Odiapua.com

ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା: ତଦନ୍ତ ଅବ୍ୟାହତ

ବାଲିଗୁଡ଼ା, ୨୫/୦୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ମୁଣ୍ଡିଗଡ଼ ପଞ୍ଚାୟତ ଅନ୍ତର୍ଗତ ଧୂଙ୍ଗିଆପଖାଲ ଗ୍ରାମର ୨୯ବର୍ଷୀୟ ଯୁବକ ସାମନ୍ତରାମ ପାତ୍ର ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୂଚନା ପ୍ରକାରେ ସାମନ୍ତରାମ ଧୂଙ୍ଗିଆପଖାଲ ଗ୍ରାମର କମିଟି ଘରେ କିଛି ଯୁବକଙ୍କ ସହ ମିଶି ଶୋଇଥିଲେ। ସେ ସମୟରେ ବିଷପାନ କରିଥିବା ଜାଣିପାରି ପାଖରେ ଶୋଇଥିବା ଯୁବକ ପରିବାର ଲୋକଙ୍କୁ ଜଣାଇଥିଲେ। ଘଟଣା ସମ୍ପର୍କରେ ଖବରପାଇ ପରିବାର ଲୋକେ ଗୁରୁତର ଅବସ୍ଥାରେ ସାମନ୍ତରାମ ଙ୍କୁ ପ୍ରଥମେ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ହେଲେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ପହଁଚିବା ପରେ ଡାକ୍ତର ସାମନ୍ତରାମ ଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି। ଯୁବକ ଜଣକ କାହିଁକି ବିଷ ପାନକରି ଆତ୍ମହତ୍ୟା କରିଛନ୍ତି ଏ ସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନଥିବା ବେଳେ ଏହା ଏକ ପ୍ରେମ ଜନିତ ଆତ୍ମହତ୍ୟା ବୋଲି ଚର୍ଚ୍ଚା ହେଉଛି। ସେପଟେ ଶବକୁ ଜବତ କରିବାସହ ପୋଲିସ୍ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।