Odiapua.com

ବୀର ଯବାନଙ୍କ ଗାଁ ଗୋପାଳପୁର : ସେନାରେ ଯୋଗ ଦେଇଛନ୍ତି ୭୦ ଯୁବକ

ଭଦ୍ରକ, ୩୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେଶ ସେବା ପାଇଁ ସେମାନେ ପଣ କରିଛନ୍ତି । ସେଥିପାଇଁ ରୀତିମତ ପ୍ରସ୍ତୁତି ବି ଜାରି ରଖିଛନ୍ତି । ଗାଁକୁ ଛୁଟିରେ ଫେରୁଥିବା ସୈନିକ ପ୍ରଶିକ୍ଷଣ ଦେଉଛନ୍ତି । କିଏ କେଉଁମାସ ଛୁଟିରେ ଆସିବ । ଆଶାୟୀ ଯୁବକଙ୍କ ପ୍ରଶିକ୍ଷଣ ଦେବ । ସେ ନେଇ ରୁଟିନ୍ ବି ହେଉଛି । ଏମିତି ଉଦ୍ୟମ କରି ୭୦ ରୁ ଅଧିକ ଯୁବକ ସେନାରେ ସାମିଲ ହୋଇଛନ୍ତି । ସେହି ଗାଁ ହେଉଛି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍ ବଡଓସ୍ତିଆ ପଂଚାୟତର ଗୋପାଳପୁର । ପରସ୍ପର ମଧ୍ୟରେ ସୈନିକ ହୋଇ ଦେଶର ସେବା କରିବା ସମସ୍ତଙ୍କ ଭାଗ୍ୟରେ ଲେଖାନଥାଏ । କେହି କେହି ଇଚ୍ଛା ଥିଲେ ବି ଶାରୀରିକ ଉଚ୍ଚତା ହେଉ କି ସ୍ୱାସ୍ଥ୍ୟଗତ କାରଣ ହେଉ, ତାହା ଯୋଗୁଁ ସେନାରେ ଯୋଗ ଦେଇପାରିନଥାନ୍ତି । ଅନେକଙ୍କର ସମସ୍ତ ଯୋଗ୍ୟତା ରହିଥିଲେ ମଧ୍ୟ ଭାଗ୍ୟ ସାଥ୍ ଦିଏନାହିଁ । ସୀମରେ ସୁରକ୍ଷା କବଚ ସାଜିବା ସ୍ୱପ୍ନ ପାଲଟିଯାଏ । ହେଲେ ଗୋପାଳପୁର ଗାଁର ୯୦ ପ୍ରତିଶତ ଯୁବକ ଦେଶ ସେବକ ହୋଇଛନ୍ତି । ଗୋପାଳପୁରକୁ ବୀର ଯବାନଙ୍କ ଗାଁ ବୋଲି ସ୍ଥାନୀୟ ଅଂଚଳରେ ଆଖ୍ୟା ମିଳିଛି । ଚାନ୍ଦବାଲି ସହର ଠାରୁ ଅଳ୍ପ ଦୂରରେ ଥିବା ବଡଓସ୍ତିଆ ପଂଚାୟତ ଗୋପାଳପୁର ଗାଁ ବୀର ଯବାନଙ୍କ ଗାଁ ଭାବେ ପରିଚିତ । ଏହି ଗାଁରେ ଯୁବକମାନେ ସେନାରେ ଯୋଗ ଦେଇ ଅବସର ନେବା ପରେ ବୁଢା ବି ହୋଇଗଲେଣି । ଗାଁରେ ଥିବା ଯବାନଙ୍କ ମନକଥା ଜାଣିବା ପାଇଁ ଏହି ପ୍ରତିନିଧି ଯିବା ପରେ ବାରଣ୍ଡାରେ ବସିଥିବା ପୂର୍ବତନ ସେନା କର୍ମଚାରୀ ଭୀମସେନ ଦାସଙ୍କ ଉପରେ ନଜର ପଡିଥିଲା । ୮ ବର୍ଷ ହେଲା ସେ ସେନାରୁ ଅବସର ନେଲେଣି । ହେଲେ ତାଙ୍କର ପୁଅ ଓ ପୁତୁରା ୪ ଜଣ ଏବେ ବି ସେନାରେ ଚାକିରୀ କରୁଛନ୍ତି । ସେହି ପାଖରେ ପଡିଥିଲା ସୁବାସିନୀ ବାରିକଙ୍କ ଘର । ତାଙ୍କ ସହ ଭେଟ ହୋି ଆମେ କଥା ହୋଇଥିଲୁ । ସ୍ୱାମୀ ସେନାରେ ଥିବା ବେଳେ ସ୍ୱାସ୍ଥ୍ୟଗତ କାରଣରୁ ମୃତ୍ୟୁ ଘଟିଥିବା କୋହଭରା କଣ୍ଠରେ ସେ କହିଥିଲେ । ଏବେ ସେ ଦିଅର ସହ ନିଜ ପୁଅକୁ ସେନାରେ ଯୋଗଦେବା ପାଇଁ ପ୍ରସ୍ତୁତି ଚଳାଇଥିବା ପ୍ରକାଶ କରିଛନ୍ତି । ଗୋପାଳପୁର ଗାଁର ପାଖାପାଖି ୪୫ ପରିବାରର ୭୦ ଜଣ ଯୁବକ ଏବେ ସେନାରେ ଦେଶ ପାଇଁ କାର୍ଯ୍ୟ କରୁଛନ୍ତି । କିଏ ଆର୍ମିରେ ତ ଆଉ କିଏ ସିଆରପିଏଫ୍‌ରେ । କେତେକ ବି ନେଭାଲରେ ଭର୍ତ୍ତି ହୋଇଛନ୍ତି ।

 

ବିଏସ୍‌ଏଫ୍ ଯବାନ ଭାବେ ମଧ୍ୟ କିଛି ଯୁବକ କାର୍ଯ୍ୟ କରୁଛନ୍ତି । ଗାଁର ଯୁବକମାନଙ୍କର ଗୋଟିଏ ଇଚ୍ଛା ସେମାନେ ଦେଶ ମାତୃକାର ସେବା କରିବେ ଓ ସେନା ବାହିନୀରେ ଚାକିରୀ କରିବେ । ଏହି ଜିଦ୍‌ରେ ସେମାନେ ଏମିତି ଅଟଳ ଯେ କୌଣସି ରାଜ୍ୟ କେନ୍ଦ୍ର ସରକାରଙ୍କ ଚାକିରୀକୁ ନ ଅନାଇ ସେନା ବାହିନୀକୁ ଡେଇଁ ପଡୁଛନ୍ତି । ଗୋଟିଏ ଗୋଟିଏ ପରିବାରର ତିନି ଚାରିଜଣ ସଦସ୍ୟ ଏକା ସାଙ୍ଗରେ ବାପ ପୁଅ ଦାଦା ମିଳିମିଶି ସୈନିକ ହୋଇଛନ୍ତି । ଏବେ ଗାଁ ମୁଣ୍ଡ ପଡିଆ ଆଡକୁ ଯିବାକୁ ଲୋକେ କହିଲେ ସେଠାକୁ ଯିବା ପରେ ଦେଖାଗଲା କରୋନା ପାଇଁ ବଜାରଘାଟ ବନ୍ଦ ଥିଲେ ବି ଗାଁର ଯୁବକମାନେ କୁଆଡେ ନ ମାତି ସେହି ପଡିଆରେ କସରତ କରୁଛନ୍ତି । କିଏ ବ୍ୟାୟାମ କରୁଛି ତ ଆଉ କିଏ ଫୁଟବଲ ପାଇଁ ପୋତାଯାଇଥିବା ଷ୍ଟାଣ୍ଡରେ ଝୁଲି ହେଉଛି । ସମସ୍ତେ ନିଜକୁ ନିଜେ ତାଲିମ ନେଉଛନ୍ତି ସେନାରେ ଯୋଗଦେବା ପାଇଁ । ଏବେ ସୀମାରେ ଯବାନମାନେ ଗୁଳିରେ ପ୍ରାଣ ହରାଉଥିବା ଖବର ପାଇଲେ ବି ଏମାନେ ପଛାଉନାହାଁନ୍ତି ବରଂ ଅଧିକ ଆଗଭର ହୋଇ ତାଲିମ୍ ନେଉଛନ୍ତି । ଯେମିତି ଖୁବଶୀଘ୍ର ସେନାରେ ଯୋଗଦେଇ ବନ୍ଧୁକ ଓ କମାଣ ଧରି ଶତ୍ରୁଙ୍କ ସହିତ ଯୁଦ୍ଧ କରିବେ । କୌତୁହଳର କଥା ବର୍ଷେ ଛ ମାସରେ ଥରେ ଗାଁକୁ ଛୁଟିରେ ଆସିଥିବା ଗାଁ ପୁଅ ସୈନିକ ମାନେ ଟ୍ୟୁସନ ଶିକ୍ଷକ ଭଳି ଗାଁ ମୁଣ୍ଡ ପଡିଆରେ ଅପରାହ୍ନରେ ଦୁଇଘଣ୍ଟା ଗାଁ ଯୁବକଙ୍କୁ ତାଲିମ୍ ଦିଅନ୍ତି । କହିବା ବାହୁଲ୍ୟ ଗାଁର ଅଧିକାଂଶ ଲୋକେ ସେନାରେ ଚାକିରୀ କରିଥିବାରୁ ଗାଁର ଆର୍ଥିକ ଅବସ୍ଥା ଏକ ପ୍ରକାର ସ୍ୱଚ୍ଛଳ ଓ ସମସ୍ତେ ଖୁସି । ଅବସରପ୍ରାପ୍ତ ସେନା କର୍ମଚାରୀ ମଧ୍ୟ ନିଜ ସୈନିକ ବେଳର କାହାଣୀ ବଖାଣୁଛନ୍ତି । ଓଡ଼ିଶାରେ ଏପରି ଏକ ଗାଁ ଲୁକ୍କାୟିତ ଅବସ୍ଥାରେ ରହିଯାଇଛି । କେହି ନ ଜାଣିଲେ ବି ଏହି ଗାଁର ୫୦ଟି ପରିବାର ଦେଶ ପାଇଁ ସୀମରେ ଲଢୁଥିବାରୁ ନିଜକୁ ନିଜେ ଭାରତ ମାତାର ସନ୍ତାନ ଭାବି ଗର୍ବ କରୁଛନ୍ତି । ଏପରି ଏକ ବୀର ଯବାନଙ୍କ ଗାଁକୁ ସରକାର ପୁରସ୍କୃତ କଲେ ଦେଶ ପାଇଁ ଲଢିବାକୁ ଆହୁରି ନୂଆ ଯୁବକ ସୃଷ୍ଟି ହୋଇପାରନ୍ତେ ବୋଲି ସମାଜସେବୀ ସୁଧର ମହାନ୍ତି, ବାସୁଦେବ ଦାସ ପ୍ରକାଶ କରିଛନ୍ତି ।