Odiapua.com

ବେଆଇନ୍ ଗୋରୁ ଚାଲଣକୁ ନେଇ ଉଦ୍‌ବେଗ : ଗୋ-ସେବା ସମିତି ପକ୍ଷରୁ ଏସପିଙ୍କୁ ସ୍ମାରକପତ୍ର

ବାଲେଶ୍ୱର, ୩୦ା୭ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲ୍ଲାରେ ବୃଦ୍ଧି ପାଇଥିବା ବେଆଇନ୍ ଗୋରୁ ଚାଲାଣକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି ଜିଲ୍ଲା ଗୋ-ସେବା ସମିତି। ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସାଙ୍ଗକୁ ସମିତି କାର୍ଯ୍ୟକର୍ତ୍ତାମାନେ ରାତି ରାତି ଜାତୀୟ ରାଜପଥରେ ପଡ଼ି ରହି ବେଆଇନ୍ ଗୋରୁ ଚାଲାଣ ରୋକିବାକୁ ଉଦ୍ୟମ ଜାରି ରଖିଛନ୍ତି। ଏହା ସତ୍ତ୍ୱେ ବଢ଼ି ଚାଲିଛି ଗୋରୁ ଚାଲାଣ। ବିଶେଷ କରି ପୁଲିସର ନିଷ୍କ୍ରିୟତା ଯୋଗୁଁ ବାଲେଶ୍ୱରରୁ ପଶ୍ଚିମବଙ୍ଗକୁ ଅଧିକରୁ ଅଧିକ ଗୋରୁ ଚାଲାଣ ହେଉଥିବା ଗୋ-ସେବା ସମିତି କର୍ମକର୍ତ୍ତାମାନେ ଆରୋପ ଉଠାଇଛନ୍ତି। ଅର୍ଥ ଲୋଭରେ ଜିଲ୍ଲାର ବିଭିନ୍ନ ଥାନାର ପୁଲିସ ଚୁପ ରହିବା ଫଳରେ ଗୋଟିଏ ଗୋଟିଏ ଗାଡ଼ିରେ ଅତି ଅମାନୁଷିକ ଭାବେ ଅଧିକରୁ ଅଧିକ ଗୋରୁ ଲଦା ହୋଇ ବାହାରକୁ ପଠାଯାଉଥିବା ସେମାନେ କହିଛନ୍ତି। ଏନେଇ ସମିତିର ଏକ ପ୍ରତିନିଧି ଦଳ ଏସପିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବେଆଇନ୍ ଗୋରୁ ଚାଲାଣ ରୋକିବା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ ପାଇଁ ସେମାନେ ପ୍ରସ୍ତାବ ରଖିଛନ୍ତି। ସ୍ମାରକପତ୍ର ପ୍ରଦାନ ବେଳେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପାର୍ଥ ପ୍ରତିମ କର, ଦୀପକ କୁମାର ପ୍ରଧାନ ଓ ଅରବିନ୍ଦ ବାରିକ ଉପସ୍ଥିତ ଥିଲେ।