Odiapua.com

ବୃଦ୍ଧାଙ୍କୁ ମିଳୁନାହିଁ ଘର ଓ ଚାଉଳ

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଅସହାୟ ଲୋକମାନଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣୟନ ହୋଇଛି ଅନେକ ଜନକଲ୍ୟାଣକାରୀ ଯୋଜନା । କିନ୍ତୁ ବାସ୍ତବରେ ଏହି ଯୋଜନା ପ୍ରକୃତ ହିତାଧିକାରୀଙ୍କ କାର୍ଯ୍ୟରେ ଲାଗୁନାହିଁ । ଏହିଭଳି ଦୀର୍ଘ ବର୍ଷ ବର୍ଷ ଧରି ଜଣେ ଅସିତିପର ବୟସର ଅସହାୟ ବିଧବା ମହିଳା ନିଜର ବିକୃତ ମସ୍ତିଷ୍କ ପାଗଳ ପୁଅକୁ ଧରି ବରଡା ପତ୍ର ଘରେ ଜୀବନ ବିତାଉଥିବାବେଳେ ଏମାନଙ୍କ ପାଇଁ ସାତସ୍ୱପ୍ନ ହୋଇଛି ସରକାରଙ୍କ ଉକ୍ତ ଜନକଲ୍ୟାଣ ଯୋଜନା । ଏପରି ସ୍ଥଳେ ଆବାସ ଯୋଜନାରେ ଘର, ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ପାଇବା ପାଇଁ ବାରମ୍ବାର ଗୁହାରି କରୁଥିଲେ ବି କେହି ଦୃଷ୍ଟି ଦେଉନାହାଁନ୍ତି ବୃଦ୍ଧାଙ୍କ ଅଭିଯୋଗ ପ୍ରତି । ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେବା ସହ ସରକାରଙ୍କ ଏହି ଜନକଲ୍ୟାଣ ଯୋଜନାର ସଫଳ ରୂପାୟନ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବ୍ଲକ୍ ଗେଲଟୁଆ ପଂଚାୟତର ରଣପଦା ଗ୍ରାମର ମାତାଜୀ ରାଉତଙ୍କ କ୍ଷେତ୍ରରେ । ବୟସ ୮୦ ବର୍ଷ, ନିଜ ସ୍ୱାମୀ ଦୀର୍ଘବର୍ଷ ପୂର୍ବେ ମୃତ୍ୟୁବରଣ କରିବା ପରେ ୪ ପୁଅଙ୍କୁ ସାଙ୍ଗରେ ଧରି ଅଭାବ ଅନାଟନରେ ରହୁଥିଲେ । କିଛିଦିନ ପରେ ସାନ ମଝିଆ ପୁଅର ମୃତ୍ୟୁ ହୋଇଥିବାବେଳେ ସାନ ପୁଅ ପାଗଳ ହୋଇଗଲା । ଏପରି ଅବସ୍ଥାରେ ବଡପୁଅ ଓ ମଝିଆ ଦୁଇପୁଅ ମା’ ଠାରୁ ଅଲଗା ହୋଇଗଲେ । ସେହିଦିନ ଠାରୁ ମାତାଜୀ ନିଜ ପାଗଳ ପୁଅକୁ ସାଙ୍ଗରେ ଧରି ଚଳିବା ପାଇଁ ବାରଦ୍ୱାର ଶୁଣ୍ଢିପିଣ୍ଡା ହେଉଛନ୍ତି । ହେଲେ ଘରଖଣ୍ଡିଏ ନଥିବାରୁ ନିଜ ଜମିରେ ସେ ବରଡାପତ୍ର ଓ ବାଉଁଶ କଣିରେ ଘର ଖଣ୍ଡିଏ କରି ଖରାବର୍ଷାରେ ନିଜ ପାଗଳ ପୁଅକୁ ଧରି ଦୀର୍ଘ ୧୫ ବର୍ଷ ହେବ ଜୀବନ ବିତାଉଛନ୍ତି । ବୟସର ସାୟାହ୍ନରେ ପହଞ୍ôଚଥିବା ମାତାଜୀ ନିଜ ପାଗଳ ପୁଅର ଯତ୍ନ ଠିକ୍ ଭାବେ ନେଇପାରୁନଥିବାବେଳେ ଖାଦ୍ୟ ରାନ୍ଧି ନିଜେ ଖାଇବା ଓ ତାକୁ ଖୁଆଇବା କଷ୍ଟକର ହୋଇପଡିଛି ।

ଆଖିକୁ ସେଭଳି ଭଲ ଦେଖାଯାଉନାହିଁ । ଏପରି ସ୍ଥିତିରେ ବରଡାପତ୍ର ଘରେ ବର୍ଷା, ଖରାରେ ରହି ହେଉନଥିବା ଯୋଗୁଁ ପାଖରେ ଥିବା ବରଗଛ ତଳେ ଅଧିକାଂଶ ସମୟରେ ଜୀବନ ବିତାଉଥିବାର ସେ କହିଛନ୍ତି । ଏବେ କେବଳ ସରକାରୀ ସହାୟତା କହିଲେ ମାତ୍ର ୫ ଶହ ଟଙ୍କା ଭତ୍ତା ପାଉଛନ୍ତି । ଦୀର୍ଘବର୍ଷ ଧରି ପାଗଳ ପୁଅକୁ ଧରି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ମାଗିଯାଚି ଜୀବନ ବିତାଉଥିବାବେଳେ ଇନ୍ଦିରା ଆବାସ ଯୋଜନାରେ ଘର ଓ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଦେବାପାଇଁ କାକୁତି ମିନତୀ ହେଉଥିଲେ ବି ତାଙ୍କ ଗୁହାରି କେହି ବି ଶୁଣୁନାହାଁନ୍ତି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଆର୍ଥିକ ଅନାଟନରେ ଥିବା ମାତାଜୀଙ୍କ ବଡପୁଅ ରମାକାନ୍ତ ମା’କୁ ପାଖରେ ରଖିବା ପାଇଁ ନେଇଥିଲେ ବି ମା’ ପାଗଳ ପୁଅକୁ ଛାଡି ରହିପାରିବେ ନାହିଁ ବୋଲି କହିଛନ୍ତି । ତେବେ ଘର ଓ ଚାଉଳ ପାଇଁ ସରପଞ୍ଚଙ୍କୁ ବାରମ୍ବାର ବାରମ୍ବାର ଗୁହାରି କରିଥିଲେ ବି ସେ କେବଳ ପ୍ରତିଶ୍ରୁତି ଦେଇ ସମୟ ଗଡାଇ ଚାଲିଛନ୍ତି ବୋଲି କହିଛନ୍ତି ମାତାଜୀଙ୍କ ବଡପୁଅ ରମାକାନ୍ତ । ଏଭଳି ଅବସ୍ଥାରେ ମାତାଜୀ ଓ ତାଙ୍କ ପାଗଳ ପୁଅର ଅବସ୍ଥା ଦେଖି ଗ୍ରାମବାସୀମାନେ ସାହାଯ୍ୟ ସହଯୋଗ କରିଆସୁଥିବାବେଳେ ତାଙ୍କୁ ଘର ଖଣ୍ଡିଏ ଯୋଗାଇଦେବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ଜୟକୃଷ୍ଣ ମହାଳିକ । ତେବେ ଏହି ଖବର ପାଇବା ପରେ ଭଦ୍ରକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ ବେହେରା ଉକ୍ତ ଗ୍ରାମରେ ପହଞ୍ôଚ ଘଟଣାର ତଦନ୍ତ କରିବା ପରେ ମାତାଜୀଙ୍କ ନାମ ଏସ୍‌ଇସିସି ରିପୋର୍ଟରେ ତାଲିକାଭୁକ୍ତ ଥିବାରୁ ଖୁବଶୀଘ୍ର ଘର ଯୋଗାଇଦେବା ସହ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରି ସମସ୍ତ ସରକାରୀ ସହାୟତା ଯୋଗାଇଦେବେ ବୋଲି କହିଛନ୍ତି ।