ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଅଞ୍ଚଳରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ସାଂଗକୁ ଯାନବାହନ ବି ବୃଦ୍ଧି ପାଉଛି । ଏଥିସହ ରାସ୍ତା କଡ଼ରେ ବେଆଇନ୍ ଗୃହ ନିର୍ମାଣ ଓ ବଡବଡ଼ ଟ୍ରକ୍ ରଖୁଥିବାରୁ ବିଭିନ୍ନ ସମୟରେ ଟ୍ରାଫିକ୍ ସମସ୍ୟା ବୃଦ୍ଧି ପାଉଛି । ଧାମନଗର ବ୍ଲକର ଧାମନଗର ଥାନା ଅଂଚଳରେ ଧାମନଗର ଓ ଦୋବଲ ଏବଂ ଧୂଷୁରୀ ଥାନା ଅଂଚଳରେ ଧୂଷୁରୀ, ବେତାଳିଗାଁ ଓ ଅସୁରାଳି ଆଦି ବଡ଼ବଡ଼ ବଜାର ରହିଛି । ଏହି ବଜାର ମଧ୍ୟ ସ୍ଥଳରେ ମୁଖ୍ୟ ରାସ୍ତା ଭଦ୍ରକ- ଆଖଣ୍ଡଳମଣୀ ଓ ଧାମନଗର ଛକରୁ- ଷେଣ୍ଢପୁର ରାସ୍ତା ପାଶ୍ୱର୍ରେ ବେଆଇନ୍ ଭାବରେ ବଡ଼ ବଡ଼ କୋଠା ଓ ଦୋକାନ ମାନ ନିର୍ମାଣ କରାଯାଇଛି । ଅଧିକାଂଶ ସ୍ଥାନ ମାନଙ୍କରେ ସରକାରୀ ଓ ଗୋଚର ଜାଗାରେ ଏହି ଘରଗୁଡ଼ିକ କରାଯାଉଛି ଏବଂ ବ୍ୟବସାୟ କରୁଥିବା ଲୋକମାନେ ତାଙ୍କ ଦୋକାନ ସାମ୍ନାରେ ଦିନ ଦିନ ଧରି ଗାଡ଼ି ମୋଟର ସହ ବଡ଼ ବଡ଼ ଟ୍ରକ ରଖି ଲୋଡ଼ିଂ ଅନ୍ଲୋଡ଼ିଙ୍ଗ କରୁଥିବାରୁ ଏହି ମୁଖ୍ୟ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ ହେଉଛି । ଧାମନଗର ଥାନା ପାଶ୍ୱର୍ ପାଚେରି ନିକଟରେ କିଛିଦିନ ଧରି ଛୋଟ ଓ ବଡ଼ ଟ୍ରକ୍ ପାର୍କିଙ୍ଗ କରାଯାଉଥିବରୁ ଏହା ନିକଟରେ ଥାନା ଓ ବିଭିନ୍ନ ବ୍ୟାଙ୍କକୁ ଆସୁଥିବା ଲୋକମାନେ ଏହି ଟ୍ରାଫିକ୍ ସମସ୍ୟାରେ ସମ୍ମୁଖିନ ହେଉଛନ୍ତି । ଏହି ସମୟରେ ଆମ୍ବୁଲାନ୍ସ କିମ୍ବା ଦମକଳ ଘଣ୍ଟା ଘଣ୍ଟା ଧରି ଏହି ସମସ୍ୟାରେ ମଧ୍ୟ ସମ୍ମୁଖିନ ହେଉଛନ୍ତି । ଏ ନେଇ ବାରମ୍ବାର ବିଭାଗୀୟ ଅଧିକାରୀ ମାନଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରାଯାଇଥିଲେ ମଧ୍ୟ ପ୍ରଶାସନ ସବୁଜାଣି ଚୁପ୍ ରହୁଛି । ଏବେ ସଟ୍ଡ଼ାଉନ୍ ଓ ଲକ୍ଡ଼ାଉନ୍ ଖୋଲିଯାଇଥିବାରୁ ଆଗକୁ ଆହୁରି ଜନଗହଳି ହେବ । ଏ ଦୀଗରେ ପୋଲିସ ଟ୍ରାଫିକ୍ ସମସ୍ୟାକୁ ଗୁରୁତ୍ୱ ଦେବା ସହିତ ବେଆଇନ୍ ପାର୍କିଙ୍ଗ କରୁଥିବା ଗାଡ଼ି ମାଲିକ ଉପରେ ଜରିମାନା କରାଗଲେ ଅଧିକାଂଶ ସ୍ଥାନରେ ଏହି ସମସ୍ୟାର ସମାଧାନ ହୋଇପାରିବବୋଲି ବୁଧିଜୀବୀ ମହଲରେ ପ୍ରକାଶ ପାଇଛି ।