ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) — ଜିଲାରେ ବେଆଇନ୍ ନିଶା କାରବାର ବିରୁଦ୍ଧରେ ଅବକାରୀ ବିଭାଗ ପ୍ରତି ମାସ ଚଢାଉ କାର୍ଯ୍ୟ ଜାରି ରଖିଛି। ଅନ୍ୟପଟେ ନିଶା କାରବାର ଜିଲାରେ ବ୍ୟାପକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଆବଶ୍ୟକ ସଂଖ୍ୟକ କର୍ମଚାରୀ ଅଭାବରୁ ଆଶାନୁରୂପ ସଫଳତା ମିଳୁନଥିବାରୁ ସୂଚନା ମିଳିଛି। ବିଶେଷକରି ବ୍ରାଉନସୁଗାର କାରବାର ଜିଲାର ସହରାଂଚଳ ଠାରୁ ଆରମ୍ଭ କରି ଗ୍ରାମାଂଚଳର ଗଳିକନ୍ଦିରେ ବଢିଚାଲିଛି। ଯାହାଫଳରେ ଜିଲା ଏବେ ଅପରାଧ ପ୍ରବଣ ହୋଇପଡିଛି। ନିଶା କାରବାର ବୃଦ୍ଧି ଯୋଗୁଁ ଜିଲା ଅଶାନ୍ତ ହୋଇପଡିଛି। ପୁଲିସ୍ ଓ ଅବକାରୀ ବିଭାଗ ନିଶା କାରବାର ରୋକିବା ଦିଗରେ ବିଫଳ ହୋଇଛି। ବିଭାଗୀୟ ସୂଚନା ଅନୁଯାୟୀ ମାର୍ଚ୍ଚ ୨୦୨୫-ମାର୍ଚ୍ଚ ୨୦୨୬ ଗତ ଆର୍ଥିକ ବର୍ଷରେ ବେଆଇନ୍ ନିଶା କାରବାର ବିରୁଦ୍ଧରେ ୧୯୯୬ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୨୧୯୭ ଟି କେଶ୍ ଅବକାରୀ ବିଭାଗ ପକ୍ଷରୁ ରୁଜୁ କରାଯାଇଛି। ୧୫୫ ଟି ଦାବେଦାର ନଥିବା କେଶ୍ ରୁଜୁ ହୋଇଛି। ଏହାମଧ୍ୟରୁ ୧୫୨୮ ଟି ମାମଲା ଚାର୍ଜସିଟ୍ ହୋଇଛି। ଗତ ଆର୍ଥିକ ବର୍ଷରେ ୭୪୦୯୪.୦୦୦ ଲିଟର ଆଇଡି ଲିକର (ଦେଶୀ ରନ୍ଧାମଦ), ୩୫୧୩୬୦.୦୦୦ କେଜି ଆଇଡି ୱାସ୍ (ପୋଚ), ୫୩୨.୯୮୦ ଲିଟର ଆଇଏମଏଫଏଲ (ବିଦେଶୀ), ୧୯୩୫.୫୦୦ ଲିଟର ସିଏସ୍ ଲିକର (ଦେଶୀ), ୯୯୦.୮୫୦ ଲିଟର ବିୟର, ୨.୮୮୦ ଲିଟର ଡୁପ୍ଲିକେଟ୍ ଆଇଏମଏଫଏଲ, ୮୪.୦୦ କଫ ସିରଫ, ୮୬ କେଜି ଗଂଜେଇ, ୬୩ ଲିଟର ଅନ୍ୟାନ୍ୟ ମାଦକ ଦ୍ରବ୍ୟ, ୬୨୩ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ୬୨ ଲକ୍ଷ ୩୦ ହଜାର ଟଙ୍କା। ଚଢାଉ ସମୟରେ ୧୧୭ ଟି ଦୁଇଚକିଆ, ୫ଟି ଚାରି ଚକିଆ, ଗୋଟିଏ ତିନି ଚକିଆ, ୧୨ ଟି ଡେକ୍ଚି, ବ୍ରାଉନସୁଗାର ବାବଦରେ ୯୪୧୦ ଟଙ୍କା ଜବତ ହୋଇଛି। ଏହିସବୁ ଚଢାଉରେ ମାଦକ ଦ୍ରବ୍ୟର ଆନୁମାନିକ ମୂଲ୍ୟ ୧ କୋଟି ୨୭ ଲକ୍ଷ ୮୬ ହଜାର ୭୫୪ ଟଙ୍କା ହେବ। ସମୁଦାୟ ଜବତ ହୋଇଥିବା ମାଦକ ଦ୍ରବ୍ୟ ଓ ବ୍ୟବହୃତ ଆଦିର ମୂଲ୍ୟ ୫ କୋଟି ୩୩ ଲକ୍ଷ ୫୯ ହଜାର ୮୯୪ ଟଙ୍କା। ଚଳିତବର୍ଷ ମାର୍ଚ୍ଚ ୧ ରୁ ଜୁନ୍ ୩୦ ୨୦୨୬ ତିନି ମାସ ମଧ୍ୟରେ ବେଆଇନ୍ ନିଶା କାରବାରରେ ସଂପୃକ୍ତ ୫୩୧ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୫୭୬ ଟି ମାମଲା ରୁଜୁ କରାଯାଇଛି। ଏହି ଚଢାଉ କାର୍ଯ୍ୟରେ ୧୫୪୯୮ ଲିଟର ଦେଶୀ ମଦ, ୬୯୭୦୦ ପୋଚ, ୧୯୦.୮୦୦ ବିଦେଶୀ ମଦ, ୫୨୦.୨୫୦ ଲିଟର ବିୟର, ୫୮୪.୮୦୦ ଦେଶୀ ମଦ, ୨୨.୫୦୦ ଜିଞ୍ଜର, ୨.୦୨ କେଜି ଗଂଜେି, ୨୧୫ ଗ୍ରାମ ବ୍ରାଉନସୁଗାର, ୩୦ ଟି ମୋଟର ସାଇକେଲ୍, ଗୋଟିଏ ଅଟୋ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୨୨ ଲକ୍ଷ ୩୧ ହଜାର ୬୮୮ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।