Odiapua.com

ବେଆଇନ୍ ଭାବେ ହାତେଇଥିବା ଆଠ ଡିସିମିଲ୍ ସରକାରୀ ଜମି ପଟ୍ଟାକୁ ଖାରଜ କରିବା ଦାବିରେ ଗ୍ରାମବାସୀଙ୍କ ଧାରଣା

ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭୂମିହୀନ ପରିବାର ନହୋଇ ଜଣେ ବ୍ୟକ୍ତି ବେଆଇନ୍ ଭାବେ ହାତେଇ ନେଇଥିବା ୮ ଡିସିମିଲ୍ ଜମିର ପଟ୍ଟାକୁ ଖାରଜ କରିବା ଦାବିରେ ତିହିଡି ତହସିଲ ଅଂଚଳର ସଦରବଳିଆ ମୌଜାର ଗ୍ରାମବାସୀମାନେ ଆଜି ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ଧାରଣା ଦେଇଛନ୍ତି । ଗ୍ରାମବାସୀମାନେ ଜିଲାପାଳଙ୍କୁ ଦେଇଥିବା ଦାବିପତ୍ରରେ ଦର୍ଶାଇଛନ୍ତି ଯେ ତିହିଡି ତହସିଲ ଅଂଚଳ ଅମରପୁର ମୌଜାର ଜଣେ ବ୍ୟକ୍ତି ୨୦୧୭ ମସିହାରେ ସରକାରୀ ଜମିକୁ ଚଂଚକତା କରି ନିଜ ନାମରେ ପଟ୍ଟା କରିନେଇଥିଲେ । ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ସଂପୃକ୍ତ ବ୍ୟକ୍ତିଜଣକ ତିହିଡି ତହସିଲଦାରଙ୍କ ଗାଡି ଡ୍ରାଇଭର ହୋଇଥିବାରୁ ସେତେବେଳକାର ତିହିଡି ତହସିଲଦାର ଓ କର୍ମଚାରୀଙ୍କୁ ପ୍ରଭାବିତ କରି ନିଜର ଏ୧.୭୦ ଡି. ଜମି ଥିବା ସତ୍ୱେ ଏହି ସର୍ବସାଧାରଣଙ୍କ ବ୍ୟବହୃତ ଏ୦.୦୮ ଡି. ସରକାରୀ ଜମିକୁ ନିଜ ନାମରେ ପଟ୍ଟା କରାଇନେଇଛନ୍ତି । ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ ଏହି ବ୍ୟକ୍ତି ଜଣକ ଆଉ କିଛି ସରକାରୀ ଜମିକୁ ଜବରଦଖଲ କରି ନିଜ ଦଖଲକୁ ନେବାକୁ ଉଦ୍ୟମ ଜାରି ରଖିଛନ୍ତି । ଫଳରେ ଗ୍ରାମବାସୀମାନେ ଗାଈଗୋରୁଙ୍କୁ ନେଇ ଯାତାୟତ କରିପାରୁନାହାଁନ୍ତି । ଏହି ଘଟଣା ସଂପର୍କରେ ଆରଆଇ, ତହସିଲଦାର ଜାଣି ଅଜଣା ଭଳି ଭୂମିକା ନିଭାଉଛନ୍ତି । ବାରମ୍ବାର ତିହିଡି ତହସିଲଦାର ଓ ଜିଲାପାଳଙ୍କୁ ଜଣାଇଲା ପରେ ମଧ୍ୟ ସମସ୍ୟାର ସମାଧାନ ନହେବାରୁ ଏ୦.୦୮ ଡି. ଜମିର ପଟ୍ଟା ଖାରଜ କରିବା ଦାବିରେ ଆଜି ବାଧ୍ୟହୋଇ ଏହି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କଲୁ ବୋଲି ଶାନ୍ତିଲତା ନାୟକ, ଇନ୍ଦ୍ରଜିତ ନାୟକ ପ୍ରମୁଖ ଗ୍ରାମବାସୀମାନେ କହିଛନ୍ତି ।