Odiapua.com

ବେଆଇନ ଇଟାଭାଟି ଯୋଗୁ ପରିବେଶ ପ୍ରଦୂଷଣ ସହ ବଢୁଛି ତାପମାତ୍ରା

ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- କଡ଼ା ନିୟମ ସତ୍ୱେ ବେଆଇନ ଭାବେ ଗଢ଼ି ଉଠୁଥିବା ଇଟାଭାଟି ଯୋଗୁ ସ୍ଥାନୀୟ ଅଂଚଳରେ ପରିବେଶ ପ୍ରଦୂଷଣ ସହ ଉତାପ ବୃଦ୍ଧି ପାଉଛି। ଭଣ୍ଡାରିପୋଖରୀ ବ୍ଲକର ୧୦ଗୋଟି ପଂଚାୟତ ଅଂଚଳରେ ବେଆଇନ ଇଟା ବ୍ୟବସାୟ ହୋଇଥାଏ। ସାଧାରଣତଃ ବନ୍ଦାଳ ମଢିଆଳୀ,ଝୁଟଣା,ନେରଡା, ବାଲିପୋଖରୀ, ଷୋଳମପୁର ପ୍ରମୁଖ ପଂଚାୟତ ଗୁଡ଼ିକରେ ମାତ୍ରାଧିକ ଇଟାଭାଟି ଗଢ଼ି ଉଠିଥିବା ବେଳେ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଅଳ୍ପ ବହୁତ ମାଟି ଇଟା ବ୍ୟବସାୟ ହୋଇଥାଏ। ସ୍ଥାନୀୟ ଅଂଚଳରେ ଦୈନିକ ପ୍ରାୟ ୨୦ରୁ ଅଧିକ କଂଚା ଇଟାଭାଟିକୁ କୋଇଲା ଓ କାଠ ଦ୍ୱାରା ଜଳା ଯାଇଥାଏ।ଏଥିରୁ ନିର୍ଗତ ଉତାପ ଓ ଧୂଆଁ ସିଧାସଳଖ ସ୍ଥାନୀୟ ବାୟୁ ମଣ୍ଡଳରେ ମିଶିଥାଏ। ଫଳରେ ତାପମାତ୍ରା ବୃଦ୍ଧିରେ ଏହା ସହାୟକ ହେଉଥିବା ପରିବେଶ ପ୍ରେମୀ ମତ ଦେଇଛନ୍ତି। ଲାଭଖୋର ବ୍ୟକ୍ତି ଇଟା ବ୍ୟବସାୟ କରି ଆର୍ôଥକ ଫାଇଦା ଉଠାଉଛନ୍ତି।ଅନ୍ୟ ପକ୍ଷରେ ବାୟୁମଣ୍ଡଳ ଦୂଷିତ ହେବାସହ ତାପମାତ୍ରା ବୃଦ୍ଧି ପାଉଛି ବୋଲି କୁହାଯାଇଛି।ଅଭିଯୋଗ ହେଲେ ତହସିଲ କର୍ତୃପକ୍ଷ ଚଢ଼ାଉ କରୁଛନ୍ତି ଓ ଜରିମାନା ଆଦାୟ କରୁଛନ୍ତି।ମାତ୍ର ଏହି ସମସ୍ୟାର ସମାଧାନ ପାଇଁ ପରିବେଶ ବିଭାଗ କିମ୍ବା ରାଜସ୍ୱ ପ୍ରଶାସନ ସେପରି କୌଣସି କଡ଼ା ପଦକ୍ଷେପ ଗ୍ରହଣ କରୁନଥିବା କାରଣରୁ ଏହି କାରବାର କମିବା ପରିବର୍ତେ ବଢ଼ିବାରେ ଲାଗିଛି ବୋଲି ସ୍ଥାନୀୟ ଜନସାଧାରଣ ମତ ଦେଇଛନ୍ତି।