Odiapua.com

ବେଆଇନ୍ ପାଉଁଶ ଗଦାକୁ ନେଇ ଉପଜିଲ୍ଳାପାଳଙ୍କୁ ଦାବିପତ୍ର ପ୍ରଦାନ : ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନହେଲେ ରାଜରାସ୍ତାକୁ ଓହ୍ଲାଇବେ ତାଳଚେରବାସୀ

ତାଳଚେର, ୧୧/୫ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ଏକ ଶିଳ୍ନନଗରୀ ସହର ହୋଇଥିବାରୁ ଏଠାରେ ଦୈନନ୍ଦିନ ହଜାର ହଜାର କୋଇଲା ଟ୍ରକ ଯୋଗେ ପରିବହନ ଜନିତ ଧୂଳିଧୂଆଁରୁ ବାୟୁମଣ୍ଡଳ ବିଷାକ୍ତ ହୋଇ ବିଭିନ୍ନ ରୋଗରେ ତାଳଚେରବାସୀ ଆକ୍ରାନ୍ତ ହେଉଛନ୍ତି। କିନ୍ତୁ ଚିନ୍ତାର ବିଷୟ ବୋଝ ଉପରେ ଲଳିତା ବିଡ଼ା ସଦୃଶ୍ୟ ବିଗତ କିଛି ମାସ ହେବ ଏନ୍‌.ଟି.ପି.ସି କଣିହାଁ ଠାରୁ ଆରମ୍ଭ କରି ବହ୍ଲର ଛକ ପର୍ଯ୍ୟନ୍ତ ରାଜରାସ୍ତା କଡ଼ରେ ପ୍ରତ୍ୟେକ ଦିନ ଶହଶହ ହାଇୱା ଏନଟିପିସିରୁ ପାଉଁଶ ଆଣି ବେଆଇନ୍ ଭାବେ ଏଣେତେଣେ ଢ଼ାଳି ପଳାଇ ଯାଉଛନ୍ତି। ରାସ୍ତା କଡ଼ରେ ଗଦା ହୋଇଥିବା ପାଉଁଶ ଗୁଣ୍ଡ ଉଡ଼ି ବାୟୁମଣ୍ଡଳକୁ ଅଧିକ ବିଷାକ୍ତ କରୁଅଛି। ଯାହା ଦ୍ୱାରା ସ୍ଥାନୀୟ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଳୟରେ ବିପୁଳ ଖର୍ଚ୍ଚାନ୍ତ ହେବା ସହିତ ଗରୀବ ଶ୍ରେଣୀର ଲୋକ ନିଜ ଜୀବନ ହାରୁଛନ୍ତି। ଏବଂ ଏହି ପାଉଁଶ ଗୁଣ୍ଡ ଉଡ଼ିବା ଦ୍ୱାରା ରାଜରାସ୍ତାରେ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି। କିଛି ଦିନ ହେବ ସ୍ଥାନୀୟ ପୋଲିସ୍ ପ୍ରଶାସନ ବେଆଇନ୍ ଭାବେ ପାଉଁ ଢ଼ାଳୁଥିବା କିଛି ହାଇୱା ଗାଡ଼ିକୁ ଜବତ କରି କଣିହାଁ ତହସିଲଦାରଙ୍କୁ ଅବଗତ କରାଇଥିଲେ। ତହସିଲଦାର ମହୋଦୟ ସେହି ଗାଡ଼ି ଗୁଡ଼ିକୁ ଜୋରୀମାନା କାଟି ଛାଡ଼ି ଦେଇଥିଲେ ଓ ଜରିମାନା କଟା ହେବା ଦ୍ୱାରା ସରକାରଙ୍କ ରାଜସ୍ୱ ବଢ଼ୁଅଛି। କିନ୍ତୁ ବେଆଇନ୍ ଭାବେ ହାଇୱା ଦ୍ୱାରା ପାଉଁଶ ଢ଼ଳା ବନ୍ଦ ହେଉନାହିଁ, ଯାହା ଦ୍ୱାରା ସ୍ଥାନୀୟ ବାସୀନ୍ଦା ହନ୍ତସନ୍ତ ହେଉଛନ୍ତି। ରାସ୍ତା କଡ଼ରେ ବେଆଇନ୍ ଭାବେ ଗଦା ହେଉଥିବା ପାଉଁଶ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ଏବଂ ଏନଟିପିସି କର୍ତ୍ତୃପକ୍ଷଙ୍କୁ ତାଗିଦ୍ କରାଯାଉ ବୋଲି ସେମାନେ ପ୍ରକାଶ କରିଛନ୍ତି। ଏନଟିପିସିରୁ ପାଉଁଶ ନେଇ ଆସୁଥିବା ହାଇୱା ଗାଡ଼ିଗୁଡ଼ିକ ଆଗାମୀ ଦିନରେ ରାଜରାସ୍ତା ପାଶ୍ୱର୍ରେ କିମ୍ବା ଅନ୍ୟ କୌଣସି ଜାଗାରେ ବେଆଇନ୍ ଭାବେ ଗଦା ନକରନ୍ତୁ ବୋଲି ଦାବି କରାଯିବା ସହ ଏହି ପରିପ୍ରେକ୍ଷୀରେ ଏକ ଦାବିପତ୍ର ଉପଜିଲ୍ଳାପାଳଙ୍କୁ ପ୍ରଦାନ କରାଯାଇଛି। ଏହି ଦାବିପତ୍ର ପ୍ରଦାନ ବେଳେ ତାଳଚେର ପୌର ପରିଷଦ ୧୬ ନମ୍ବର ୱାର୍ଡ଼ର କାଉନସିଲର ସ୍ୱାଧୀନ କୁମାର ଥମ୍ବ, ଯତିନ କୁମାର ମହାନ୍ତି, ସୁନିଲ କୁମାର ବିଶ୍ୱାଳ ଏବଂ ତାଳଚେରବାସୀ ଉପସ୍ଥିତ ଥିଲେ। ଯଦି ବେଆଇନ୍ ଭାବେ ଏଭଳି ପାଉଁଶ ଢ଼ାଳିବା ଉପରେ ଏନଟିପିସି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ୭ ଦିନ ମଧ୍ୟରେ ତାଳଚେରବାସୀ ନିଜର ଜୀବନ ଓ ସ୍ୱାସ୍ଥ୍ୟ ରକ୍ଷାପାଇଁ ଜନଆନ୍ଦୋଳନ ସହ ରାଜରାସ୍ତାକୁ ଓହ୍ଳାଇବାକୁ ବାଧ୍ୟ ହେବେ ବୋଲି କୁହାଯାଇଛି।