Odiapua.com

ବୃନ୍ଦାବନଙ୍କ ଭାଗ୍ୟାକାଶରେ କଳାବାଦଲ ରୋଗଶଯ୍ୟାରେ ପରିବାରର ସବୁ ସଦସ୍ୟ, ଅର୍ଦ୍ଧାହାରରେ ଭଙ୍ଗା କୁଡିଆରେ ବିତୁଛି ଜୀବନ, ଔଷଧ କିଣିବାକୁ ସମ୍ବଳ ନାହିଁ

ହାଟଡିହି -୧୮ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେତେବେଳେ କାହା ଭାଗ୍ୟରେ ଯେ କଣ ଘଟିବ ତାହା କେହି କହି ପାରନ୍ତି ନାହିଁ । ହସଖୁସିରେ ଦିନ କାଟୁଥିବା ଗୋଟିଏ ଛୋଟ ପରିବାରର ଭାଗ୍ୟାକାଶରେ ଏପରି ଯେ କଳାବାଦଲ ଘୋଟି ଆସିବ ତାହା ସେ କେବେ କଳ୍ପନା କରିନଥିଲେ । ଯାହା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର ମୁଗୁପୁର ଗାଁରେ । ଗ୍ରାମର ବୃନ୍ଦାବନ ସାହୁ (୪୮) ଭୁବନେଶ୍ୱରର ଏକ ଘରୋଇ କମ୍ପାନୀରେ ସ୍ୱଳ୍ପ ଦରମାରେ କାର୍ଯ୍ୟ କରି ପରିବାରରେ ନିଜ ପତ୍ନୀ କଲ୍ୟାଣୀ ସାହୁ, ପୁଅ ଜଗନ୍ନାଥ(୧୬)କୁ ନେଇ ହସଖୁସିରେ ଦିନ କାଟୁଥିଲେ । କିନ୍ତୁ ବିଧିର ବିଧାନ ବଡ ବିଚିତ୍ର । ଗତ ୨ବର୍ଷ ତଳେ ପତ୍ନୀ କଲ୍ୟାଣୀ ସାହୁ ବ୍ରେନ ଟ୍ୟୁମରରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତିହେଲେ । ଅନେକ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଭଲ ହୋଇ ପାରିନଥିଲେ । ଏପରିକି ଅପରେସନ ପାଇଁ ଡାକ୍ତରମାନେ ମନା କରିଦେବାରୁ ବାଧ୍ୟହୋଇ କେବଳ ଔଷଧ ଖାଇ ଏବେ ଭାଗ୍ୟକୁ ଆଦରି ପଡିରହିଛନ୍ତି । ସେହିପରି ଗତ ୪ମାସ ତଳେ କଲ୍ୟାଣୀଙ୍କ ସ୍ୱାମୀ ବୃନ୍ଦାବନ ହଠାତ ଦଣ୍ଡିସିରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କର ପିତକୋଶରେ କ୍ୟାନସର ହୋଇଯାଇଥିବା ଓ ଲାଷ୍ଟ ଷ୍ଟେଜ ôତବାରୁ ଆଉ ଭଲ ହେବାର ଆଶା ନଥିବା କହିବାରୁ କଲ୍ୟାଣୀଙ୍କ ମୁଣ୍ଡରେ ବଜ୍ର ପଡିଥିଲା । ସେ ରୋଗୀଣା ସ୍ୱାମୀ ଓ ପୁଅକୁ ଧରି ଗାଁକୁ ଫେରି ଆସିଥିଲେ । ମାତ୍ର ଘରେ ମୁଣ୍ଡ ଗୁଞ୍ଜିବାକୁ କୌଣସି ସ୍ଥାନ ନଥିବା ବେଳେ ଏକ ପଲିଥିନି ଢ଼ଙ୍କା ଭଙ୍ଗା ଚାଳଘରେ ଦିନ କାଟୁଛନ୍ତି । ଘରେ ଖାଇବାକୁ ନଥିବାରୁ ଅର୍ଦ୍ଧାହାରରେ ଦିନ କାଟୁଛନ୍ତି ବୃନ୍ଦାବନଙ୍କ ପରିବାର । ଏପରି ଅବସ୍ଥାରେ କଲେଜରେ ପଢ଼ୁଥିବା ପୁଅ ଜଗନ୍ନାଥର ଆପ୍ରେଣ୍ଟିସ ସାଇଟ ବାହାରିବାରୁ ଧାର କରଜ କରି ପୁଅକୁ ନେଇ ଅପରେସନ କରିଛନ୍ତି କଳ୍ୟାଣୀ । ମାତ୍ର ଜଗନ୍ନାଥ ଆଜି ପର୍ଯ୍ୟନ୍ତ ଭଲ ହୋଇପାରିନି । ଗୋଟିଏ ପଟେ ଦିନକୁ ହଜାର ହଜାର ଟଙ୍କାର ଔଷଧ ଖର୍ଚ୍ଚ ଓ ଅନ୍ୟପଟେ ଜୀବନ ବଞ୍ଚାଇବାର ଚିନ୍ତା । ପରିବାରର ଏପରି ଅବସ୍ଥା ଦେଖି ଗ୍ରାମବାସୀ ମାନେ ସହାୟତାର ହାତ ବଢ଼ାଇଛନ୍ତି । ସେମାନେ କିଛି ଖାଦ୍ୟ ପେୟ ଓ କିଛି ଔଷଧପତ୍ରର ବ୍ୟବସ୍ଥା କରିଛନ୍ତି । ଯଦି ସରକାର କିମ୍ବା କୌଣସି ସ୍ୱେଚ୍ଛାସେବୀ ସଂସ୍ଥା ସହାୟତାର ହାତ ବଢ଼ାନ୍ତେ ପରିବାରଟି କିଛିଦିନ ପାଇଁ ଦୁଖଃ ଦୁର୍ଦ୍ଦଶାରୁ ମୁକୁଳି ପାରନ୍ତା । ସେହିପରି ପ୍ରଶାସନ ପକ୍ଷରୁ ଯଦି ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦିଆଯାଆନ୍ତା ତେବେ ପରିବାର ଲୋକେ ମୁଣ୍ଡ ଗୁଞ୍ଜି ପାରନ୍ତେ ।