Odiapua.com

ବେଆଇନ୍ ବାଲି ଚାଲାଣକୁ ବିରୋଧ କରି ଆର.ଆଇ. ଗୁଣ୍ଡାଙ୍କ ଆକ୍ରମଣର ଶୀକାର, ପୁଲିସ୍‌ର କାର୍ଯ୍ୟାନୁଷ୍ଠାନ ନହେବା ନେଇ ରାଜସ୍ୱ କ୍ଷେତ୍ରୀୟ ସଂଘର ତୀବ୍ର ପ୍ରତିକ୍ରିୟା

ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାରେ ମାଟି ବେପାର ନିଶା, ବେଆଇନ୍ ବାଲି ଉଠାଣ ଓ ଇଟାଭାଟି ନିର୍ମାଣ କାର୍ଯ୍ୟ ବେଧଡକ ଚାଲିଛି । ରାଜସ୍ୱ ବିଭାଗ ପକ୍ଷରୁ ଏହାକୁ ରୋକିବାକୁ ଗଲେ ସ୍ଥାନୀୟ ଅସାମାଜିକ ବ୍ୟକ୍ତିଙ୍କ ଆକ୍ରମଣର ଶୀକାର ହେବାକୁ ପଡୁଛି । ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡୁଛି । ଗଣ୍ଡଗୋଳକାରୀଙ୍କ ବିରୁଦ୍ଧରେ ଏତଲା ଦେଲେ ଥାନା ବାବୁମାନେ କେଶ୍ କରି ହାତବାନ୍ଧି ବସିଯାଉଛନ୍ତି । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛଘୁଞ୍ଛା ଦେଉଥିବାର ଅଭିଯୋଗ ହେଉଛି । ବିଶେଷକରି ଏହି ବେଆଇନ୍ କାର୍ଯ୍ୟ ବିରୁଦ୍ଧରେ ପଦକ୍ଷେପ ନେବାକୁ ଯାଉଥିବା ରାଜସ୍ୱ ନିରୀକ୍ଷକମାନେ ବିଭିନ୍ନ ତହସିଲ ଅଂଚଳରେ ଅସାମାଜିକ ବ୍ୟକ୍ତିଙ୍କ ଆକ୍ରମଣର ଶୀକାର ହେବାର ଅନେକ ନଜିର ରହିଛି । ଏହାକୁ ନେଇ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଜିଲା ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ସଭାପତି ଇନ୍ଦ୍ରମଣି ମଲ୍ଲିକ ଓ ସଂପାଦକ ଗିରିଶ ଚନ୍ଦ୍ର ନାୟକ ଏ ସଂପର୍କରେ ଗତକାଲି ମଙ୍ଗଳବାର ଉପଜିଲ୍ଲାପାଳ ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ସଂଘ ପକ୍ଷରୁ ଦିଆଯାଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି ଯେ ଗତ ତା ୦୩.୦୬.୨୩ ରିଖରେ ଧାମନଗର ତହସିଲଦାରଙ୍କ ଠାରୁ ଏକ ମିନି ଟ୍ରକ୍‌ରେ ଚୋରା ଚାଲାଣ ହେଉଥିବା ବାଲିକୁ ଧରିବା ପାଇଁ ସୋଧ ରାଜସ୍ୱ ନିରୀକ୍ଷକ (ଆର.ଆଇ.) ବୁଲବୁଲ ସିଂ ଯାଇଥିଲେ । ସେଠାରେ ଟ୍ରକ୍‌କୁ ଅଟକାଇବାକୁ ଚେଷ୍ଟା କଲାବେଳେ ଟ୍ରକ୍ ଡ୍ରାଇଭର ଆର.ଆଇ.ଙ୍କ କଥା ନମାନି ଦ୍ରୁତ ଗତିରେ ଗାଡି ଚଳାଇ ପଳାଇଯାଇଥିଲେ । ପରେ ଶ୍ରୀ ସିଂହ ଟ୍ରକ୍‌କୁ ଅନୁସରଣ କରି ତହସିଲ ଅଫିସ୍‌କୁ ଆସୁଥିଲେ । ବାଟରେ ୫ ଜଣ ଗୁଣ୍ଡା ଶ୍ରେଣୀର ଲୋକ ହଠାତ୍ ଆସି ତାଙ୍କୁ ଗାଲିଗୁଲଜ କରି ମାଡ ମାରିଥିଲେ । ଶ୍ରୀ ସିଂହ ଅନ୍ୟ କିଛି ଉପାୟ ନପାଇ ଧାମନଗର ଆର.ଆଇ.ଙ୍କୁ ଫୋନ୍ କରିଥିଲେ । ଫୋନ୍ ପାଇ ଧାମନଗର ଆର.ଆଇ. ଗଣ୍ଡଗୋଳ ସ୍ଥାନରେ ପହଞ୍ôଚ ଆକ୍ରମଣ ସ୍ଥଳରୁ ଶ୍ରୀ ସିଂହଙ୍କୁ ଉଦ୍ଧାର କରିଥିଲେ । ଘଟଣା ସଂପର୍କରେ ଶ୍ରୀ ସିଂହ ଧାମନଗର ତହସିଲଦାରଙ୍କ ନିକଟରେ ଅଭିଯୋଗ କରିବା ସହ ଥାନାରେ ଏକ ଏତଲା ଦେଇଥିଲେ । ଏହି ଏତଲାକୁ ଭିତ୍ତିକରି ଗତ ତା ୦୩.୦୬.୨୩ ରିଖରେ କେଶ୍ ନଂ ୨୭୯, ଦଫା ୩୪୧, ୨୯୪, ୩୨୫, ୩୩୨, ୩୫୩, ୩୭୯, ୩୪ ଆଇପିସି ସହ ଏସ୍‌ସି/ଏସ୍‌ଟି ଆକ୍ଟରେ ମାମଲା ରୁଜୁ କରିଛନ୍ତି । ଏହାମଧ୍ୟରେ ୪ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ୍ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ନେଇ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ସଂଘ ପକ୍ଷରୁ ଏ ସଂପର୍କରେ ପୁଲିସ୍ ଆରକ୍ଷୀ ଅଧୀକ୍ଷକଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରାଯାଇଛି । ଗୁଣ୍ଡାମାନଙ୍କ ଆକ୍ରମଣରେ ଶ୍ରୀ ସିଂହ ଏବେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ କାନକୁ ଭଲ ଶୁଭାଯାଉନାହିଁ । ମାନସିକ ଭାରସାମ୍ୟ ହରାଇଛନ୍ତି । ଅପରପକ୍ଷରେ ଆକ୍ରମଣକାରୀଙ୍କୁ ୩ ଦିନ ମଧ୍ୟରେ ଗିରଫ କରାନଗଲେ ଜିଲାର ସମସ୍ତ ତହସିଲରେ କଲମ ଛାଡ ଆନ୍ଦୋଳନ ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।