ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ସେବାସମବାୟ ସମିତିରେ ସମ୍ପାଦକ ଚାଷୀଙ୍କ ବୀମାରାଶି ପ୍ରଦାନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିଥିବାରୁ ଆଜି ଶତାଧିକ ଚାଷୀମାନେ ସମିତି କାର୍ଯ୍ୟାଳୟ ଆଗରେ ସମ୍ପାଦକଙ୍କୁ ଘେରାଉ କରିବା ସହ ପ୍ରତିବାଦ କରି ଧାରଣାରେ ବସିଥିଲେ । ଘଟଣାରୁ ପ୍ରକାଶଯେ ଗତବର୍ଷ ବାତ୍ୟା ଓ ବନ୍ୟାରେ ଧାମନଗର ଅଂଚଳରେ ନାହିଁ ନଥିବା କ୍ଷତି ଘଟିଥିଲା । ଏପରିକି ଚାଷ ସମ୍ପୁର୍ଣ୍ଣ ଭାବରେ ଉଜୁଡ଼ି ଯାଇଥିଲା । ତେବେ ଯେଉଁ ଚାଷୀମାନେ ସମବାୟ ସମିତିରୁ ଋଣନେଇ ବୀମା କରିଥିଲେ । ସରକାର ହୃଦ୍ବୋଧ କରି ବୀମାଭୁକ୍ତଙ୍କୁ ଋଣଛାଡ଼ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଧାମନଗର ସେବା ସମବାୟ ସମିତି ଆନୁକୂଲ୍ୟରେ ପ୍ରାୟ ୪୫% ଋଣ ଛାଡ଼ କରିବାପାଇଁ ୨ମାସ ତଳୁ ନିର୍ଦ୍ଦେସ ଆସିଥିବାବେଳେ ଆଜି ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଋଣଛାଡ଼ ଅର୍ଥ ପ୍ରଦାନ କରାଗଲା ନାହିଁ । ଏହାର ପ୍ରତିବାଦରେ ଆଜି ଉକ୍ତ ସମିତି ଅଂଚଳର ବୀମାଭୁକ୍ତ ଚାଷୀମାନେ ସମ୍ପାଦକଙ୍କୁ ଘେରାଉ କରିବା ସହ କାର୍ଯ୍ୟାଳୟ ସମ୍ମୁଖରେ ବସି ପ୍ରତିବାଦ କରିଥିଲେ । ଯେ ପର୍ଯ୍ୟନ୍ତ ଆମ୍ଭଙ୍କୁ ଋଣଛାଡ଼ ଅର୍ଥ ପ୍ରଦାନ କରାନଯାଇଛି ଏହି ପ୍ରତିବାଦ ଜାରି ରହିବବୋଲି ଚାଷୀ ବିଜୟ କୁମାର ଘଡ଼ାଇ, ବାବାଜି ସେଠୀ, କୈଳାଶ ସ୍ୱାଇଁ, ଦେବେନ୍ଦ୍ର ରାଉତ, ଭାସ୍କର ସାହୁ, ଆନନ୍ଦ ବେହେରାଙ୍କ ସମେତ ଶତାଧିକ ଚାଷୀ କହିଥିଲେ । ତେବେ ଏବେ ଧାନ କାର୍ଡ଼ ପଞ୍ଜିକରଣ ପାଇଁ ବ୍ୟସ୍ତ ଥିବାରୁ ଚାଷୀଙ୍କ ୧୫ତାରିଖ ପରେ ଏ ଋଣ ଛାଡ଼ ପ୍ରକ୍ରିୟା ଆରମ୍ଭ ହେବବୋଲି ସମ୍ପାଦକ ବସନ୍ତ କୁମାର ସାହୁ ପ୍ରତିଶୃତି ଦେଲାପରେ ଚାଷୀ ମାନେ ଏହି ପ୍ରତିବାଦରୁ ଓହରିଥିଲେ ।