Odiapua.com

ବିଷାକ୍ତ ଫଳ ଖାଇ ଅରେଇକଣା ସ୍କୁଲର ବହୁ ଛାତ୍ରଛାତ୍ରୀ ଅସୁସ୍ଥ; ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି

ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ପାଟୁଳି ପଞ୍ଚାୟତ ଅନ୍ତର୍ଗତ ଅରେଇକଣା ନୋଡାଲ ଉପ୍ରା ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଆଜି ବିଷାକ୍ତ ଫଳ ଖାଇ ଅସୁସ୍ଥ ହେବା ସହ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ବିଦ୍ୟାଳୟର ଜନୈକ ଅଷ୍ଟମ ଶ୍ରେଣୀ ଛାତ୍ର ଦିନ ପ୍ରାୟ ୧୧.୩୦ମି. ସମୟରେ ବିଦ୍ୟାଳୟ ହତା ଶୌଚାଳୟ ନିକଟରେ ଥିବା ‘ବନ୍ଧୁରି’ ନାମକ ଫଳ ଖାଇବା ସହ ପକେଟରେ କିଛି ଫଳ ଆଣିଥିଲେ। ଖେଳ ଛୁଟି ସମୟରେ କେତେକ ପିଲା ମିଳିମିଶି ଏହି ଫଳ ଖାଇଥିଲେ। ଫଳକୁ ଛଡାଇ ଧଳାରଙ୍ଗର ମଝିଅଂଶକୁ ପ୍ରାୟ ୧୫ ରୁ ୨୦ ଜଣ ପିଲା ଖାଇଥିଲେ। ଦିନ ପ୍ରାୟ ୨ଟା ବେଳେକୁ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରର ମୁଣ୍ଡ ଘୁରାଇଥିଲା। ଖବର ପାଇ ଅଭିଭାବକ ଭଣ୍ଡାରିପୋଖରୀ ମେଡିକାଲକୁ ଚିକିତ୍ସା ପାଇଁ ଛାତ୍ରକୁ ଆଣିଥିଲେ। ଏହା ପରେ ଜଣକ ପରେ ଜଣେ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡିଥିଲେ। ଅସୁସ୍ଥ ଅନୁଭବ କରିଥିବା ୨୨ ଜଣ ଛାତ୍ରଛାତ୍ରୀଙ୍କୁ ମେଡିକାଲକୁ ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିଲା। ଅସୁସ୍ଥ ଛାତ୍ରଛାତ୍ରୀମାନେ ବାନ୍ତି କରିବା ସହ ଦୁର୍ବଳ ଅନୁଭବ କରିଥିଲେ। ଖବର ପାଇ ବ୍ଲକ ଶିକ୍ଷାଧିକାରୀ ଅଧିର କୁମାର ତରାଇ, ଏବିଇଓ ଅକ୍ଷୟ କୁମାର ଜେନା, ଉମେଶ ଜେନା, ଶିକ୍ଷାସଂଯୋଜକ କୈଳାସ ସାମଲ, ଶିକ୍ଷକ ଚକ୍ରଧର ସାହୁ ପ୍ରମୁଖ ମେଡିକାଲକୁ ଆସି ଚିକିତ୍ସା ବ୍ୟବସ୍ଥା ତଦାରଖ କରିଥିଲେ। ଇତି ମଧ୍ୟରେ ୫ଜଣ ପିଲା ଚିକିତ୍ସିତ ହୋଇ ଘରକୁ ଫେରିଥିବା ଜଣାଯାଇଛି। ତେବେ ଅସୁସ୍ଥ ଥିବା ସମସ୍ତ ପିଲାମାନେ ବିପଦମୁକ୍ତ ଅଛନ୍ତି ବୋଲି ମେଡିକାଲ ଅଧିକ୍ଷକ ତଥା ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର କମଳାକାନ୍ତ ସ୍ୱାଇଁ ସୂଚନା ଦେଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।