Odiapua.com

ବେଆଇନ୍ ଚିଙ୍ଗୁଡି ଘେରି ୩୦ଟି ପଂଚାୟତ ଓ ଏନ୍‌ଏସିର ଚାଷ ଉଜାଡିଲାଣି , ଚାନ୍ଦବାଲିରୁ ୫୨ କିମି ପଦଯାତ୍ରାରେ ଆସି ଜିଲାପାଳଙ୍କୁ ସ୍ମାରକପତ୍ର ଦେଲେ କ୍ଷତିଗ୍ରସ୍ତ କୃଷକ ମିଳିତ ମଂଚ

ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବେଆଇନ୍ ଚିଙ୍ଗୁଡି ଘେରିକୁ ବନ୍ଦ କରାଯିବା, ଏଥିଯୋଗୁଁ କ୍ଷତିଗ୍ରସ୍ତ ଧାନଚାଷୀଙ୍କୁ ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ, ଚିଙ୍ଗୁଡି ଘେରିରୁ ନିର୍ଗତ ବିଷାକ୍ତ ପାଣିକୁ ନଦୀକୁ ଛଡାଯାଇ ପରିବେଶ ଦୂଷିତ ହେଉଥିବାରୁ ତାହାକୁ ରୋକାଯିବା, ଚିଙ୍ଗୁଡି ଚାଷ କରୁଥିବା ମାଫିଆଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବା ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବିଭାଗୀୟ ପ୍ରଶାସନିକ ଅଧିକାରୀଙ୍କୁ ତ୍ୱରାନ୍ୱିତ କରାଯିବା ଭଳି ଦାବିନେଇ ଆଜି ଚାନ୍ଦବାଲିର ଚିଙ୍ଗୁଡି ଚାଷ ଦ୍ୱାରା କ୍ଷତିଗ୍ରସ୍ତ କୃଷକ ମିଳିତ ମଂଚ ପକ୍ଷରୁ ଏକ ୧୦ ଜଣିଆ ପ୍ରତିନିଧି ଦଳ ସକାଳ ୫ଟାରୁ ଦୀର୍ଘ ୫୨ କିଲୋମିଟର ପଦଯାତ୍ରା କରି ଭଦ୍ରକରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ମଂଚ ପକ୍ଷରୁ ଗଦାଧର ପଣ୍ଡା, ପ୍ରକାଶ ନାୟକ, କୈଳାସ ଦାସ, କାହ୍ନୁଚରଣ ମହାଳିକ, ଦୁର୍ଯ୍ୟୋଧନ ଜେନା, କେଶବ ଚନ୍ଦ୍ର ଜେନା, ଗଜେନ୍ଦ୍ର ମଲ୍ଲିକ, ଲକ୍ଷ୍ମୀଧର ପାତ୍ର, ସରୋଜ ମହାଳିକ ଓ ନବଜ୍ୟୋତି ଜେନା ପ୍ରମୁଖ ପଦଯାତ୍ରାରେ ଆସି ସନ୍ଧ୍ୟାରେ ଜିଲାପାଳ ଡ. ଜ୍ଞାନ ଦାସଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଦେଇଥିବା ଦାବିପତ୍ର ମୂଳେ ସେମାନଙ୍କ ଅଂଚଳର ଦୁଇ ଫସଲି ଚାଷଜମିରେ ବେଆଇନ୍ ଭାବେ ପୋଖରୀ ଖୋଳି ଚିଙ୍ଗୁଡି ପ୍ଲାଣ୍ଟ ମାଧ୍ୟମରେ ୩୦ ଗୋଟି ଗ୍ରାମପଞ୍ଚାୟତ ଓ ଚାନ୍ଦବାଲି ବିଜ୍ଞାପିତ ଅଂଚଳର ୨ ହଜାର ହେକ୍ଟରରୁ ଉର୍ଦ୍ଧ୍ୱ ଚାଷଜମିକୁ ଲୁଣା ଓ ରାସାୟନିକ ପାଣି ଛଡାଯିବା ଫଳରେ ସେମାନଙ୍କ ଚାଷ ଆଜି ଉଜୁଡିଯାଇଛି । ଫଳରେ ଚାଷଜମି ସହିତ ସାଧାରଣ ପରିବେଶ ବିଶ୍ୱ ତାପାୟନ କ୍ଷେତ୍ରରେ ଘୋର କୁପ୍ରଭାବ ପଡୁଛି । ଏହି ଜମି ଉପରେ ଏକର ପିଛା ପ୍ରାୟ ୧୫ କ୍ୱିଣ୍ଟାଲ ଧାନ ଉତ୍ପାଦନ କରାଯାଉଥିବାବେଳେ ଏବେ ପ୍ରାୟ ୨ ହଜାର ହେକ୍ଟରରୁ ୮୦ ହଜାର କ୍ୱିଣ୍ଟାଲ ଧାନ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ଏହି ଚାଷଜମି ନଷ୍ଟ ହେବା ନେଇ ସେମାନେ ୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ସ୍ଥାନୀୟ ତହସିଲଦାର, ଜିଲାପାଳ, ରାଜସ୍ୱ କମିଶନର ଓ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଜଣାଇ ଆସୁଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ସମସ୍ୟାର ସମାଧାନ ହେଉନାହିଁ । ଫଳରେ ଚାଷଜମି ନଷ୍ଟ ହେବା ଯୋଗୁଁ ପରିବାର ପ୍ରତିପୋଷଣ ପାଇଁ ସେମାନେ ମାନସିକ ଚାପରେ ରହିଆସୁଛନ୍ତି । ଦେଶରେ ଜଣେ ସ୍ୱାଧୀନ ନାଗରିକ ଭାବେ ସେମାନଙ୍କର ଗଣତାନ୍ତ୍ରିକ ଓ ବଂଚିବାର ରାହାକୁ ବଳପୂର୍ବକ କେତେକ କୋଟିପତି ଚିଙ୍ଗୁଡି ମାଫିଆ ଓ ସରକାରୀ କର୍ମଚାରୀ ମିଶି ଯେଭଳି ଛଡାଇ ନେଇଛନ୍ତି, ତାହା ମାନବ ଅଧିକାରକୁ ଜାଣିଶୁଣି ଉଲ୍ଲଙ୍ଘନ କରାଯାଉଅଛି । ବିଶେଷକରି ଚିଙ୍ଗୁଡି ଘେରି କରୁଥିବା ବ୍ୟକ୍ତିବିଶେଷମାନେ ରାଜନୈତିକ କ୍ଷମତାସଂପନ୍ନ ଓ ଥିଲାବାଲା ପୁଂଜିପତି ହୋଇଥିବାରୁ ସେମାନଙ୍କୁ ପ୍ରଶାସନ ଓ ରାଜନେତାମାନେ ସୁରକ୍ଷା ଦେଉଛନ୍ତି । ଯାହାର କୁପରିଣାମ ସ୍ୱରୂପ କିଛି ଚାଷୀ ଉପାୟଶୂନ୍ୟ ହୋଇ ଆତ୍ମହତ୍ୟା କରୁଛନ୍ତି । ଏଣୁ ଜିଲା ପ୍ରଶାସନ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଏହି ମଂଚ ପକ୍ଷରୁ ଚେତାବନୀ ଦିଆଯାଇଛି ।