ଭଦ୍ରକ, ୧୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାନକିଣାରେ ଅନିୟମିତତା ଓ ସମିତି ସଂପାଦକଙ୍କ ମନମୁଖୀ କାର୍ଯ୍ୟରୁ ଚାଷୀମାନେ ନିଜର କଷ୍ଟଲବ୍ଧ ଧାନଗୁଡିକୁ ବିକ୍ରୟ କରିନପାରି ଋଣବୋଝ ପରିଶୋଧ କରିପାରୁନାହାଁନ୍ତି । ଏଣୁ ଭଦ୍ରକ ବ୍ଲକ୍ ଅଧୀନ ବନ୍ଧଗାଁ ପଂଚାୟତର ରାମକୃଷ୍ଣ ପଣ୍ଡା ନାମକ ଜଣେ ଚାଷୀ ବିଷ ପିଇବା ଘଟଣା ଲୋକଙ୍କ ମନରୁ ଲିଭିନଥିବାବେଳେ ଆଜି ଏହି ଜିଲାର ବାସୁଦେବପୁର ବ୍ଲକ୍ ନାୟକାଣିଡିହି ସେବା ସମବାୟ ସମିତି ଅଧୀନ ଚାଷୀମାନେ ସେମାନଙ୍କର ଧାନ ବିକ୍ରି କରିନପାରି ସଂପୃକ୍ତ ସମବାୟ ସମିତି ସମ୍ମୁଖରେ ହାତରେ ବିଷ ବୋତଲ ଧରି ଧାରଣାରେ ବସିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ସେମାନଙ୍କ ଅଭିଯୋଗରୁ ଯାହା ଜଣାଯାଏ ଏହି ସେବା ସମବାୟ ସମିତି ଅଧୀନରେ ଥିବା ଚାଷୀମାନେ ସେମାନଙ୍କ ନାମ ପଂଜିକରଣ କରିବା ସହିତ ଟୋକନ୍ ପାଇଥିଲେ । ମାତ୍ର ସଂପାଦକମାନଙ୍କ ମନମୁଖୀ କାର୍ଯ୍ୟ ଓ ପ୍ରିୟାପ୍ରୀତି ତୋଷଣ ନୀତି ଯୋଗୁଁ ସେମାନେ ଧାନକିଣାରୁ ବଂଚିତ ହେଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପାଦକ ଟୋକନଧାରୀଙ୍କ ଠାରୁ ଧାନ ନକିଣି ବେନିୟମ ଭାବେ ତଂଚକତା କରି ନିଜର କିଛି ସଂପର୍କୀୟମାନଙ୍କ ଠାରୁ ଧାନକିଣି ପ୍ରକୃତ ଚାଷୀଙ୍କୁ ଓପାସରେ ମୃତ୍ୟୁମୁଖକୁ ଠେଲିଦେଲେ । ଏଣୁ ଆଜି ତାର ପ୍ରତିବାଦରେ ସଂପୃକ୍ତ ଚାଷୀମାନେ ବିଷ ବୋତଲ ଧରି ବାଧ୍ୟହୋଇ ସମିତି ସମ୍ମୁଖରେ ଧାରଣାରେ ବସିଥିବାର ଜଣାପଡିଛି ।