୍ସ ସମ୍ପର୍କରେ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ୱାରା ଏକ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରିବାକୁ ସେ ଦାବି କରିଛନ୍ତି। ସେହିପରି ଶ୍ରୀ ଗୁପ୍ତା ଏବେ ସହର ମଧ୍ୟରେ ନିଜ ଓ ନିଜ ସମ୍ପର୍କୀୟଙ୍କ ନାମରେ ୧୧ଟି ମୂଲ୍ୟବାନ ପ୍ଲଟ କୁଆଁସ ଓ ମଠସାହି ମୌଜାରେ ରଖିଛନ୍ତି। ତେବେ ଠୁଳ କରିଥିବା ବିପୁଳ ପରିମାଣର ସମ୍ପତି ସମ୍ପର୍କରେ ପ୍ରବର୍ତ୍ତନ ଇଡି ଓ ଆୟକର ବିଭାଗ ଦ୍ୱାରା ତଦନ୍ତ କରିବା, ସହରକୁ ବିହାରୀ ଗୁଣ୍ଡାଙ୍କ କବଳରୁ ରକ୍ଷା କରିବାକୁ ମଧ୍ୟ ଦେ ଦାବି କରିଛନ୍ତି। କେବଳ ଦେଶକ୍କିମ୍ବା ବିଦେଶୀ ନୁହେଁ, ଧଳା ଜହର କାରବାରର ମୂଳକୁ ଖୋଜିବା ସହିତ ଏହାର ମାଷ୍ଟରମାଇଣ୍ଡଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଏସମସ୍ତ ଦାବି ଉପରେ ଯଦି ପୁଲିସ ଓ ଅବକାରୀ ବିଭାଗ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ ନକରେ ତେବେ କଂଗ୍ରେସ ପକ୍ଷରୁ ପ୍ରଥମେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ପରେ ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ଶ୍ରରୀ ମହାନ୍ତି ଚେତାବନୀ ଦେଇଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଜିଲ୍ଲା ସଭାପତି ସୁବ୍ରତ ଦାସ, ନଗର କଂଗ୍ରେସ ସଭାପତି ଅବଦୁଲ ମୁକିତ ଖାନ, ପ୍ରାକ୍ତନ କାଉନସିଲର ଆଶ୍ରଫ ଅଲ୍ଲି ଖାନ, ବିଜୟ ବାରିକ, ଟୋନୀ ଅଲ୍ଲୀ, ଇଲ୍ଲିୟାସ ଅଲ୍ଲୀ ଖାନ, ସାହିଲ କାଦ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।