Odiapua.com

ବେଆଇନ୍ କାର୍ଯ୍ୟ କରିବାକୁ ଆର୍ ଡବ୍ଲ୍ୟୁ ଏସ୍ ଏସ୍ କନିଷ୍ଠ ଯନ୍ତ୍ରୀଙ୍କୁ ନକଲି ସାମ୍ବାଦିକଙ୍କ ଚାପ

କୋଦଳା : ୨୯ /୦୬ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ ) ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକରେ ନକଲି ସାମ୍ବାଦିକଙ୍କ ଦୌରାତ୍ମ୍ୟର ଶିକାର ହୋଇ ହଇରାଣ ହରକତ ହେବା ଦର୍ଶାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଜଳ ଯୋଗାଣ ଓ ପରିମଳ କନିଷ୍ଠ ଯନ୍ତ୍ରୀ ମମତା ପଣ୍ଡା। ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ମାଟ୍ରିକ ପାସ୍ କରି ନଥିବା ଜଣେ ବ୍ଯକ୍ତି ବିଭିନ୍ନ ସମୟରେ ବିଭିନ୍ନ ଅଧିକାରୀଙ୍କୁ ନିଜ ସ୍ବାର୍ଥ ହାସଲ ପାଇଁ କିଛି ରାଜନେତାଙ୍କ ସହଯୋଗରେ ହଇରାଣ ହରକତ କରୁଥିବା ଅଭିଯୋଗ ହେଉଛି। ଉକ୍ତ ବ୍ୟକ୍ତି ଜଣକ ବାପୁନି କୁମାର ମାଲୁ ଏବଂ ତାଙ୍କର ଘର ମଠ ବରିଡା ବୋଲି ଜଣାପଡିଛି। ବିଭିନ୍ନ ସରକାରୀ କର୍ମଚାରୀଙ୍କୁ ବିଜ୍ଞାପନ ମାଗିବା ଏବଂ ବିଜ୍ଞାପନ ନ ଦେଲେ ବିଭିନ୍ନ ଆଳ ଦେଖାଇ ହଇରାଣ କରାଯାଉଛି ବୋଲି ବେଗୁନିଆପଡ଼ା ବ୍ଳକ ଆର୍ ଡବ୍ଲ୍ୟୁ ଏସ୍ ଏସ୍ କନିଷ୍ଠ ଯନ୍ତ୍ରୀ ମମତା ପଣ୍ଡା ଅଭିଯୋଗ କରିଛନ୍ତି। ଯନ୍ତ୍ରୀଙ୍କ କହିବା ଅନୁସାରେ ଉକ୍ତ ବ୍ୟକ୍ତି ଜଣକ ନିଜ ମା ଇଲିସି ମାଲୁଙ୍କ ନାମରେ ଗୋଟିଏ ପାଇଖାନା ବିଲ୍ କରି ୧୨ ହଜାର ଟଙ୍କା ପାଇଛନ୍ତି ଏବଂ କିଛି ଦିନ ପରେ ପୁଣି ତାଙ୍କ ନାମରେ ଆଉ ଏକ ପାଇଖାନା ବିଲ୍ କରିବାକୁ କାଗଜପତ୍ର ଆଣି ଆବେଦନ କରିଥିଲେ। ତେବେ ଯନ୍ତ୍ରୀ ପରିଦର୍ଶନ କରିବା ସହ ଉକ୍ତ ପାଇଖାନା କେଉଁଠି ଅଛି ଦେଖିବାକୁ ଯିବା ବେଳେ କେବଳ ଗୋଟିଏ ପାଇଖାନା ଥିବା ଜଣାପଡ଼ିଥିଲା। ସରକାରଙ୍କ ଗାଇଡଲାଇନ ଅନୁସାରେ ଗୋଟିଏ ପରିବାରକୁ ଗୋଟିଏ ପାଇଖାନା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ରହିଛି ଏବଂ ଶ୍ରୀ ମାଲୁ ଗୋଟିଏ ପାଇଖାନାକୁ ଦେଖାଇ ବାରମ୍ବାର ବିଲ୍ କରାଇବା ପାଇଁ ରାଜନୈତିକ ବ୍ଯକ୍ତିକଂ ସହାୟତାରେ ଚାପ ସୃଷ୍ଟି କରିଥିବା କଥା ଅଭିଯୋଗ କରିଛନ୍ତି କନିଷ୍ଠ ଯନ୍ତ୍ରୀ। ଏବଂ ଏହିଭଳି ବେଆଇନ କାର୍ଯ୍ୟ ନ କରିବାରୁ ନିର୍ଦ୍ଧିଷ୍ଟ ଗୋଟିଏ ଖବରକାଗଜରେ ଯନ୍ତ୍ରୀଙ୍କ ପରିବାରକୁ ଅପମାନିତ କଲାପରି ମିଥ୍ୟା ଖବର ପ୍ରକାଶ କରାଯାଇଥିବା ସେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ମହିଳା ଯନ୍ତ୍ରୀ କ୍ବାଟରରେ ଏକାକୀ ଥିବା ଭାବି ଉକ୍ତ ବ୍ୟକ୍ତି ଜଣକ ବିଜ୍ଞାପନ ନାମରେ ଅର୍ଥ ମାଗିବାକୁ ଯିବା ବେଳେ ଯନ୍ତ୍ରୀଙ୍କ ସ୍ବାମୀ ଉକ୍ତ ବ୍ଯକ୍ତିକୁଂ ମନା କରିଥିଲେ। ଏହିପରି ବାରମ୍ବାର ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ଅର୍ଥ ମାଗୁଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଘଟଣାକୁ ଗୁରୁତର ସହ ନେଇ ନିରପେକ୍ଷ ତଦନ୍ତ କରି ସଂପୃକ୍ତ ବ୍ୟକ୍ତି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମହିଳା ଯନ୍ତ୍ରୀ ଦାବି କରିଛନ୍ତି।