ହାଟଡିହି- ୭ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ ଅଞ୍ଚଳରେ ବେଆଇନି ଭାବେ ଚାଲିଛି ବାଲି ଚୋରା ଚାଲାଣ । ସବୁ ଜାଣିବି ପ୍ରଶାସନ ସାଜିଛି ନିରବଦ୍ରଷ୍ଟା । ନିଆଯାଉନି କୌଣସି କାର୍ଯ୍ୟାନୁଷ୍ଠାନ । ଫଳରେ ଦୈନିକ ଲକ୍ଷ ଲକ୍ଷ ଯଙ୍କା ରାଜସ୍ୱହାନୀ ଘଟୁଥିବା ଅଭିଯୋଗ ହେଉଛି । ହାଟଡିହି ତହସିଲର ଡିମିରିଆ, ହାବଳେଶ୍ୱର ଓ ସମଣାରେ ବେ ଆଇନି ଭାବେ ଶହଶହ ଟ୍ରିପ ବାଲି ଉତ୍ତୋଳନ କରାଯାଇ ଚୋରା ଚାଲାଣ ହେଉଛି । ହାବଳେଶ୍ୱର ଓ ଡିମିରିଆ ବାଲି ଉତ୍ସର ନିଲାମ ଅବଧି ସରିଯିବାପରେ ଏହାକୁ ପୁନଶ୍ଚ ଦୀର୍ଘ ମିଆଦି ସୁତ୍ରରେ ନିଲାମ କରାଯିବା ପାଇଁ ତହସିଲ ପକ୍ଷରୁ ପ୍ରକ୍ରୀୟା ଆରମ୍ଭ କରାଯାଇଛି । ନିଲାମ ଅବଧି ସରିଥିଲେ ମଧ୍ୟ ବାଲି ମାଫିଆ ମାନେ ନିୟମିତ ବାଲି ଉତ୍ତୋଳନ କରିଚାଲିଛନ୍ତି । ଏପରିକି ପ୍ରଶାସନ ପକ୍ଷରୁ ଗତ କିଛିଦିନ ତଳେ ବାଲି ଗାଡି ଗୁଡିକ ଯିବା ଆସିବାପାଇଁ କରାଯାଇଥିବା ର୍ୟାମ୍ପ ଗୁଡିକୁ ମେସିନି ଦ୍ୱାରା କାଟି ଦିଆଯାଇଥିଲା । ଯେପରିକି ବାଲିପାଇଁ ଗାଡିଗୁଡିକ ଆଉ ନଦୀ ଭିତରକୁ ଯାତାୟତ କରିପାରିବ ନାହିଁ । କିନ୍ତୁ ମାଫିଆମାନେ ଗୋଟିଏ ଦିନ ପରେ ପୁନର୍ବାର ର୍ୟାମ୍ପ ନିର୍ମାଣ କରି ବାଲି ଉତ୍ତୋଳନ କରିବାସହ ସରକାରଙ୍କ ଲକ୍ଷ ଲକ୍ଷ ଯଙ୍କାର ରାଜସ୍ୱ ହାନୀ ଘଟାଉଛନ୍ତି । ଗାଡି ଚାଳକମାନେ ରୟଲଟି ନଦେଲେ ବାଲି ନେବୁନାହିଁ ବୋଲି କହୁଥିବାରୁ ସେମାନେ ଜାଲ ରୟଲଟି ବ୍ୟବହାର କରି ଗାଡି ଚାଳକମାନଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ସେହିପରି ସମଣା ଘାଟରୁ ପ୍ରତିଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ବେ ଆଇନି ଭାବେ ଟ୍ରାକ୍ଟର ଯୋଗେ ଶହଶହ ଟ୍ରିପ ବାଲି ଚୋରା ଚାଲାଣ କରାଯାଉଛି । ତହସିଲ କର୍ତ୍ତୁପକ୍ଷ ଲୋକଦେଖାଣିଆ ଭାବେ କିଛି ଟ୍ରାକ୍ଟରକୁ ଜବଦ କରି ସେମାନଙ୍କ ଠାରୁ ଜୋରିମାନା ଆଦାୟ କରୁଥିବାବେଳେ ଡିମିରିଆ, ହାବଳେଶ୍ୱର ଘାଟରୁ ବେନିୟମ ଭାବେ ବାଲି ଉତ୍ତୋଳନ କରୁଥିବା ମେସିନି ଓ ହାଇୱା ଗାଡି ଗୁଡିକୁ ଜବଦ କରିବାରେ କାହିଁକି ଟାଳଟୁଳ ନୀତି ଅବଲମ୍ବନ କରୁଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆନନ୍ଦପୁର ଉପଜିଲ୍ଲାପାଳ ତୁରନ୍ତ ଏହି ବେଆଇନି ବାଲି ଘାଟ ଉପରେ ଚଢ଼ାଉକରି ଘାଟକୁ ବନ୍ଦ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।