Odiapua.com

ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ପରାମର୍ଶ ବୈଠକରେ ଯାତ୍ରୀଙ୍କ ସୁବିଧା ଉପରେ ଆଲୋଚନା

ସମ୍ବଲପୁର, ୨୮/୧୨ (ଓଡ଼ିଆ ପୁଅ) ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ନବଗଠିତ ପରାମର୍ଶଦାତା ସମିତିର ପ୍ରଥମ ବୈଠକ ଅନୁଷ୍ଟିତ ହୋଇଯାଇଛି। ବିମାନ ବନ୍ଦର ସଭାକକ୍ଷଠାର ହୋଇଥିବା ଏହି ବୈଠକର ବରଗଡ଼ ଲୋକସଭା ସଦସ୍ୟ ସୁରେଶ ପୂଜାରୀ ସଭାପତିତ୍ୱ କରିଥିଲେ। ବିମାନ ବନ୍ଦରରେ ପୋଲିସ ଫାଂଡ଼ି ପ୍ରତିଷ୍ଟା, ରାଜପଥରୁ ଏୟାର ପୋର୍ଟକୁ ସଡ଼କ ନିର୍ମାଣ, ଏଥିରେ ଆଲୋକୀକରଣ, ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତୀ ସ୍ତାପନ, ଉଭୟ ସିଫ୍ଟ ରେ ଟ୍ରାଫିକ ପୋଲିସ ନିୟୋଜନ, ଏୟାରପୋର୍ଟ ପାଇଁ ଆବଶ୍ୟଜ ଜମି ପ୍ରଦାନ, ମହିଳା ସୁରକ୍ଷା କର୍ମୀ ମୁତୟନ ଏବଂ ବନ୍ଦୋବସ୍ତ, ଡ଼ାକ୍ତର ନିଯୁକ୍ତି, ବସ ସେବା, ଆମ୍ବୁଲେନ୍ସ ସୁବିଧା ଆଦି ବିଷୟ ଉପରେ ବୈଠକରେ ଆଲୋଚନା କରାଯାଇଥିଲା। ସେହି ଭଳି ଏଠାରେ ବିମାନ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ପାଇଁ ଅନ୍ୟ ସୁବିଧା କରିବା ଉପରେ ମଧ୍ୟ ଏଥିରେ ଚର୍ଚ୍ଚା କରାଯାଇଥିଲା। ବୈଠକରେ ବିମାନ ବନ୍ଦରର ନିର୍ଦ୍ଦେଶକ ସୁଦେଶ ଚୈାହାନ, ଝାରସୁଗୁଡ଼ା ବିଧାୟକ ତଥା ସ୍ୱାସ୍ତ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ଜିଲ୍ଲାପାଳ ସରୋଜ କୁମାର ସାମଲ, ଟିଆଏଲର ଉପସଭାପତି ତାରାପଦ ଦାଶ, ସିଏଏସଓ ଏସ ସି ଭୋଇ, ପୈାର ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନ, ସ୍ପାଇସ ଜେଟ କମ୍ପାନୀ ଷ୍ଟେସନ ମ୍ୟାନେଜର ସୁଜିତ କୁମାର ପ୍ରମୁଖ ଯୋବ ଦେଇଥିଲେ। ବେସାମରିକ ବିମାନ ଚଲାଚଳ ମନ୍ତ୍ରଣାଳୟ ପକ୍ଷରୁ ଗଠିତ ଏହି ପରାମର୍ଶଦାତା କମିଟିର ବର୍ଷକୁ ଅନ୍ୟୁନ୍ୟ ଦୁଇଥର ବସିବ ବୋଲି ନିୟମ ରହିଛି। ବିମାନ ବନ୍ଦରର ଉନ୍ନତି ଏବଂ ଅନ୍ୟ ଆବଶ୍ୟକ ପୂରଣ ପାଇଁ ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି ସାଂସଦ ପୂଜାରୀ ଏବଂ ମନ୍ତ୍ରୀ ଦାସ ବୈଠକ ପରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ।